ମୃତ୍ୟୁ ପୂର୍ବରୁ ଇକୋ ରିଟ୍ରିଟ୍‌ରେ ରାତି କାଟିଥିଲେ ରୁଷୀୟ ସାଂସଦ, ନିଶାରେ ଥିଲେ ଚୁର୍

ରାୟଗଡ଼ା/ବାଲିଗୁଡ଼ା/ଭୁବନେଶ୍ୱର: ରୁଷୀୟ ସାଂସଦ ପାଭେଲ୍ ଆଣ୍ଟୋଭ ଓ ତାଙ୍କ ବନ୍ଧୁ ଭ୍ଲାଦିମିର ବିଦାନୋଭଙ୍କ ସନ୍ଦେହଜନକ ମୃତ୍ୟୁ ତଦନ୍ତ ପାଇଁ ରାୟଗଡ଼ାରେ କ୍ରାଇମବ୍ରାଞ୍ଚ ଟିମ୍। ଏହି ଟିମ୍ ଆଜି ଥାନାରେ ଏସ୍‌ଡିପିଓ ଦିବ୍ୟଜ୍ୟୋତି ଦାସ ଓ ଥାନା ଅଧିକାରୀ ରଶ୍ମିରଂଜନ ପ୍ରଧାନଙ୍କୁ ଭେଟିବା ପରେ, ମୃତକମାନେ ରହୁଥିବା ରାୟଗଡ଼ାର ହୋଟେଲ୍ ସାଇ ଇଣ୍ଟରନ୍ୟାସନାଲ ହୋଟେଲ୍‌କୁ ଯାଇ ଦିନ ତମାମ୍ ଫରେନ୍ସିକ ଟିମ୍ ସହ ଖୋଳତାଡ଼ କରିଛନ୍ତି। ରାୟଗଡ଼ାର ହୋଟେଲ୍ ସାଇ ଇଣ୍ଟରନ୍ୟାସନାଲ ହୋଟେଲ୍‌ରେ ଛାତଠୁ ଝରକା ପର୍ଯ୍ୟନ୍ତ ଘଣ୍ଟା ଘଣ୍ଟା ଧରି ଖୋଳତାଡ଼ କରିଛି କ୍ରାଇମ୍ ବ୍ରାଞ୍ଚ ଟିମ୍। ସବୁ ଜାଗାର ମାପଚୁପ, ଫଟୋଗ୍ରାଫି ଓ ଭିଡିଓ ସୁଟିଂ କରାଯାଇଛି। ଯେଉଁ ଝରକାରୁ ଖସିପଡ଼ି ରୁଷୀୟ ସାଂସଦ ପାଭେଲ୍ ଆଣ୍ଟୋଭ ପ୍ରାଣ ହରାଇଥିଲେ ସେଠାରେ ଡିଏସ୍‌ପି ସରୋଜ କୁମାର ମହାନ୍ତଙ୍କ ନେତୃତ୍ୱରେ କ୍ରାଇମବ୍ରାଞ୍ଚ ଓ ଫରେନ୍ସିକ୍‌ ଟିମ୍‌ର ୧୦ ଜଣିଆ ଟିମ୍ ପହଞ୍ଚି ଦିନସାରା ଛାନ୍‌ଭିନ୍ କରିଛନ୍ତି। ଚେଷ୍ଟା କରିଛନ୍ତି, ଆଣ୍ଟୋଭ ଓ ତାଙ୍କ ବନ୍ଧୁ ଭ୍ଲାଦିମିର ବିଦାନୋଭଙ୍କ ସନ୍ଦେହଜନକ ମୃତ୍ୟୁର ରହସ୍ୟ ଭେଦିବାକୁ। ଏଥିସହ ମୃତକମାନଙ୍କ ପୋଷ୍ଟମର୍ଟମ କରିଥିବା ୪ଜଣ ଡାକ୍ତରଙ୍କୁ ବି ଡକାଇ ପଚରାଉଚରା କରିଛନ୍ତି। ତେଣେ ସମ୍ପୃକ୍ତ ୪ ରୁଷୀୟ ପର୍ଯ୍ୟଟକ ରାୟଗଡ଼ା ଯିବା ପୂର୍ବରୁ ଭୁବନେଶ୍ୱର ଓ କନ୍ଧମାଳର ଦାରିଙ୍ଗବାଡ଼ି ଯାଇଥିଲେ ବୋଲି ଜଣାପଡ଼ିଛି। ସେପଟେ କ୍ରାଇମ୍‌ବ୍ରାଞ୍ଚ ଟିମ୍ ଆଗକୁ ସାକ୍ଷୀମାନଙ୍କୁ ମଧ୍ୟ ଭେଟିବାର ସମ୍ଭାବନା ରହିଥିବା ଜଣାପଡ଼ିଛି। ତଦନ୍ତ ଯେତେ ଯେତେ ଆଗକୁ ବଢୁଛି, ସାମ୍ନାକୁ ଆସୁଛି ସେତେ ନୂଆ ନୂଆ ତଥ୍ୟ। ଦିଲ୍ଲୀରୁ ଓଡ଼ିଶା ଆସିବା ପରେ ପ୍ରଥମେ ଭୁବନେଶ୍ୱରରେ ଥିଲେ ସମ୍ପୃକ୍ତ ୪ ରୁଷୀୟ ପର୍ଯ୍ୟଟକ ଲିଙ୍ଗରାଜ ମନ୍ଦିର ନିକଟରେ ଉଠାଇଥିଲେ ଫଟୋ। ରାଜଧାନୀର ଏହି ଦାମୀ ହୋଟେଲରେ ବୁକ୍ ହୋଇଥିଲା ୩ଟି ରୁମ୍। ୨୧୨ ନମ୍ବର ରୁମ୍‌ରେ ଏକାଠି ରହୁଥିଲେ ଆଣ୍ଟୋଭ ଓ ଭ୍ଲାଦିମିର। ୨୩୦୫ରେ ନାଟାଲିଆ ଓ ମିଖାଇଲ୍ ରହୁଥିବା ବେଳେ, ୨୩୦୪ରେ ଥିଲେ ଟୁର୍ ଗାଇଡ୍। ସମସ୍ତେ ଡିସେମ୍ବର ୧୯ ଦିନ ଗୋଟାଏରେ ଚେକ୍ ଇନ୍ କରି, ୨୦ ତାରିଖ ସକାଳ ୮ଟା ୧୧ରେ ଚେକ୍ ଆଉଟ୍ କରିଥିଲେ। ଭୁବନେଶ୍ୱରରୁ ସେମାନେ ଯାଇଥିଲେ କନ୍ଧମାଳର ଦାରିଙ୍ଗବାଡ଼ି। ସେଠାରେ କିରିକୁଟି ସ୍ଥିତ ପାନାସିଆ ଇକୋ ରିଟ୍ରିଟ୍‌ରେ ରାତି ବିତାଇଥିଲେ। ରିସର୍ଟ ମ୍ୟାନେଜର ଏନେଇ ମୁହଁ ଖୋଲିନଥିବା ବେଳେ, କର୍ମଚାରୀ କାଳିଆ ସାହୁ କହିଛନ୍ତି ୪ ଜଣ ଯାକ ଏଠାରେ ପହଞ୍ଚିବା ବେଳକୁ ଅତ୍ୟଧିକ ନିଶାସକ୍ତ ଥିଲେ। ରାତି ସାରା ମଦ୍ୟପାନ କରିଥିଲେ। ୨୧ ତାରିଖ ସକାଳୁ ବ୍ରେଡ୍ ବଟର ଖାଇ ସଭିଏଁ ବାହାରି ଯାଇଥିଲେ ରାୟଗଡ଼ା ଅଭିମୁଖେ।

Leave A Reply

Your email address will not be published.