ଆବାସ ତାଲିକାରେ ଅଯୋଗ୍ୟ ହିତାଧିକାରୀ

ବାରିପଦା: ମୟୂରଭଞ୍ଜରୁ ‌୧ ଲକ୍ଷ ୪୩ ହଜାର ୪୨୩ ଜଣ ହିତାଧିକାରୀ ପାଇବେ ପ୍ରଧାନମନ୍ତ୍ରୀ ଆବାସ ଘର। କେବଳ ଯୋଗ୍ୟ ହିତାଧିକାରୀ ଯେମିତି ଘର ପାଇବେ ସେଥିପାଇଁ ସରକାରଙ୍କ ନିର୍ଦ୍ଦେଶମତେ ଜିଲ୍ଲା ପ୍ରଶାସନ ପକ୍ଷରୁ ହିତାଧିକାରୀ ତାଲିକାକୁ ସାର୍ବଜନୀନ କରାଯାଇଛି। ବ୍ଲକ୍‌ ଓ ପଞ୍ଚାୟତ କାର୍ଯ୍ୟାଳୟରେ ହିତାଧିକାରୀଙ୍କ ତାଲିକା ଝୁଲୁଛି। ଏମିତି କି ଗାଁମାନଙ୍କରେ ବି ତାଲିକା ମରାଯାଇଛି। ଯଦି ଯୋଗ୍ୟ ଥାଇ କାହାର ନାଁ ତାଲିକାରେ ନଥିବ ଏବଂ ଅଯୋଗ୍ୟଙ୍କ ନାଁ ଥିବା ସେନେଇ ଅଭିଯୋଗ କରିବା ପାଇଁ ଆସନ୍ତା ୨୪ ତାରିଖ ଯାଏ ମହଲତ ରହିଛି। ଏହି ସମୟ ପୂର୍ବରୁ ଅନ୍‌ଲାଇନ୍‌ ମାଧ୍ୟମରେ ହେଉ କିମ୍ବା ବ୍ଲକ୍‌ ଓ ପଞ୍ଚାୟତ କାର୍ଯ୍ୟାଳୟରେ ରଖାଯାଇଥିବା ବାକ୍ସରେ ଅଭିଯୋଗ ଫର୍ଦ୍ଦ ପକାଇବାର ସୁଯୋଗ ରହିଛି। ଜାଣିଶୁଣି ତାଲିକାରେ ନାଁ ଯୋଡ଼ିଥିଲେ ଅଯୋଗ୍ୟ ହିତାଧିକାରୀଙ୍କ ବିରୋଧରେ ଦୃଢ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି ମଧ୍ୟ ନିର୍ଦ୍ଦେଶ ରହିଛି।ଏହାସତ୍ବେ ଗଳା ବାଟ ଦେଇ ବହୁ ଅଯୋଗ୍ୟ ହିତାଧିକାରୀ ତାଲିକାରେ ନାଁରେ ରଖିଥିବା ଅଭିଯୋଗ ହୋଇଛି। ଗତକାଲି ତାଲିକା ସାର୍ବଜନୀନ କରାଯିବା ପରେ ଆଜି ବିଭିନ୍ନ ପଞ୍ଚାୟତରୁ ଏମିତି ପୁଳାପୁଳା ଅଭିଯୋଗ ପ୍ରଶାସନ ପାଖରେ ପହଞ୍ଚିଛି। ଶ୍ୟାମାଖୁଣ୍ଟା ବ୍ଲକ୍‌ରେ ସର୍ବାଧିକ ଅଯୋଗ୍ୟ ହିତାଧିକାରୀଙ୍କ ନାଁ ତାଲିକାରେ ଥିବା ଜଣାପଡ଼ିଛି। କିଛି ସରପଞ୍ଚ ଓ ସମିତି ସଭ୍ୟ ଏ ନେଇ ଜିଲ୍ଲା ପ୍ରଶାସନକୁ ଆଜି ଅବଗତ କରାଇଛନ୍ତି। ସର୍ବାଧିକ ୨୦ଟି ସ୍ଥାନରୁ ଏଭଳି ଅଭିଯୋଗ ଆସିଥିବା ବେଳେ ଏଥିରେ ବିଡିଓଙ୍କ ଭୂମିକା ସନ୍ଦେହ ଘେରରେ ଥିବା ସେମାନେ ଅଭିଯୋଗ ପତ୍ରରେ ଦର୍ଶାଇଛନ୍ତି। ସେହିପରି ତିରିଂ ବ୍ଲକ୍‌ରୁ ମାତ୍ର ଗୋଟିଏ ଅଭିଯୋଗ ଆସିଛି। ତେବେ ସମସ୍ତ ଅଭିଯୋଗକୁ ଗୁରୁତର ସହ ନିଆଯିବ ଓ ତାଲିକାରେ କେହି ଜଣେ ବି ଅଯୋଗ୍ୟ ହିତାଧିକାରୀ ରହିବେନି ବୋଲି ଜିଲ୍ଲା ପରିଷଦ ନିର୍ବାହୀ ଅଧିକାରୀ ଦୌଲତ ଚନ୍ଦ୍ରାକର କହିଛନ୍ତି।

Leave A Reply

Your email address will not be published.