ନିଦରେ ‘ନିରାମୟ’ କର୍ମଚାରୀ, ଔଷଧ ମାଗି ମାଗି ରୋଗୀଙ୍କ ସମ୍ପର୍କୀୟ ହାଲିଆ

ବ୍ରହ୍ମପୁର :“ ଭାଇ ମେଡିସନ୍‌ ଦିଅ,ଏମରଜେନ୍ସି ଅଛି’, ଯଦି ମେଡିସନ୍‌ ନଥିବ ମୁଁ ବାହାରୁ କିଣିବି। ”ଏମିତି କହି ଡୋରକୁ ବାଡ଼େଇ ଚାଲିଛନ୍ତି ରୋଗୀଙ୍କ ସମ୍ପର୍କୀୟ। ଦୋକାନ ଭିତରେ ନିଦରେ ଶୋଇ ପଡ଼ିଛନ୍ତି ନିରାମୟ ଔଷଧ ଦୋକାନର କର୍ମଚାରୀ। ଯେତେ ଡୋର ବାଡ଼େଇଲେ ବି ତାଙ୍କ ନିଦ ଭାଙ୍ଗୁ ନାହିଁ। ଅନ୍ୟପକ୍ଷରେ ଔଷଧ ମାଗି ମାଗି ରୋଗୀଙ୍କ ସମ୍ପର୍କୀୟ ହାଲିଆ ହୋଇପଡ଼ିଲେଣି। ଏପରି  ଦୃଶ୍ୟ  ଦେଖିବାକୁ ମିଳିଛି ବ୍ରହ୍ମପୁର ଏମ୍‌କେସିଜି ମେଡିକାଲର ନିରାମୟ ଔଷଧ କାଉଣ୍ଟରରେ। ଏହି ଭିଡିଓଟି ସୋଶାଲ ମିଡିଆରେ ଭାଇରାଲ ହେଉଛି। ଏହି ଭିଡିଓରେ ରୋଗୀଙ୍କ ସମ୍ପର୍କୀୟ ଡାକ୍ତରଙ୍କ ପ୍ରେସକ୍ରିପସନ୍ ଦେଖାଇ ସଂପୃକ୍ତ କର୍ମଚାରୀଙ୍କୁ ଔଷଧ ଦେବାକୁ କହୁଛନ୍ତି। କିନ୍ତୁ ନିଦରେ ଶୋଇଥିବା କର୍ମଚାରୀ ଜଣଙ୍କ ସେଥିପ୍ରତି ଆଦୌ କର୍ଣ୍ଣପାତ କରୁନଥିବା ଦେଖିବାକୁ ମିଳୁଛି। ରୋଗୀଙ୍କ ସମ୍ପର୍କୀୟଙ୍କ ବ୍ୟସ୍ତତା ପ୍ରତି ତାଙ୍କର ଆଦୌ ସମ୍ବେଦନଶୀଳତା ନଥିବା ଦେଖାଯାଉଛି। ତେବେ ରୋଗୀଙ୍କ ସମ୍ପର୍କୀୟ ଜଣକ ଦୀର୍ଘ ସମୟ ଧରି କର୍ମଚାରୀଙ୍କୁ  ଡାକିବା ପରେ କର୍ମଚାରୀ ଜଣଙ୍କ ନିଦରୁ ଉଠୁଥିବା ଦେଖିବାକୁ ମିଳୁଛି। ରୋଗୀ ସମ୍ପର୍କୀୟଙ୍କ ପାଖରୁ ପ୍ରେସକ୍ରିପସନ୍ ନେଇ ଟେବୁଲ ଉପରେ ରଖି ଦେଉଛନ୍ତି, ଅଳସ ଭିଡି ହେଉଛନ୍ତି। ପରେ ପ୍ରେସକ୍ରିପସନ୍‌ ଦେଖି ବିଳିବିଳି ହୋଇ କ’ଣ କହି ହେଉଛନ୍ତି।   କିଛି ସମୟ ପରେ ଯାଇ ମେଡିସିନ୍ ଦେଉଥିବା ଭିଡିଓରେ ଦେଖିବାକୁ ମିଳୁଛି। ଭିଡିଓଟି ଦୁଇ ଦିନ ତଳର ବୋଲି ଜଣାପଡ଼ିଛି। ଏନେଇ ମେଡିକାଲ କର୍ତ୍ତୃପକ୍ଷଙ୍କ କୌଣସି ପ୍ରତିକ୍ରିୟା ମିଳିନାହିଁ।

Leave A Reply

Your email address will not be published.