ରାଜଧାନୀ ଛାତି ଉପରେ ଆତଙ୍କରାଜ; ବସ୍‌ରେ ଆସି ବାର୍‌ରେ କଲେ ଭଙ୍ଗାରୁଜା, ୩୪ ବନ୍ଧା ହେଲେ

ଭୁବନେଶ୍ୱର : କିଛି ଦିନ ବ୍ୟବଧାନ ପରେ ପୁଣି ଥରେ ରାଜଧାନୀର ଛାତି ଉପରେ ଆତଙ୍କରାଜ ଖେଳାଇଲେ ଦଳ ଦଳ ଯୁବକ । ଏକ ବାର୍‌ରେ ପ୍ରବେଶ ଅନୁମତି ନ ମିଳିବାରୁ ତାଣ୍ଡବ ରଚାଇଲେ କିଛି ଅସାମାଜିକ ଯୁବକ । ଏକ ବସ୍‌ ସମେତ କେତେକ ଗାଡ଼ିରେ ଆସି ତାଣ୍ଡବ ରଚାଇଲେ, ବ୍ୟାପକ ଭଙ୍ଗାରୁଜା ବି କଲେ। ଚନ୍ଦ୍ରଶେଖରପୁର ଥାନାଠାରୁ ମାତ୍ର ଅଳ୍ପ ଦୂରରେ ଏହି ଘଟଣା ଘଟିଥିବା ବେଳେ ସେଠାରେ ଉପସ୍ଥିତ ପୁଲିସ୍‌ କର୍ମୀ ବି ମୁକସାକ୍ଷୀ ପାଲଟିଥିଲେ। ସେମାନଙ୍କ ଆଗରେ ଅସାମାଜିକ ଯୁବକମାନେ ହଙ୍ଗାମା କରୁଥିବା ବେଳେ ପୁଲିସ୍‌ ସାଜିଥିଲା ନିରବଦ୍ରଷ୍ଟା। ଗଣମାଧ୍ୟମରେ ଏହା ଚର୍ଚ୍ଚାର ବିଷୟ ପାଲଟିବା ପରେ ପୁଲିସ୍‌ ଏଥିରେ ସମ୍ପୃକ୍ତ ୩୪ ଜଣଙ୍କୁ ଗିରଫ କରିଛି। ହେଲେ ଏକ ରାଜନୈତିକ ଦଳର ଜଣେ ଛାତ୍ର ନେତା ଏହି ଘଟଣାର ମାଷ୍ଟର ମାଇଣ୍ଡ ହୋଇଥିବା ଅନୁମାନ କରାଯାଉଥିବା ବେଳେ ତାଙ୍କୁ କିନ୍ତୁ ଧରିବାରେ ସଫଳ ହୋଇନି ପୁଲିସ୍‌ । ଏପରି ଛାତିଥରା ଘଟଣା ଗତ ଶନିବାର ରାତିରେ ରାଜଧାନୀ ଛାତି ଉପରେ ଚନ୍ଦ୍ରଶେଖରପୁର ଅଞ୍ଚଳର ଥିବା ଏକ କ୍ଲବ ସମ୍ମୁଖରେ ଘଟିଥିଲା। ଛାତ୍ରନେତାଜଣକ ଏକ ବାର୍‌ରେ ପ୍ରବେଶ କରିବାକୁ ଇଚ୍ଛୁକ ଥିବା ବେଳେ ତାଙ୍କୁ କିନ୍ତୁ ଅନୁମତି ମିଳି ନ ଥିଲା। ଏଥିରେ ଉତ୍ତ୍ୟକ୍ତ ହୋଇ ସେ ନିଜର କିଛି ସହଯୋଗୀଙ୍କୁ ଫୋନ୍‌ କରିଥିଲେ। କିଛି ସମୟ ମଧ୍ୟରେ ଏକ ବସ୍‌ ସମେତ ଆଉ କିଛି ଗାଡ଼ିରେ ବହୁ ଯୁବକ ଅସି ରୁଣ୍ଡ ହେଲେ। ଏହାପରେ ବାର୍‌ ସମ୍ମୁଖରେ ଆରମ୍ଭ ହୋଇଗଲା ତାଣ୍ଡବ । ପ୍ରଥମେ ନିକଟସ୍ଥ ଇଲେକ୍ଟ୍ରି ଖୁଣ୍ଟ ତାରକୁ ସର୍ଟସର୍କିଟ କରି ଦେଇଥିଲେ। ଫଳରେ ତାହା ବ୍ଲାଷ୍ଟ ହୋଇ ଲାଇନ୍‌ କଟିଗଲା। ଏହାପରେ ସେମାନେ ପ୍ରାୟ ୪୦ ମିନିଟରୁ ଅଧିକ ସମୟ ଆତଙ୍କ ରାଜ ଚଳାଇଥିଲେ। ବ୍ୟାପକ ଭଙ୍ଗାରୁଜା କରିବା ସହ ପିଟାପିଟି ବି କରିଥିବା ଜଣାଯାଇଛି।

Leave A Reply

Your email address will not be published.