୨ ବର୍ଷ ଛୁଆର ତଣ୍ଟି କାଟି ନିଜେ ଝୁଲି ପଡ଼ିଲେ

କଟକ: କଟକର ମଧୁପାଟଣା ଥାନା ଶ୍ରୀରାମନଗର ବସ୍ତିରେ ଆଜି ଘଟିଛି ଚାଞ୍ଚଲ୍ୟକର ଘଟଣା।  ୨ ବର୍ଷର ଛୁଆର ତଣ୍ଟି କାଟି ସାବତ ମା’ ଝୁଲି ପଡ଼ିଥିବା ଘଟଣା ସାମନାକୁ ଆସିଛି । ଆଜି ସକାଳେ ମହିଳାଜଣକ କବାଟ ନ ଖୋଲିବାରୁ ପଡ଼ୋଶୀଙ୍କ ସନ୍ଦେହ ହୋଇଥିଲା। ସେମାନେ କବାଟ ବାଡ଼େଇବାରୁ କେହି ନ ଖୋଲିବାରୁ ସେମାନେ ପୁଲିସ୍‌କୁ ସୂଚନା ଦେଇଥିଲେ। ପୁଲିସ୍‌ କବାଟ ଖୋଲି ଭିତରକୁ ଯିବାରୁ ଚାଞ୍ଚଲ୍ୟକର ଘଟଣା ଦେଖିବାକୁ ପାଇଥିଲା। ଖଟ ଉପରେ ପିଲାଟି ରକ୍ତାକ୍ତ ଅବସ୍ଥାରେ ପଡ଼ିଥିବା ବେଳେ ତା’ର ତଣ୍ଟି କଟା ଯାଇଥିବା ଦେଖିବାକୁ ମିଳିଥିଲା। ଏହାପରେ ଉକ୍ତ ଘରେ ହିଁ  ମହିଳାଜଣକ ଝୁଲୁଥିବା ଦେଖିବାକୁ ମିଳିଥିଲା। ତୁରନ୍ତ ଉଭୟଙ୍କୁ କଟକ ବଡ଼ ମେଡିକାଲ ନିଆଯାଇଥିବା ବେଳେ ସେଠାରେ ଡାକ୍ତର ଉଭୟଙ୍କୁ ମୃତ ଘୋଷଣା କରିଥିଲେ। ମହିଳାଙ୍କ ସ୍ୱାମୀ ସନ୍ତୋଷ ଖୁଣ୍ଟିଆ ସାଲେପୁରରେ ଏକ କମ୍ପାନୀରେ କାମ କରନ୍ତି। ଏନେଇ ତାଙ୍କୁ ଖବର ଦିଆଯାଇଥିବା ବେଳେ ସେ ମେଡିକାଲରେ ପହଞ୍ଚିଛନ୍ତି। ମହିଳାଜଣକ ସନ୍ତୋଷଙ୍କ ଦ୍ୱିତୀୟ ପତ୍ନୀ ହୋଇଥିବା ବେଳେ ପିଲାଟି ପ୍ରଥମ ପତ୍ନୀଙ୍କର ବୋଲି ସୂଚନା ମିଳିଛି। ପୁଲିସ୍‌ ଘଟଣାର ତଦନ୍ତ ଆରମ୍ଭ କରିଥିବା ବେଳେ ଫରେନସିକ ଟିମ୍‌ ପହଞ୍ଚି ନମୁନା ସଂଗ୍ରହ କରିଛନ୍ତି। ସାବତ ମା’ ଓ ଛୁଆ  ମୃତ୍ୟୁର ପ୍ରକୃତ କାରଣ ଉପରୁ ପରଦା ହଟି ନ ଥିବା ବେଳେ ଉଭୟ ପରିବାର ପରସ୍ପର ଉପରେ ଦୋଷାରୋପ କରୁଛନ୍ତି। ସନ୍ତୋଷ ପ୍ରଥମେ ପ୍ରେମ ବିବାହ କରିଥିବା ବେଳେ ତାଙ୍କର ଏକ ପୁତ୍ର ସନ୍ତାନ ଜନ୍ମ ହୋଇଥିଲା। ପ୍ରସବ ପରେ ହିଁ  ସନ୍ତୋଷଙ୍କ ପ୍ରଥମ ପତ୍ନୀଙ୍କ ମୃତ୍ୟୁ ହୋଇଥିଲା। ଏହାପରେ ପିଲାଟିକୁ ତା’ ମାମୁଁ ଘର ଲୋକେ ନେଇ ଯାଇଥିଲେ। ମାତ୍ର ପରେ ସନ୍ତୋଷ ଦ୍ୱିତୀୟ ବିବାହ କରିଥିବା ବେଳେ ତାଙ୍କ ଦ୍ୱିତୀୟ ପତ୍ନୀ ପିଲାଟିର ସବୁ ଦାୟିତ୍ୱ ନେବେ ବୋଲି ପ୍ରତିଶ୍ରୁତି ଦେଇଥିଲେ। ଏହାପରେ ପିଲାଟିକୁ ସେ ନିଜ ପାଖରେ ରଖିଥିଲେ। ମହିଳାଜଣକ ପିଲାଟିକୁ ଖୁବ୍‌ ଭଲ ପାଉଥିଲେ ବି ଉଭୟ ପତିପତ୍ନୀଙ୍କ ମଧ୍ୟରେ ସବୁବେଳେ ଝଗଡ଼ା ଲାଗି ରହୁଥିଲା। ପିଲାଟିକୁ କାଳେ କିଏ ଛଡ଼ାଇ ନେବ ବୋଲି ବି ତାଙ୍କର ସବୁବେଳେ ଡର ରହୁଥିଲା।

Leave A Reply

Your email address will not be published.