‘ସ୍କୁଲ ଆସୁ ନାହାନ୍ତି ୯୬ ଶିକ୍ଷକ, ନିଆଯିବ ଦୃଢ କାର୍ଯ୍ୟାନୁଷ୍ଠାନ’

ଭୁବନେଶ୍ୱର: ଶିକ୍ଷକ ଭାବେ ନିଯୁକ୍ତି ପାଇ ବି ଦୀର୍ଘ ଦିନ ହେଲା ସ୍କୁଲ ମାଟି ମାଡ଼ୁ ନାହାନ୍ତି। ବର୍ଷ ବର୍ଷ ହେବ ସ୍କୁଲ ନ ଆସି ବି ଚାକିରି କରି ଚାଲିଛନ୍ତି। ଶିକ୍ଷକ ଅଭାବରୁ ରାଜ୍ୟରେ ପିଲାଙ୍କ ପାଠପଢ଼ା ବ୍ୟାହତ ହେଉଥିବା ବେଳେ ଏମାନେ କିନ୍ତୁ ଚାକିରି କରି ବି ଘରେ ବସି ରହିଛନ୍ତି। ଏପରି ଶିକ୍ଷକଙ୍କୁ ଏବେ ଟାର୍ଗେଟ କରିଛି ଶିକ୍ଷା ବିଭାଗ । ଏଯାବତ ୪୦ ଜଣ ପାଖାପାଖି ଶିକ୍ଷକ ନିଲମ୍ବିତ ହୋଇ ସାରି ଥିବା ବେଳେ ଆଉ ୯୬ ଶିକ୍ଷକଙ୍କ ତାଲିକା ପ୍ରସ୍ତୁତ କରିଛି ଶିକ୍ଷା ବିଭାଗ । ସେମାନଙ୍କ ପତ୍ତା ମିଳୁ ନ ଥିବା ବେଳେ ସେମାନଙ୍କ ବିରୋଧରେ ଦୃଢ କାର୍ଯ୍ୟାନୁଷ୍ଠାନ ପାଇଁ ପ୍ରକ୍ରିୟା ଆରମ୍ଭ ହୋଇଛି ବୋଲି କହିଛନ୍ତି ଶିକ୍ଷା ମନ୍ତ୍ରୀ ସମୀର ଦାସ ।ସାମ୍ବାଦିକଙ୍କୁ ସୂଚନା ଦେଇ ମନ୍ତ୍ରୀ ଦାସ କହିଛନ୍ତି,  ସାରା ରାଜ୍ୟରେ ପାଖାପାଖି ୯୬ ଶିକ୍ଷକ ଦୀର୍ଘ ଦିନ ହେଲା ଅନୁପସ୍ଥିତ ରହିଛନ୍ତି । ୨ ଥର ନୋଟିସ ଦିଆଯିବା ପରେ ବି ସେମାନେ କାର୍ଯ୍ୟରେ ଯୋଗ ଦେଉ ନାହାନ୍ତି।କେବଳ ସେତିକି ନୁହେଁ ଜିଲ୍ଲାପାଳଙ୍କ ଦ୍ୱାରା ଯେଉଁମାନେ ଶିକ୍ଷା ସହାୟକ ଭାବେ ନିଯୁକ୍ତି ପାଇଛନ୍ତି, ଚୁକ୍ତି ସରିଯିବା ପରେ ବି ଏହାକୁ ପୁନଃ ଚୁକ୍ତି କରିବାକୁ ସେମାନେ ଆସୁ ନାହାନ୍ତି।  ଏପରି ୯୬ ଶିକ୍ଷକଙ୍କ ତାଲିକା ପ୍ରସ୍ତୁତ ହୋଇଛି।  ସେମାନଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ପାଇଁ ପ୍ରକ୍ରିୟା ଆରମ୍ଭ ହୋଇଛି। ସୂଚନାଯୋଗ୍ୟ, ଦୀର୍ଘ ଦିନ ହେଲା କାର୍ଯ୍ୟରେ ଅନୁପସ୍ଥିତି ହେତୁ କିଛି ଦିନ ପୂର୍ବରୁ ମାଲକାନଗିରି ଜିଲ୍ଲାର ୧୦ କନିଷ୍ଠ ଶିକ୍ଷକଙ୍କ ସମେତ ନବରଙ୍ଗପୁର ଜିଲ୍ଲାର ୨୪ ଶିକ୍ଷକଙ୍କୁ ଚାକିରିରୁ ବିଦା କରାଯାଇଛି। ଏବେ ଏହି ପ୍ରକ୍ରିୟାକୁ ଅଧିକ ତ୍ୱରାନ୍ୱିତ କରାଯିବ ବୋଲି କହିଛନ୍ତି ମନ୍ତ୍ରୀ । ରାଜ୍ୟରେ ଶିକ୍ଷକ ଅଭାବ ହେତୁ ପିଲାଙ୍କ ପାଠପଢ଼ା ବାଧାପ୍ରାପ୍ତ ହେଉଥିବା ବେଳେ ଶିକ୍ଷକମାନେ ବର୍ଷ ବର୍ଷ ଧରି ସ୍କୁଲ ନ ଆସିବା ଘଟଣାକୁ ନେଇ ଶିକ୍ଷାବିତମାନେ ଉଦ୍‌ବେଗ ପ୍ରକାଶ କରିଥିଲେ। ଏହାପରେ ଶିକ୍ଷାବିଭାଗ ପକ୍ଷରୁ ଏହି ଘଟଣାର ତଦନ୍ତ ଆରମ୍ଭ ହୋଇ ସମଗ୍ର ରାଜ୍ୟରେ ଥିବା ସ୍କୁଲମାନଙ୍କରେ ଅନୁପସ୍ଥିତ ଥିବା ଶିକ୍ଷକଙ୍କ ତାଲିକା ମଗାଯାଉଛି।

Leave A Reply

Your email address will not be published.