ନିଜେ ଭିନ୍ନକ୍ଷମ ହୋଇ ବି ସକ୍ଷମ କେଶବ, ଫଥର ଫୁଟାଇ ଚିପସ ତିଆରି କରି ପୋଷୁଛନ୍ତି ପରିବାର

ରାୟଗଡା: କଥାରେ ଅଛି ଇଛାଶକ୍ତି ଥିଲେ ପଙ୍ଗୁ ମଧ୍ୟ ପାହାଡ ଚଢି ପାରିବ। ସେହିଭଳି ଏକ ଘଟଣା ଦେଖିବାକୁ ମିଳିଛି ରାୟଗଡା ଜିଲ୍ଲାର କାଶୀପୁର ବ୍ଳକର ପୁକିମସ୍କା ଗାଁରେ। ଏହି ଗାଁର କେଶବ ନାୟକ । ଯିଏ କି ଜଣେ ଭିନ୍ନକ୍ଷମ। ଦୁର୍ଘଟଣାରେ ନିଜର ଡାହାଣ ହାତ ହରାଇଥିଲେ କେଶବ। ହେଲେ ହରାଇନଥିଲେ ନିଜା ମନୋବଳ। ନିଜକୁ ପଥର ଭଳି ମଜବୁତ କରିବର ସହିତ ସମ୍ମାନର ସହିତ ଜୀବନ ଜିବିକା ର୍ନିବାହ କରି ପରିବାର ଚଳାଇ ପାରୁଛନ୍ତି ସେ। ରାୟଗଡା ଜିଲ୍ଲାର ସଦର ମହକୁମା ଠାରୁ ୭୦ କିଲୋମିଟର ଦୂରରେ ରହିଛି କାଶୀପୁର ବ୍ଳକର ଦୁର୍ଗମ ପୁକିମସ୍କା ଗାଁ । ଏହିଗାଁର କେଶବ ଜଣେ ଦକ୍ଷ କରାଟେ ଖେଳାଳି ଥିଲେ। କରାଟେରେ ସେ ବ୍ଳାକବେଲ୍ଟ ମଧ୍ୟ ପାଇଥିଲେ । ନିଜ ପରିଶ୍ରମ ବଳରେ ସେ କେରଳର ଗୋଟିଏ କମ୍ପାନୀରେ କାମ ମଧ୍ଯ କରୁଥିଲେ। ହେଲେ ଠିକ୍ ସେହି ସମୟରେ ତାଙ୍କ ଡାହାଣ ହାତ କଟିଗଲା । ଆଉ ତାପରେ ହଠାତ୍ ବଦଳିଗଲା ତାଙ୍କ ଜୀବନ ରେଖା। ତାଙ୍କର ସବୁ ସ୍ୱପ୍ନ ସତେ ଯେମିତି ଧିରେ ଧିରେ ଧୂଳିଷାତ ହେବାକୁ ଲାଗିଲା । ଭିନ୍ନକ୍ଷମ ହେବାପରେ ପରିବାର ପରିପୋଷଣ ଏକ ବଡ ସମସ୍ଯା ଭାବେ ଉଭାହେଲା ତାଙ୍କ ସାମ୍ନାରେ। ଜଣେ ଦକ୍ଷ ଖେଳାଳୀ ହୋଇଥିବାରୁ ପୁଣି ନିଜ ମନୋବଳକୁ ଦୃଢ କରି ବଞ୍ଚିବାର ବାଟ ଖୋଜିଲେ । ସରକାରୀ ସହାୟତା ଭାବେ ମାସକୁ ୫ଶହ ଟଙ୍କା କୁନେଇ ନୀରବ ନରହି ଘର ପଛପଟେ ଥିବା ଫଥର ଫୁଟାଇ ଚିପସ ତିଆରି କରିବା ଆରମ୍ଭ କଲେ। ହେଲେ ଏସବୁ କେତେଦିନ? ବଳଥିବା ଯାଏଁ ସବୁକିଛି ଚଳିବ ତାପରେ ନିଜେ ବଞ୍ଚିବା ଓ ପରିବାରର ଅନ୍ଯ ତିନି ପ୍ରାଣୀଙ୍କୁ ବଞ୍ଚାଇବା କଷ୍ଟକର ବ୍ଯାପାର ହୋଇଯିବ ତାଙ୍କ ପାଇଁ ।କିନ୍ତୁ ତାଙ୍କର ଇଚ୍ଛା ଶକ୍ତି ଓ ଅଦମ୍ଯ ଉଦ୍ୟମ ତଥା ପରିଶ୍ରମ, ଏବେ କାଶୀପୁର ଅଞ୍ଚଳରେ ଚର୍ଚାର ପରିଧି ପାଲଟିଛି। ଏସଙ୍କ୍ରାନ୍ତରେ କାଶୀପୁର ବିଡିଓ ଆମ ପ୍ରତିନିଧିଙ୍କ ଠାରୁ ଜାଣିବାପରେ ପ୍ରଶାସନ ତରଫରୁ ଯଥାସମ୍ଭବ ସହାୟତା ଯୋଗାଇ ଦିଆଯିବ ବୋଲି କହିଛନ୍ତି । ଆଜିକାଲି ସମାଜରେ ଟଙ୍କା ପାଇଁ ସୁସ୍ଥ ସବଳ ଲୋକେ କୋଢିଆଙ୍କ ଭଳି ଆଚରଣ କରୁଛନ୍ତି। ପରିଶ୍ରମ ନକରି ୟା ଆଗରେ ତା ଆଗରେ ହାତ ପତାଉଛନ୍ତି। ଏଭଳି ଘଟଣା ଆମେ ପ୍ରତିଦିନ ଆମ ଆଖପାଖରେ ଦେଖିବାକୁ ପାଉଛେ। ହେଲେ ନିଜେ ଭିନ୍ନକ୍ଷମ ହୋଇ ସକ୍ଷମଙ୍କ ପରି ଜୀବନ ବିତାଉଥିବା କେଶବ କିନ୍ତୁ ଅନ୍ଯ ମାନଙ୍କ ପାଇଁ ଏକ ଉଦାହରଣ ପାଲଟିଛନ୍ତି କହିଲେ ଭୁଲ୍ ହେବ ନାହିଁ ।

Leave A Reply

Your email address will not be published.