ହତ୍ୟାକାରୀକୁ ଆଜୀବନ କାରାଦଣ୍ଡ

ରାଇରଙ୍ଗପୁର/ବାଦାମପାହାଡ଼: ରାଇରଙ୍ଗପୁରର ମାନ୍ୟବର ଅତିରିକ୍ତ ଜିଲ୍ଲା ଓ ଦୌରାଜଜ୍ ଦୀପକ୍ କୁମାର ଆଜି ଏକ ହତ୍ୟା ମାମଲାର ଶୁଣାଣି କରି ଜଣେ ଯୁବକଙ୍କୁ ଆଜୀବନ କାରାଦଣ୍ଡରେ ଦଣ୍ଡିତ କରିବା ସହ ୫ହଜାର ଟଙ୍କା ଜରିମାନା ଅନାଦେୟ ୬ମାସ ଅଧିକ କାରାଦଣ୍ଡରେ ଦଣ୍ଡିତ କରିଛନ୍ତି। ମାମଲାର ବିବରଣୀରୁ ପ୍ରକାଶ, ୧୨ ଡିସେମ୍ବର ୨୦୨୦ରେ ବାଦାମପାହାଡ଼ ଥାନା ବାସାଘୁଟୁ ଗ୍ରାମର ଜବାନୀ ହେମ୍ବ୍ରମଙ୍କ ପୁଅ ଦଶରଥ ହେମ୍ବ୍ରମ(୮) ଛେଳି ଚରାଇବା ଯାଇଥିଲା। ଗ୍ରାମର ଲାଲମୋହନ ତିରିଆଙ୍କ ବାଡ଼ିରେ ଛେଳି ପଶି ପରିବା ଖାଇ ନଷ୍ଟ କରିଥିଲା। ଲାଲମୋହନ ଦେଖିବା ପରେ ଉତ୍ତ୍ୟକ୍ତ ହୋଇ ଦଶରଥକୁ ଏକ ବାଡ଼ିରେ ପିଟିଥିଲେ। ତେବେ ଦଶରଥ ଦୌଡ଼ିବାକୁ ଚେଷ୍ଟା କରି ପଳାଉଥିବା ବେଳେ ଲାଲମୋହନ ଏକ ପଥର ପିଙ୍ଗିବାରୁ ଦଶରଥ ମୁଣ୍ଡରେ ବାଜି ତଳେ ପଡ଼ିଯାଥିଲା। ଲାଲମୋହନ ଦୌଡ଼ିଆସି ଛାତିରେ ମାଡି ବସିବା ଫଳରେ ଘଟଣାସ୍ଥଳରେ ହିଁ ଦଶରଥର ମୃତ୍ୟୁ ହୋଇଥିଲା।ମୃତ୍ୟୁ ନିଶ୍ଚିତ ଜାଣି ଲାଲମୋହନ ଶବକୁ ଏକ ବୁଦାମୂଳେ ଲୁଚାଇ ଦେଇଥିଲା। ପରିବାର ଲୋକେ ବହୁ ଖୋଜାଖୋଜି କରି ଦଶରଥକୁ ପାଇନଥିଲେ। ଦୁଇଦିନ ପରେ ଅର୍ଥାତ୍‌ ୧୪ ତାରିଖ ଦିନ ମୃତଦେହ ବୁଦାମୂଳରୁ ମିଳିଥିଲା। ତେବେ ଘଟଣା​ ସମୟରେ ନାବାଳକର ଜଣେ ସାଙ୍ଗ ଦେଖିଥିଲେ ଏବଂ ସେ ଘଟଣା ସମ୍ପର୍କର ପ୍ରକାଶ କରିଥିଲେ। ନାବାଳକର ମାଆ ଜବାନୀ ହେମ୍ବ୍ରମ ବାଦାମପାହାଡ଼ ଥାନାରେ ଏକ ହତ୍ୟା ଅଭିଯୋଗ କରିଥିଲେ। ଏନେଇ ଥାନାରେ ଏକ ହତ୍ୟା ମାମଲା ରୁଜୁ ହୋଇ ପୁଲିସ ତଦନ୍ତ ଚଳାଇଥିଲା। ଆଜି ମାନ୍ୟବର ଜଜ୍‌ ଦୀପକ କୁମାର ଉକ୍ତ ମାମଲାର ୧୦ ଜଣ ସାକ୍ଷୀଙ୍କ ବୟାନକୁ ଭିତ୍ତି କରି ହତ୍ୟାକାରୀ ଲାଲମୋହନ ତିରିଆଙ୍କୁ ଆଜୀବନ କାରାଦଣ୍ଡରେ ଦଣ୍ଡିତ କରିଛନ୍ତି। ସମ୍ବେଦନଶୀଳ ମାମଲାକୁ ସରକାରୀ ଓକିଲ ପଙ୍କଜ କୁମାର ଦାସ ପରିଚାଳନା କରୁଥିଲେ।

Leave A Reply

Your email address will not be published.