ଧସୁଛି ଯୋଶୀମଠ: ବିସ୍ଥାପିତଙ୍କୁ ମିଳିବ ମାସିକ ୪ ହଜାର

ନୂଆଦିଲ୍ଲୀ: ବଢ଼ି ଚାଲିଛି ଯୋଶୀମଠର ବିପଦ। ଉତ୍ତରାଖଣ୍ଡର ଯୋଶୀମଠର ସହର ଦବି ଚାଲିଥିବାରୁ ଭୟଙ୍କର ଫାଟ ସୃଷ୍ଟି ହୋଇଛି। ଶଙ୍କରାଚାର୍ଯ୍ୟ ମାଧବ ଆଶ୍ରମ ମନ୍ଦିରର ଶିବଲିଙ୍ଗରେ ଫାଟ ଦେଖାଦେଇଛି। ଆଶ୍ରମର କେତେକ ଅଂଶ ଦବିଥିବା ଦେଖିବାକୁ ମିଳିବା ପରେ ସତର୍କତା ଅବଲମ୍ବନ କରାଯାଉଛି। ମୁଖ୍ୟମନ୍ତ୍ରୀ ପୁଷ୍କର ସିଂହ ଧାମୀ ଯୋଶୀମଠ ପହଞ୍ଚି ପ୍ରଭାବିତ ପରିବାରଙ୍କୁ ଭେଟିଛନ୍ତି। ସହରରେ ପ୍ରାୟ ୬୦୦ରୁ ଅଧିକ ସ୍ଥାନରେ ବିଶାଳକାୟ ଫାଟ ହୋଇଛି। ଯେ କୌଣସି ମୁହୂର୍ତ୍ତରେ ଘର ଭୁଶୁଡ଼ିଯିବା ଭୟ ରହିଛି। ଦୁଇ ଦିନ ଭିତରେ ୧୦ରୁ ଅଧିକ ଘର ଭୁଶୁଡ଼ିଛି। ଏଥିପାଇଁ ଲୋକମାନେ ପ୍ରବଳ ଥଣ୍ଡାରେ ଘର ବାହାରେ ଅସ୍ଥାୟୀ ଶିବିରରେ ରହୁଛନ୍ତି। ଧାମୀ ଯୋଶୀମଠ ସହର‌ରେ ପହଞ୍ଚିବା ପୂର୍ବରୁ ଏରିଏଲ ସର୍ଭେ କରିଛନ୍ତି। ରାସ୍ତାଘାଟ, ଘର, ଜମିରେ ବଡ଼ ବଡ଼ ଗର୍ତ୍ତ ହୋଇଯାଇଛି। ସମଗ୍ର ସହର ପୋତି ହୋଇଯିବା ଆଶଙ୍କା ପ୍ରକାଶ ପାଇଛି। ମୁଖ୍ୟମନ୍ତ୍ରୀ ପ୍ରଭାବିତ ଅଞ୍ଚଳରେ ସର୍ବେକ୍ଷଣ କରିବାପରେ ବରିଷ୍ଠ ଅଧିକାରୀମାନଙ୍କ ସହ ବୈଠକ କରିଛନ୍ତି। ମୁଖ୍ୟମନ୍ତ୍ରୀ କହିଛନ୍ତି, ‘ଯୋଶୀମଠର ପ୍ରତ୍ୟେକ ବାସିନ୍ଦାଙ୍କୁ ସୁରକ୍ଷିତ ରଖିବା ଆମର ପ୍ରାଥମିକତା। ଲୋକଙ୍କୁ ସୁରକ୍ଷିତ ସ୍ଥାନ‌ରେ ରଖିବାପାଇଁ ଚେଷ୍ଟା ଜାରି ରଖିଛୁ।’ ପିପଲକୋଟି ଓ ଗୌଚରର ବିସ୍ଥାପିତ ଲୋକଙ୍କୁ ପୁର୍ନବସତି କରାଯିବ। ଏଥିପାଇଁ ଜମି ଚୟନ ଆରମ୍ଭ ହୋଇଯାଇଛି। ସମସ୍ତ ବିସ୍ଥାପିତ ଲୋକଙ୍କୁ ମାସିକ ୪ ହଜାର ଟଙ୍କା ଦେବାକୁ ଉତ୍ତରାଖଣ୍ଡ ସରକାର ଘୋଷଣା କରିଛନ୍ତି। ବସବାସ କରୁଥିବା ପ୍ରାୟ ୨୫ ହଜାର ଲୋକ ପ୍ରଭାବିତ ହୋଇଛନ୍ତି। ସେହି ଅଞ୍ଚଳର ଅଧିକ କ୍ଷତିଗ୍ରସ୍ତ ଘରକୁ ତୁରନ୍ତ ଭାଙ୍ଗିଦେବା ସହ ନିର୍ମାଣ କାମ ଉପରେ ରୋକ ଲଗାଇବାକୁ ପରାମର୍ଶ ଦିଆଯାଇଛି। ଅନ୍ୟପକ୍ଷେ ଉତ୍ତରାଖଣ୍ଡ ଯୋଶୀମଠ ସହରର ସ୍ଥିତି ଅନୁଧ୍ୟାନ କରିବା ପରେ କେନ୍ଦ୍ର ଓ ରାଜ୍ୟ ସରକାରଙ୍କୁ ରିପୋର୍ଟ ଦେଇଛନ୍ତି ବିଶେଷଜ୍ଞ ଟିମ୍। ବିପଦପୂର୍ଣ୍ଣ ଅବସ୍ଥାରେ ଥିବା ଘରକୁ ଚିହ୍ନଟ କରି ଜରୁରୀକାଳୀନ ଭିତ୍ତିରେ ଭାଙ୍ଗିବାକୁ ନିଜ ରିପୋର୍ଟରେ ପରାମର୍ଶ ଦେଇଛନ୍ତି ବିଶେଷଜ୍ଞ ଟିମ୍। ଧିରେ ଧିରେ ଭୂଗର୍ଭରେ ଯୋଶୀମଠ ସହର ଧସି ଯାଉଥିବାରୁ ଉଭୟ କେନ୍ଦ୍ର ଓ ରାଜ୍ୟ ସରକାର ଲୋକଙ୍କୁ ସୁରକ୍ଷିତ ରଖିବା ପାଇଁ ପଦକ୍ଷେପ ଗ୍ରହଣ କରିଛନ୍ତି। ଏହାର ସ୍ଥିତି ଅନୁଧ୍ୟାନ କରିଛନ୍ତି ବିପର‌୍ୟ୍ୟୟ ପରିଚାଳନା ବିଭାଗର ୮ ଜଣିଆ ବିଶେଷଜ୍ଞ ଟିମ୍। ଜାନୁୟାରୀ ୫ ଓ ୬ ତାରିଖ ଦୁଇ ଦିନ ଧରି ଯୋଶୀମଠରେ ଫିଲଡ ସର୍ଭେ କରିବା ପରେ ରିପୋର୍ଟ ଦେଇଛନ୍ତି।

Leave A Reply

Your email address will not be published.