ରେଳ ଟିକେଟ୍‌ କେଳେଙ୍କାରୀ

କଟକ : ଏକ୍ସପ୍ରେସ୍ ଟ୍ରେନରେ ଯାତ୍ରା କରିବାକୁ ‘ଭୂତ’ କିଣୁଛି ତତ୍କାଳ ଟିକେଟ୍‌। ଏଭଳି ତତ୍କାଳ ଟିକେଟ୍ କିଣିବା ପାଇଁ ଆଇଆର୍‌ସିଟିସି ୱେବସାଇଟ୍‌କୁ ବାଏପାସ୍ କରାଯାଇଛି। ଜନସେବା କେନ୍ଦ୍ରର କର୍ମଚାରୀ ଚାଇନା ଓ ଜାପାନର ସଫ୍ଟଓୟର୍‌ ମାଧ୍ୟମରେ ଏହି ୱେବସାଇଟ୍‌କୁ ବାଏପାସ୍ କରି ବେଆଇନ ଭାବେ ତତ୍କାଳ ଟିକେଟ୍ କିଣିନେଉଛନ୍ତି। ଜନସେବା କେନ୍ଦ୍ରକୁ ଆଧାର କାର୍ଡ ଜେରକ୍ସ କରିବାକୁ ଆସୁଥିବା ଗ୍ରାହକଙ୍କ ଆଧାର ନକଲ ରଖି ଏଭଳି ଭୂତ ଆକାଉଣ୍ଟ ଖୋଲାଯାଉଛି। ଏହି ଆକାଉଣ୍ଟ ବଳରେ ଟିକେଟ୍ କିଣାଯାଉଛି। ଫଳରେ କେବଳ କଟକ ଜିଲ୍ଲାରେ ୪୫୮ ନିରୀହ ଲୋକ ଫସିଯାଇଛନ୍ତି। ସବୁଠାରୁ ବଡ଼ କଥା ହେଲା, ଏଭଳି କେଳେଙ୍କାରୀ କଟକ ଜିଲ୍ଲା ମାହାଙ୍ଗା, ସାଲେପୁର, ବକ୍ସିବଜାର, ଗଞ୍ଜାମ ଜିଲ୍ଲା, କେନ୍ଦ୍ରାପଡ଼ା, ଜଗତସିଂହପୁରର ତିର୍ତ୍ତୋଲ, ଯାଜପୁର ଜିଲ୍ଲାର ବିଞ୍ଝାରପୁର, ଚଣ୍ଡୀଖୋଲରେ ଥିବା ଜନସେବା କେନ୍ଦ୍ରରେ ଚାଲିଥିବା କଟକ ଆର୍‌ପିଏଫ୍ ସାଇବର୍ ସେଲ୍ ତଦନ୍ତରୁ ଜାଣିବାକୁ ପାଇଛି। ଏହି ସମସ୍ତ ଜନସେବା କେନ୍ଦ୍ରକୁ ସ୍କାନର୍‌କୁ ନେଇଛି ସାଇବର୍ ସେଲ୍। ପୂର୍ବରୁ ଅର୍ଥାତ୍ ୨୦୨୨ରେ ୯ଟି ଓ ୨୦୨୩ରେ ଗୋଟିଏ ଜାଲିଆତି ମାମଲା କଟକ ଆର୍‌ପିଏଫ୍‌ରେ ରୁଜୁ ହୋଇଥିଲା। ଏ ମାମଲାରେ ଏବେ ସୁଦ୍ଧା ୧୧ ଜଣ ଅଭିଯୁକ୍ତ ଗିରଫ ହେଲେଣି। ଏମାନଙ୍କ ନିକଟରୁ ୪୫୮ଟି ନକଲି ଆଇଡି ଓ ପାଖାପାଖି ୧୪ ଲକ୍ଷ ଟଙ୍କା ଜବତ ହୋଇଛି।

Leave A Reply

Your email address will not be published.