ବିଦ୍ୟାଳୟରେ ତାଲା ପକାଇଲେ ଗ୍ରାମବାସୀ

ଖିଚିଂ: ସ୍କୁଲରେ ପରିଚାଳନାଗତ ଅବ୍ୟବସ୍ଥାକୁ ନେଇ ପ୍ରଧାନଶିକ୍ଷକଙ୍କ ବିରୋଧ​ରେ ବିଷୋଦଗାର କରିଛନ୍ତି ଶୁକୃଳି ବ୍ଲକ ଚତୁରାଞ୍ଜଳି ପଞ୍ଚାୟତ ସାରୁବିଲ ଗ୍ରାମବାସୀ। ପ୍ରତିବାଦରେ ଗାଁ ସରକାରୀ ଉଚ୍ଚ ପ୍ରାଥମିକ ବିଦ୍ୟାଳୟରେ ତାଲା ପକାଇଛନ୍ତି। ଗ୍ରାମବାସୀଙ୍କ ଅଭିଯୋଗ ଅନୁଯାୟୀ, ପ୍ରଧାନଶିକ୍ଷକ ବନମାଳି ନାଏକ ଠିକ ସମୟରେ ସ୍କୁଲ ଆସୁନଥିବାବେଳେ ପିଲାମାନଙ୍କ ପାଠପଢ଼ା ଠିକଣା ଢଙ୍ଗରେ ହେଉନାହିଁ। ସ୍କୁଲକୁ ଆସୁଥିବା ଚାଉଳ ହେରଫେର୍‌ ହେଉଛି। ଛାତ୍ରଛାତ୍ରୀଙ୍କୁ ନିମ୍ନମାନର ମଧ୍ୟାହ୍ନଭୋଜନ ଦିଆଯାଉଛି। ବିଦ୍ୟାଳୟ ପରିସରରେ ଥିବା ପାଣିଟାଙ୍କି ବ୍ୟବହାର ହେଉନାହିଁ ଫଳରେ ଶୌଚାଳୟ ପରିତ୍ୟକ୍ତ ଅବସ୍ଥାରେ ପଡ଼ି ରହିଛି। ପିଲାମାନେ ବାଧ୍ୟ ହୋଇ ବାହାରକୁ ପରିସ୍ରା ଯାଉଛନ୍ତି। ରାସ୍ତାପାର ହୋଇ ଯିବା ବିପଦର ଆଶଙ୍କା ରହିଛି। ଏ ସଂକ୍ରାନ୍ତରେ ପୂର୍ବରୁ ବିଭାଗୀୟ ଅଧିକାରୀଙ୍କୁ ଅବଗତ କରାଯାଇଥିଲେ ସୁଦ୍ଧା କୌଣସି ପଦକ୍ଷେପ ନିଆନଯିବାରୁ ଆଜି ଗ୍ରାମବାସୀ ସ୍କୁଲ ଫାଟକରେ ତାଲା ପକାଇ ଦେଇଥିଲେ। ଖବର ପାଇ ସରପଞ୍ଚ ବିଜନ କୁମାର ଚାତାର ଓ ଶୁକୃଳି ବ୍ଲକ ସହକାରୀ ଶିକ୍ଷା ଅଧିକାରୀ ଯୋଗେଶ୍ୱର ମହାନ୍ତ ଘଟଣାସ୍ଥଳରେ ପହଞ୍ଚିଥିଲେ। ଗ୍ରାମବାସୀ ପ୍ରଧାନଶିକ୍ଷକଙ୍କୁ ତୁରନ୍ତ ବଦଳି କରିବା ପାଇଁ ଦାବି କରିଥିଲେ। ସହକାରୀ ଶିକ୍ଷା ଅଧିକାରୀ ଶ୍ରୀ ମହାନ୍ତ ଗ୍ରାମବାସୀଙ୍କୁ ବୁଝାସୁଝା କରିବା ସହ କାର୍ଯ୍ୟାନୁଷ୍ଠାନ ପ୍ରତିଶ୍ରୁତି ଦେବା ପରେ ପରିସ୍ଥିତି ଶାନ୍ତ ପଡିଥିଲା। ଅପ୍ରୀତିକର ପରିସ୍ଥିତି ସୃଷ୍ଟି ଆଶଙ୍କାରେ ରରୁଁଆ ପୁଲିସ ମଧ୍ୟ ଗାଁରେ ପହଞ୍ଚି ଲୋକଙ୍କୁ ବୁଝାସୁଝା କରିଥିଲା। ଅନ୍ୟପକ୍ଷରେ ପ୍ରଧାନଶିକ୍ଷକ ଶ୍ରୀ ନାଏକ ଏହାକୁ ଖଣ୍ଡନ କରିବା ସହ ଗ୍ରାମର କିଛି ଲୋକଙ୍କ ମୋ ବିରୋଧରେ ଏକ ଷଡ଼ଯନ୍ତ୍ର ବୋଲି କହିଥିଲେ। ତାଛଡ଼ା ନିଜ ବଦଳି ପାଇଁ ଏକ ଲିଖିତ ଦରଖାସ୍ତ ସହକାରୀ ଶିକ୍ଷା ଅଧିକାରୀଙ୍କୁ ଦେଇଥିବା ଜଣାଯାଇଛି।

Leave A Reply

Your email address will not be published.