ବିଶ୍ବସ୍ତରୀୟ ଏସ୍‌ସିବିରେ ବିଚିତ୍ର ସ୍ଥିତି: ଅତର ମାରି ଶବ ସଂରକ୍ଷଣ

କଟକ : ବିଶ୍ବସ୍ତରୀୟ ହେବାକୁ ଯାଉଥିବା କଟକ ବଡ଼ ଡାକ୍ତରଖାନାକୁ ଆସୁଥିବା ଶବ ସଂରକ୍ଷଣ ପାଇଁ ମିଳୁନି ଫ୍ରିଜର। ମାତ୍ର ୬ଟି ଫ୍ରିଜର ଥିବାରୁ ଶବ ସଂରକ୍ଷଣ ପାଇଁ ପୁଲିସ ଅଖାରେ ଶବକୁ ଭର୍ତ୍ତି କରି ଦୁର୍ଗନ୍ଧ ନହେବା ପାଇଁ ଅତର ମାରି ଖୋଲାରେ ରଖିବାକୁ ବାଧ୍ୟ ହେଉଛି। ଯାଜପୁର, କେନ୍ଦ୍ରାପଡ଼ା, ଜଗତସିଂହପୁର ଜିଲ୍ଲାରେ ଫ୍ରିଜର ବ୍ୟବସ୍ଥା ନଥିବାରୁ ଏହି ଜିଲ୍ଲାରୁ ଆସୁଥିବା ଅଚିହ୍ନା ଶବ ସଂରକ୍ଷଣ ପାଇଁ ବଡ଼ ଡାକ୍ତରଖାନା ଉପରେ ନିର୍ଭର କରୁଛି। ପଚାସଢ଼ା ଶବ ତୁଳନାରେ ଫ୍ରିଜର ସଂଖ୍ୟା କମ୍ ଥିବାରୁ ଏ ପ୍ରକାର ପରିସ୍ଥିତି କମିସନରେଟ୍ ପୁଲିସ ପାଇଁ କ୍ରମାଗତ ଭାବେ ଅଡ଼ୁଆ କଲାଣି। ସୂଚନା ଅନୁଯାୟୀ, ଅଚିହ୍ନା ଶବ ସଂରକ୍ଷଣ ଗୃହର ଫ୍ରିଜରରେ ସର୍ବାଧିକ ୯୬ ଘଣ୍ଟା ଅର୍ଥାତ ୪ ଦିନ ପର୍ଯ୍ୟନ୍ତ ରଖାଯାଇପାରିବ। ଦୂରରେ ଥିବା କେହି ସମ୍ପର୍କୀୟ ପହଞ୍ଚିବା ବିଳମ୍ବ ହେଲେ ସେଭଳି କ୍ଷେତ୍ରରେ ଶବ ଆଉ କିଛି ଦିନ ସଂରକ୍ଷିତ ରଖିବା ପାଇଁ ତଦନ୍ତକାରୀ ଅଧିକାରୀଙ୍କୁ ଅନୁରୋଧ କରିପାରିବେ। ବିଶ୍ବସ୍ତରୀୟ ହେବାକୁ ଯାଉଥିବା କଟକ ବଡ଼ ଡାକ୍ତରଖାନାର ସ୍ଥିତି ଏବେ ମଙ୍ଗଳାବାଗ ଥାନା ପୁଲିସ ପାଇଁ ବଡ଼ ସମସ୍ୟା ସୃଷ୍ଟି କରିଛି। ବଡ଼ ଡାକ୍ତରଖାନାରେ ଥିବା ୬ଟି ଫ୍ରିଜର୍ ଉପରେ କଟକ ସହର ଓ ଗ୍ରାମାଞ୍ଚଳ ସମେତ ଯାଜପୁର, କେନ୍ଦ୍ରାପଡ଼ା, ଜଗତସିଂହପୁର ଜିଲ୍ଲା ନିର୍ଭର କରୁଛି। ୨୦୧୬ ମାର୍ଚ୍ଚରୁ ବଡ଼ ଡାକ୍ତରଖାନାରେ ଆରମ୍ଭ ହୋଇଥିବା ୬ଟି ଫ୍ରିଜର ବିଶିଷ୍ଟ ସଂରକ୍ଷଣ ଗୃହ ଏବେ ଶବ ତୁଳନାରେ ନିଅଣ୍ଟ ପଡ଼ିଲାଣି। ଏହି ଜିଲ୍ଲାଗୁଡ଼ିକରୁ ଆସୁଥିବା ଅଚିହ୍ନା ଶବ ବଡ଼ ଡାକ୍ତରଖାନାରେ ସଂରକ୍ଷଣ ହେଉଛି। ୬ ଫ୍ରିଜରରେ ନିୟମିତ ଶବ ସଂରକ୍ଷିତ ହୋଇ ରହୁଥିବା ବେଳେ ପରିବାର ଲୋକେ ଆସିବା ଯାଏ ପୁଲିସ ୯୬ ଘଣ୍ଟା ଅପେକ୍ଷା କରୁଛି। ଫ୍ରିଜର ବୁକ୍ ହୋଇ ରହୁଥିବାରୁ ପଚାଶଢ଼ା ରଖିବାକୁ ନାକେଦମ୍ ହେଉଛି ମଙ୍ଗଳାବାଗ ଥାନା ପୁଲିସ।

Leave A Reply

Your email address will not be published.