ସମ୍ପର୍କରେ ବିଷ ମିଶାଇଲା ସାବତ ମା’: ନିଜ ଝିଅକୁ ପୋଡ଼ି ପାଉଁଶ କଲା ବାପା

କୋଣାର୍କ : ସମ୍ପର୍କରେ ବିଷ ମିଶାଇଲା ସାବତ ମା’ । ଯେଉଁ ବାପା ଅଳି ଅଝଟ ସହି ଛୋଟରୁ ବଡ଼ କରିଥିଲେ ସିଏ ହିଁ ସାଜିଲେ ନିଜ ଝିଅର ହତ୍ୟାକାରୀ।  ସାବତ ମା’ ଓ ସାବତ ମାମୁଁ ସହ ମିଶି ଝିଅକୁ ମାରି ପୋଡ଼ି ପାଉଁଶ କରିଦେଲେ। ଏ ସମ୍ପର୍କରେ ଜାଣିବା ପରେ ମୃତା ଯୁବତୀଙ୍କ ବଡ଼ ଭଉଣୀ ୩ ଜଣଙ୍କ ଥାନାରେ ଅଭିଯୋଗ କରିଛନ୍ତି। ପୁଲିସ୍‌ ଅଭିଯୁକ୍ତଙ୍କୁ ଥାନାରେ ଅଟକ ରଖି ପଚରାଉଚରା କରୁଛି। ଏପରି ଅମାନବୀୟ ଘଟଣା ପୁରୀ ଜିଲ୍ଲା ଗୋପ ବ୍ଳକ ବନ୍ତୁଳିଗାଁ ପଞ୍ଚାୟତ ବିଜିପୁର ଗାଁରେ ଘଟିଛି। ମୃତା ଯୁବତୀ ହେଲେ ଦୁର୍ଗାଚରଣ ମହାରଣାଙ୍କ ସାନ ଝିଅ ମୋନାଲି ମହାରଣା । ଦୁର୍ଗାଚରଣ ମହାରଣାଙ୍କ ପ୍ରଥମ ସ୍ତ୍ରୀ ଗତ ୨୦୧୮ରେ ଆଖି ବୁଜିଥିଲେ।   ମା’ଙ୍କ ମୃତ୍ୟୁ ପରେ ତାଙ୍କର ଦୁଇଟି ଝିଅ ରଞ୍ଜିତା ଓ ମୋନାଲି ବାପାଙ୍କ ପାଖରେ ରହୁଥିଲେ । ବଡ଼ ଭଉଣି ରଞ୍ଜିତା କଲିକତାରେ ଏକ ଘରୋଇ ଅଫିସରେ କାର୍ଯ୍ୟ କରିବା ସହ  ସାନ ଭଉଣୀଙ୍କୁ ଗୋପ ମହାବିଦ୍ୟାଳୟରେ +୩ ର ପର୍ଯ୍ୟନ୍ତ ପାଠ ପଢାଉଥିଲେ। ବାପା ଦୁର୍ଗାଚରଣ ୨୦୨୦ରେ ଦ୍ୱିତୀୟ ବିବାହ କରିବା ପରେ ରଞ୍ଜିତା ଓ ମୋନାଲିଙ୍କ ଜୀବନରେ କଳା ବାଦଲ ଘୋଟି ଆସିଲା।  ରଞ୍ଜିତା କୋଲକତାରେ ରହୁଥିବା ବେଳେ ମୋନାଲି ସବୁବେଳେ ଫୋନ୍ ଯୋଗେ ବଡ ଭଉଣୀକୁ ସାବତ ମା’ର ନିର୍ଯାତନା କଥା ଜଣାଉଥିଲା। ରଞ୍ଜିତା ଗୋପ ଥାନାରେ ଗତକାଲି କରିଥିବା ଲିଖିତ ଅଭିଯୋଗ ଅନୁଯାୟୀ, ଗତ ୭ ତାରିଖ ରାତ୍ରିରେ ମୋନାଲିଙ୍କୁ ତାଙ୍କ ବାପାଙ୍କ ସମେତ ତାଙ୍କ ସାବତ ମା’ ମମତା ଓଝା ଓ ସାବତ ମା’ଙ୍କ ଭାଇ ଜୀବନ ଓଝା ମିଶି ହତ୍ୟା କରିଥିଲେ। ଏହାପରେ ରାତିରେ ମୃତଦେହକୁ ଗାଁ ଶ୍ମଶାନକୁ ନେଇ ପୋଡି ଦେଇଥିଲେ। କେହି ଯେପରି କିଛି ସୁରାଗ ନ ପାଇବେ ପ୍ରମାଣ ଲୁଚାଇବା ପାଇଁ ମଶାଣିକୁ ଧୋଇ ସଫା କରି ଦେଇଥିଲେ।

Leave A Reply

Your email address will not be published.