ପ୍ରମୋଦଙ୍କ ଅଚଳାଚଳ ସମ୍ପତ୍ତି ଦେଖି ସିବିଆଇ କାବା

ଭୁବନେଶ୍ବର: ଅବସରପ୍ରାପ୍ତ ରେଳବାଇ (ଆଇଆର୍‌ଟିଏସ୍‌) ଅଧିକାରୀ ପ୍ରମୋଦ କୁମାର ଜେନାଙ୍କ ଘରୁ ସିବିଆଇ ଆଜି ଆଉ ୧୭ କେଜି ସୁନା ଓ ନଗଦ ୧ କୋଟି ୬୦ ଲକ୍ଷ ଟଙ୍କା ଜବତ କରିଛି। ଜବତ ସୁନାର ବଜାର ମୂଲ୍ୟ ୯.୫ କୋଟି ଟଙ୍କା ହେବ। ଏହାବ୍ୟତୀତ, ୪.୮୪ କୋଟି ଟଙ୍କାର ଫିକ୍ସ ଡିପୋଜିଟ୍, ତାଙ୍କର ଓ ତାଙ୍କ ପତ୍ନୀଙ୍କ ନାମରେ ଥିବା ୪ଟି ବ୍ୟାଙ୍କ୍‌ ଲକର୍‌ ଓ ଜମିଜମା କାଗଜପତ୍ର ଆଦି ଠାବ କରିଛି। ଆୟ ବହିର୍ଭୂତ ସମ୍ପତ୍ତି ଠୁଳ ଅଭିଯୋଗରେ ଦୁଇ ସପ୍ତାହ ତଳେ ସିବିଆଇ ତାଙ୍କ ଘରେ ଚଢ଼ଉ କରିଥିଲା। ସେତେବେଳେ ତାଙ୍କର ଭୁବନେଶ୍ବର, କଟକ, ଜଗତସିଂହପୁରରେ ଥିବା ଘର ଓ ଅଫିସ୍‌ରେ ଏକକାଳୀନ ଚଢ଼ଉ କରି ସିବିଆଇ ୧ କୋଟି ୯୨ ଲକ୍ଷରୁ ଅଧିକ ଟଙ୍କାର ସ୍ଥା‌ବର ଓ ଅସ୍ଥାବର ସମ୍ପତ୍ତି ଜବତ କରିଥିଲା। ତେବେ ଆଜି ପୁଣିଥରେ ଭୁବନେଶ୍ବର ଶୈଳଶ୍ରୀବିହାର, ଜଗତସିଂହପୁର ଓ କୋଲାକାତାରେ ଚଢ଼ଉ କରି ଏହି ଅଚଳାଚଳ ସଂପତ୍ତି ଠାବ କରିଛି। ବର୍ତ୍ତମାନ ପର୍ଯ୍ୟନ୍ତ ଠାବ ହୋଇଥିବା ସଂପତ୍ତି ତାଙ୍କ ଜୀବନସାରାର ଆୟଠାରୁ ୬୦ ଗୁଣ ଅଧିକ ହେବ ବୋଲି ସିବିଆଇ ଅନୁମାନ କରୁଛି। ତେବେ ତାଙ୍କ ପାଖରେ ଏତେ ଟଙ୍କା କେଉଁଠୁ ଆସିଲା, ସେ ନେଇ ସିବିଆଇ ଅଧିକ ଅନୁସନ୍ଧାନ ଚଳାଇଛି। ପ୍ରମୋଦଙ୍କ ବ୍ୟାଙ୍କ ଆକାଉଣ୍ଟରେ ଟ୍ରାନ୍‌ଜାକସନ ହୋଇଥିବା କୋଟି କୋଟି ଟଙ୍କାର ତଦନ୍ତ ଖୁବ୍‌ଶୀଘ୍ର ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ (ଇଡି) ନିଜ ହାତକୁ ନେଇପାରେ ବୋଲି ସିବିଆଇର ଜଣେ ବରିଷ୍ଠ ଅଧିକାରୀ କହିଛନ୍ତି। ଶ୍ରୀ ଜେନା ୧୯୮୯ ମସିହାରେ ରେଳବାଇରେ ଚାକିରି ଜୀବନ ଆରମ୍ଭ କରିଥିଲେ। ଗତବର୍ଷ ନଭେମ୍ବରରେ ଚାକିରିରୁ ଅବସର ନେଇଥିଲେ। ତେବେ ତାଙ୍କ ବିରୋଧରେ ଆୟ ବହିର୍ଭୂତ ସମ୍ପତ୍ତି ଠୁଳ ନେଇ ଅଭିଯୋଗ ଆସିବା ପରେ ସିବିଆଇ ଚଢ଼ଉ କରି ଗତ ୩ ତାରିଖରେ ତାଙ୍କ ବିରୋଧରେ ଏକ ମାମଲା ରୁଜୁ କରିଥିଲା। ସିବିଆଇର ତଦନ୍ତ ଅନୁଯାୟୀ, ୨୦୦୫ରୁ ୨୦୨୦ ଭିତରେ ଶ୍ରୀ ଜେନା ଓ ତାଙ୍କ ପରିବାର ଲୋକଙ୍କ ସମ୍ପତ୍ତି ୩ କୋଟି ୨୫ ଲକ୍ଷ ରହିଥିଲା। ସେଥିରୁ ୮୮ଲକ୍ଷ ୫୮ହଜାର ଟଙ୍କା ଖର୍ଚ୍ଚ ଯିବାପରେ ୨ କୋଟି ୩୬ ଲକ୍ଷ ଟଙ୍କା ସଂପତ୍ତି ରହିବା କଥା। ହେଲେ, ଏବେ ତାଙ୍କ ସ୍ଥାବର ଓ ଅସ୍ଥାବର ସମ୍ପତ୍ତି ୪ କୋଟି ୨୮ ଲକ୍ଷ ଟଙ୍କାରୁ ଅଧିକ ରହିଛି। ଯାହାକି ତାଙ୍କ ଆୟଠାରୁ ପାଖାପାଖି ୬୦ ଗୁଣ ଅଧିକ ବୋଲି ସିବିଆଇ କହିଛି। ତେଣୁ ଆଜି ସିବିଆଇ ପୁଣିଥରେ ୫ଟି ସ୍ଥାନରେ ଚଢ଼ଉ କରିଥିଲା। ଏପରିକି କୋଟି କୋଟି ଟଙ୍କାର ସଂପତ୍ତି ପ୍ରମୋଦ ନିଜ ସମ୍ପର୍କୀୟଙ୍କ ନାଁରେ ମଧ୍ୟ ରଖିଥିବା ଜଣାପଡ଼ିଛି। ଭୁବନେଶ୍ୱରରେ ଥିବା ଜମିବାଡ଼ିକୁ ନେଇ ଖୋଳତାଡ଼ ଜାରି ରହିଛି। ଏଠାରେ ପ୍ରମୋଦଙ୍କ ନାଁରେ ଥିବା ବିଳାସପୂର୍ଣ୍ଣ ଫ୍ଲାଟ୍, ଘର ଓ ଜମିଜମାର ଅଧିକ ଖୋଳତାଡ଼ ଚଳାଇଛି ସିବିଆଇ।

Leave A Reply

Your email address will not be published.