ଫେରିଲା ଡାକୋଟା, ପୁଷ୍ପାଞ୍ଜଳି ଦେଇ ସ୍ବାଗତ କଲେ ମୁଖ୍ୟମନ୍ତ୍ରୀ

ଭୁବନେଶ୍ବର : ଦୀର୍ଘ ବର୍ଷର ପ୍ରତୀକ୍ଷା ପରେ ବିଜୁ ବାବୁଙ୍କ ପ୍ରିୟ ଡାକୋଟା (ଡିସି-୩) ଭିଟି-ଏୟୁଆଇ ବିମାନ ଓଡ଼ିଶା ଫେରିଛି। କୋଲକତାରୁ କଡ଼ା ସୁରକ୍ଷା ମଧ୍ୟରେ ତିନିଟି ଲରିରେ ଏହି ବିମାନର ଯନ୍ତ୍ରାଂଶଗୁଡ଼ିକ ଆଜି ସଂଧ୍ୟାରେ ଭୁବନେଶ୍ବରରେ ପହଞ୍ଚିଛି। ଏବେ ଏହାକୁ ବିଜୁ ପଟ୍ଟନାୟକ ଅନ୍ତର୍ଜାତୀୟ ବିମାନବନ୍ଦର ନିକଟରେ ରଖାଯାଇଥିବା ବେଳେ ଖୁବ୍‌ ଶୀଘ୍ର ଟର୍ମିନାଲ-୧ ସମ୍ମୁଖରେ ସର୍ବସାଧାରଣଙ୍କ ପ୍ରଦର୍ଶନ ପାଇଁ ରଖାଯିବ। ଏଥିପାଇଁ ଭାରତୀୟ ବିମାନବନ୍ଦର କର୍ତ୍ତୃପକ୍ଷ ରାଜ୍ୟ ସରକାରଙ୍କୁ ୧.୧ଏକର ଜମି ଯୋଗାଇ ଦେଇଛନ୍ତି। ଏଠାରେ ବିମାନ‌ର ଯନ୍ତ୍ରାଂଶଗୁଡ଼ିକୁ ଖଞ୍ଜାଯିବା ସହ ବିମାନଟିକୁ ଯଥାସମ୍ଭବ ନୂଆ ରୂପ ଦିଆଯିବ। ଆସନ୍ତା ମାର୍ଚ୍ଚ ୫ରେ ବିଜୁ ଜୟନ୍ତୀ ଅବସରରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଏହାକୁ ଲୋକାର୍ପଣ କରିବେ ବୋଲି ଜଣାପଡ଼ିଛି। ଡାକୋଟା ବିମାନ ବୁଧବାର ଦିନ ଭୁବନେଶ୍ବର ବିମାନବନ୍ଦରରେ ପହଞ୍ଚିବା ପରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଏହାକୁ ଦେଖିବାକୁ ବିମାନବନ୍ଦର ନିକଟକୁ ଆସିଥିଲେ। ବିମାନକୁ ପୁଷ୍ପାଞ୍ଜଳି ଦେଇ ସ୍ବାଗତ କରିଥିଲେ। ବାପାଙ୍କ ସ୍ମୃତିକୁ ଫେରାଇ ଆଣିଥିବାରୁ ମୁଖ୍ୟମନ୍ତ୍ରୀ ଭାବବିହ୍ବଳ ହୋଇଯାଇଥିବା ଦେଖିବାକୁ ମିଳିଥିଲା। ଡାକୋଟା ଓଡ଼ିଶା ଫେରିବା ପରେ ମୁଖ୍ୟମନ୍ତ୍ରୀ କହିଛନ୍ତି ଯେ ବିଜୁ ବାବୁଙ୍କର କିମ୍ବଦନ୍ତୀ ବିମାନ ଶେଷରେ ଫେରି ଆସିଛି। ବିଜୁ ବାବୁଙ୍କର ଏହି ବିମାନ ସହିତ ଅନେକ ଐତିହାସିକ ସଂପୃକ୍ତି ଥିଲା। ଏହି ବିମାନରେ ବିଜୁବାବୁ ଅନେକ ସାହାସିକ କାର୍ଯ୍ୟ କରିଛନ୍ତି। ଏହାମଧ୍ୟରେ ସବୁଠାରୁ ଶ୍ରେଷ୍ଠ ହେଉଛି ଇଣ୍ଡୋନେସିଆର ସ୍ବାଧୀନତା ସଂଗ୍ରାମୀମାନଙ୍କୁ ଡଚ୍‌ମାନଙ୍କ କବ୍‌ଜାରୁ ମୁକ୍ତ କରିବାରେ ଅପାର ସଫଳତା। ସେଥିରେ ବିଜୁ ବାବୁଙ୍କ ସହିତ କେବଳ ଜଣେ ସହ ପାଇଲଟ୍ ଥିଲେ, ସେ ହେଉଛନ୍ତି ମୋ ମା’ ଜ୍ଞାନ ପଟ୍ଟନାୟକ। ସେହିପରି ଦ୍ବିତୀୟ ବିଶ୍ବଯୁଦ୍ଧ ସମୟରେ ମଧ୍ୟରେ ବିଜୁ ବାବୁ ଚାଇନା, ନେପାଳ ଆଦି ଦେଶକୁ ଏହି ବିମାନରେ ଯାତ୍ରା କରିଥିଲେ।

Leave A Reply

Your email address will not be published.