ସକାଳେ ଫୁଲତୋଡ଼ା, ମଧ୍ୟାହ୍ନରେ ଗୁଳି

ଜଗତସିଂହପୁର : ନୂଆବର୍ଷରେ ବନ୍ଦର ନଗରୀ ପାରାଦୀପ ଅଶାନ୍ତ ହୋଇଛି। ତାରିଣୀଗଡ଼ାର ପ୍ଲଟ୍-୪୭୯ରେ ଥିବା ‘ବ୍ରିଜ୍ ଆଣ୍ତ୍ ରୁଫ୍’ କମ୍ପାନିର ଗେଷ୍ଟ୍‌ ହାଉସ୍‌ରେ ଗୁଳିକାଣ୍ଡ ହୋଇଛି। ଜଣେ ଦୁର୍ବୃତ୍ତ ସକାଳେ ଆସି ମ୍ୟ‌ାନେଜର୍‌ଙ୍କୁ ଫୁଲତୋଡ଼ା ଦେଇ ଯିବାପରେ ଅପରାହ୍ନରେ ଗୁଳିମାଡ଼ କରିଛି। ‌ସୌଭାଗ୍ୟକ୍ରମେ କାହାର କିଛି କ୍ଷତି ଘଟିନାହିଁ। ଏହି ଖବର ପ୍ରଚାରିତ ହେବାପରେ ସେହି କମ୍ପାନି ମ୍ୟାନେଜର୍‌ ଓ ଅନ୍ୟ କର୍ମଚାରୀମାନେ ଭୟଭୀତ ଅବସ୍ଥାରେ ରହିଛନ୍ତି। ସୂଚନା ଅନୁସା‌ରେ, ଏହି ଗେଷ୍ଟ୍‌ ହାଉସ୍‌ରେ କମ୍ପାନିର ମ୍ୟାନେଜର ଏକେ ଗୋସ୍ବାମୀଙ୍କ ସମେତ ଅନ୍ୟ ଯନ୍ତ୍ରୀମାନେ ରୁହନ୍ତି। ଗୁରୁବାର ଦିନ ନୂଆବର୍ଷ ଥିବାରୁ ସକାଳେ ଜଣେ ଯୁବକ ହାତରେ ଫୁଲତୋଡ଼ା ଧରି ଗେଷ୍ଟ ହାଉସ୍‌ରେ ପହଁଚିଥିଲା। ସେଠାରେ ଉପସ୍ଥିତ ପିଅନକୁ ସେ ଫୁଲତୋଡ଼ା ଦେବାସହ ଏହାକୁ ମ୍ୟାନେଜର୍‌ ଗୋସ୍ବାମୀଙ୍କ ନିକଟକୁ ପହଁଚାଇଦେବା ପାଇଁ କହିଥିଲା। ହେଲେ, ନିଜେ ଗୋସ୍ବାମୀଙ୍କୁ ନଭେଟି ଚାଲିଯାଇଥିଲା। ମଧ୍ୟାହ୍ନ ପ୍ରାୟ ଗୋଟାଏ ସମୟରେ ପୁଣିଥରେ ସେଠାକୁ ଆସି ପିଅନଙ୍କ ସହ ପାଟିତୁଣ୍ତ କରିଥିଲା। ଗୋସ୍ବାମୀଙ୍କ ନିକଟକୁ କାହିଁକି ଏହି ଫୁଲତୋଡ଼ା ପଠାଇ ନାହଁ ବୋଲି ପଚାରିବା ସହ ତାଙ୍କୁ ମାଡ଼ ବି ମାରିଥିଲା। ଏହାପରେ, ଦୁର୍ବୃତ୍ତଜଣକ ହଠାତ୍ ଅଣ୍ଟାରୁ ଏକ ବନ୍ଧୁକ ବାହାର କରି ଦୁଇରାଉଣ୍ତ ଗୁଳି ଚଳାଇଥିଲା। ଏଥିରେ ପିଅନ ଜଣକ ଭୟଭୀତ ହୋଇ ସେଠାରୁ ଦୌଡ଼ି ପଳାଇଥିଲେ। ପରେ, ଉକ୍ତ ଯୁବକ ଜଣକ ସେଠାରୁ ଅନ୍ତର୍ଦ୍ଧାନ ହୋଇଯାଇଥିଲା।

Leave A Reply

Your email address will not be published.