ଜଳିବ ଉପକୂଳ ଓଡ଼ିଶା; ଏଥର ଭୀଷଣ ତାତି, କମ୍ ବର୍ଷା

ଭୁବନେଶ୍ବର: ଚଳିତ ବର୍ଷ ଗ୍ରୀଷ୍ମ ଋତୁରେ ଆକାଶରୁ ନିଆଁ ଖସିବ। ମୌସୁମୀରେ ବିଶେଷ ବର୍ଷା ହେବ ନାହିଁ। ଉଷ୍ମତା ଚରମସୀମାରେ ରହିବ ବୋଲି ପାଣିପାଗ ବିଜ୍ଞାନୀମାନେ ପୂର୍ବାନୁମାନ କଲେଣି। ଜଳବାୟୁ ପ୍ରକ୍ରିୟା ଲା-ନିନା ନିଷ୍କ୍ରିୟ ହୋଇ ଏଲ୍‌-ନିନୋ ଏହି ବର୍ଷଠାରୁ ସକ୍ରିୟ ହେଉଥିବାରୁ ଚଳିତ ବର୍ଷର ପାଣିପାଗ ଉଷ୍ମ ରହିବ। ୟୁକେ ପାଣିପାଗ ସଂସ୍ଥା, ଅଷ୍ଟ୍ରେଲିଆ ପାଣିପାଗ ସଂସ୍ଥା ତଥା ଆମେରିକାସ୍ଥ କଲମ୍ବିଆ ବିଶ୍ୱବିଦ୍ୟାଳୟ ଦ୍ୱାରା ଜାରି ହୋଇଥିବା ଦୀର୍ଘଅବଧି ଆକଳନ ଅନୁସାରେ ୨୦୨୨ ତୁଳନାରେ ୨୦୨୩ ମସିହାରେ ଗ୍ରୀଷ୍ମ ଋତୁର ଉଷ୍ମତା ଅଧିକ ରହିବ ବୋଲି ଜଣାପଡ଼ିଛି। ଅର୍ଥାତ୍ ଏବର୍ଷ ଦେଶବାସୀ ଗରମରେ ସନ୍ତୁଳି ହେବେ ବୋଲି ଅନୁମାନ କରାଯାଉଛି। ପାଣିପାଗ ବିଜ୍ଞାନୀମାନଙ୍କ କହିବା କଥା ହେଉଛି, ଗତ ୩ ବର୍ଷ ହେଲା ଲଗାତାର ସକ୍ରିୟ ଥିବା ଜଳବାୟୁ ପ୍ରକ୍ରିୟା ଲା-ନିନାର ଚଳିତ ବର୍ଷ ନିଷ୍କ୍ରିୟ ହେବା ସହ ପ୍ରଶାନ୍ତ ମହାସାଗର ଅଞ୍ଚଳରେ ଏଲ୍‌-ନିନୋ ପ୍ରକ୍ରିୟା ସକ୍ରିୟ ହେବାକୁ ଯାଉଛି। ସାଧାରଣ ଭାବେ ଜଳବାୟୁ ପ୍ରକ୍ରିୟା ଲା-ନିନା ସକ୍ରିୟ ରହିଲେ ଗ୍ରୀଷ୍ମ ଋତୁରେ ଭାରତରେ ଉଷ୍ମତା କମ୍‌ ରହିଥାଏ। ସେହିପରି ବିପରୀତ ପ୍ରକ୍ରିୟା ଏଲ-ନିନୋ ସକ୍ରିୟ ରହିଲେ ଉଷ୍ମତା ତୀବ୍ରତର ହୋଇଥାଏ। ଚଳିତବର୍ଷ ଏଲ୍‌-ନିନୋ ସକ୍ରିୟ ହେବାକୁ ଯାଉଥିବାରୁ ମୌସୁମୀ ଋତୁରେ ବର୍ଷାର ପରିମାଣ ମଧ୍ୟ କମିବାର ଯଥେଷ୍ଟ ସମ୍ଭାବନା ରହିଛି। ସାଧାରଣତଃ ବଙ୍ଗୋପସାଗରରେ ସୃଷ୍ଟି ହେଉଥିବା ଲଘୁଚାପ ଦେଶ ତଥା ଆମ ରାଜ୍ୟ ଓଡ଼ିଶାରେ ମୌସୁମୀ ବର୍ଷାକୁ ନିୟନ୍ତ୍ରଣ କରୁଥିବାରୁ ଚଳିତ ବର୍ଷ ରାଜ୍ୟ ଉପରେ ଏହାର ଯଥେଷ୍ଟ ପ୍ରଭାବ ପଡ଼ିବ ଓ ବର୍ଷା କମି ମରୁଡ଼ି ପରିସ୍ଥିତି ସୃଷ୍ଟି ହେବ ବୋଲି ଅନୁମାନ କରାଯାଉଛି।

Leave A Reply

Your email address will not be published.