ଦେଶର ୩ ଶ୍ରେଷ୍ଠ ଥାନା ମଧ୍ୟରେ ଓଡ଼ିଶାର ଆସିକା

ଭୁବନେଶ୍ୱର : ଓଡ଼ିଶା ପାଇଁ ଖୁସି ଖବର। ସର୍ବ ଭାରତୀୟ ସ୍ତରରେ ୩ ଶ୍ରେଷ୍ଠ ଥାନା ମଧ୍ୟରେ ଅନ୍ୟତମ ଭାବେ ମାନ୍ୟତା ପାଇଛି ଗଞ୍ଜାମ ଜିଲ୍ଲାର ଆସିକା ଥାନା। ଏନେଇ କେନ୍ଦ୍ର ଗୃହ ମନ୍ତ୍ରଣାଳୟ ପକ୍ଷରୁ ସୂଚନା ଦିଆଯାଇଛି। ୧୬୫ଟି ବର୍ଗରେ ଏହି ସର୍ଭେ କରାଯାଇଥିଲା। ଏଥିରେ ଆସିକା ୯୪.୫୪% ମାର୍କ ହାସଲ କରିଛି। ମାମଲାର ତ୍ୱରିତ ପଦକ୍ଷେପ, ଉତ୍ତମ ବ୍ୟବହାର, ସଚ୍ଚୋଟ କର୍ମଚାରୀ, ସଫାସୁତୁରା, ଅଞ୍ଚଳବାସୀଙ୍କ ବୟାନ ଭଳି ୧୬୫ ବର୍ଗରେ ସର୍ବ ଭାରତୀୟ ସ୍ତରରେ ରେକର୍ଡ କରିଛି। ଆସିକା ଥାନାର ସଫଳତା ପରେ ଏସପି ଓ ଥାନା ଅଧିକାରୀ ପ୍ରଶାନ୍ତ ସାହୁଙ୍କୁ ସାଧୁବାଦ ଜଣାଇଛନ୍ତି ଦକ୍ଷିଣାଞ୍ଚଳ ପୁଲିସ ଆଇଜି ସତ୍ୟବ୍ରତ ଭୋଇ। ପ୍ରଶାନ୍ତ ସାହୁ ଥାନାର ଅଧିକାରୀ ଦାୟିତ୍ୱରେ ୨୦୧୯ ମସିହା ଅଗଷ୍ଟ ମାସରୁ ରହିଛନ୍ତି। ସ୍ଥାନୀୟ ଅଞ୍ଚଳରେ ତ୍ୱରିତ ଅପରାଧ ଦମନ ଏବଂ ପୁଲିସ୍ ଓ ସାଧାରଣ ଲୋକଙ୍କ ମଧ୍ୟରେ ଉତ୍ତମ ବୁଝାମଣା ପାଇଁ ଉଲ୍ଲେଖନୀୟ କାମ କରିଛନ୍ତି। ଥାନା ଅଧିକାରୀ ପ୍ରଶାନ୍ତ ସାହୁଙ୍କ ପ୍ରଚେଷ୍ଟା ବଳରେ ଆସିକା ଥାନା ସଫଳତା ପାଇଥିବା କହିଛନ୍ତି ଅଞ୍ଚଳବାସୀ। ପୂର୍ବରୁ ୨୦୨୨ ମସିହାରେ ମଧ୍ୟ ଆସିକା ଥାନା ଦେଶର ଶ୍ରେଷ୍ଠ ୩ ଥାନା ମଧ୍ୟରେ ସ୍ଥାନ ଅଧିକାର କରିଥିଲା।

Leave A Reply

Your email address will not be published.