ଘର ଅଗଣା କୁକୁଡ଼ା ରୋକିବ ଅପପୁଷ୍ଟି

ଭୁବନେଶ୍ବର : ଘର ଅଗଣା କୁକୁଡ଼ା ପାଳନ ମାଧ୍ୟମରେ ରାଜ୍ୟର ରକ୍ତହୀନତା ଓ ଅପପୁଷ୍ଟି ପ୍ରଭାବିତ ପରିବାରବର୍ଗଙ୍କୁ ପୁଷ୍ଟିକର ଖାଦ୍ୟ ଯୋଗାଇ ଦିଆଯିବ ବୋଲି କହିଛନ୍ତି ମତ୍ସ୍ୟ ଓ ପ୍ରାଣୀସଂପଦ ବିକାଶ ମନ୍ତ୍ରୀ ରଣେନ୍ଦ୍ର ପ୍ରତାପ ସ୍ୱାଇଁ। କୃଷି ଭବନରେ ଆୟୋଜିତ ମନ୍ତ୍ରୀ ମତ୍ସ୍ୟ ଓ ପ୍ରାଣୀସଂପଦ ବିକାଶ ବିଭାଗର ଯୋଜନା ସମୀକ୍ଷା ବେଳେ ଏହି ସୂଚନା ଦିଆଯାଇଥିଲା। ଏହି ଅବସରରେ ଡିପ୍‌ ଲିଟର ପଦ୍ଧତିରେ ୫୦୦ ବ୍ରଏଲର କୁକୁଡ଼ା ପାଳନ, ମହିଳା ସ୍ୱୟଂ ସହାୟକ ଗୋଷ୍ଠୀଙ୍କ ମାଧ୍ୟମରେ ୧୦୦୦ ବ୍ରଏଲର କୁକୁଡ଼ା ପାଳନ, ମହିଳା ସ୍ୱୟଂସହାୟକ ଗୋଷ୍ଠୀ ମାଧ୍ୟମରେ ଛେଳି ପାଳନ ଆଦି ସମ୍ପର୍କରେ ଆଲୋଚନା ହୋଇଥିଲା। ମନ୍ତ୍ରୀ ଶ୍ରୀ ସ୍ବାଇଁ କହିଥିଲେ, ବାୟୋଫ୍ଲକ୍‌ ଏବଂ ରାସ ପଦ୍ଧତି ଭଳି ନୂତନ ପଦ୍ଧତିରେ ମାଛଚାଷରେ ସଫଳତା ମିଳୁଛି। ତେଣୁ କ୍ଷେତ୍ର ଅଧିକାରୀଙ୍କୁ ଏ ସଂପର୍କରେ ପ୍ରଶିକ୍ଷଣ ଦେବାର ଆବଶ୍ୟକତା ରହିଛି। ଯୋଜନାର କାର୍ଯ୍ୟକାରିତାରେ ସ୍ୱଚ୍ଛତା ବଜାୟ ରଖିବା ସହ କାର୍ଯ୍ୟକ୍ରମଗୁଡ଼ିକୁ ତ୍ୱରାନ୍ୱିତ କରିବା ନିମନ୍ତେ ଗୋ-ସୁଗମ ପୋର୍ଟାଲକୁ ତ୍ରୁଟିଶୂନ୍ୟ ପାଇଁ ନିର୍ଦ୍ଦେଶ ଦିଆଯାଇଛି। ଉନ୍ନତ ଜ୍ଞାନକୌଶଳ ଓ ପ୍ରଯୁକ୍ତି ବିଦ୍ୟାର ପ୍ରୟୋଗ ଦ୍ୱାରା ଉତ୍ପାଦିତ ଦ୍ରବ୍ୟର ମୂଲ୍ୟ ହ୍ରାସ ପାଇବ ବୋଲି କହିଥିଲେ। ଜିଲ୍ଲା ନୋଡାଲ ଏବଂ ସ୍କିମ୍‌ ଅଧିକାରୀମାନେ ନିୟମିତ କ୍ଷେତ୍ର ପରିଦର୍ଶନ ଉପରେ ଗୁରୁତ୍ୱ ଦିଆଯାଇଥିଲା। ବୈଠକର ସୂଚନା ଅନୁଯାୟୀ, ରାଜ୍ୟରେ ୨୦୨୨-୨୩ ବର୍ଷରେ ଅଦ୍ୟାବଧି ୩୦୩୫ଟି ବାୟୋଫ୍ଲକ୍‌ ଟ୍ୟାଙ୍କ ପ୍ରତିଷ୍ଠା କରାଯାଇଛି। ୪୨୮୩ଟି ମହିଳା ସ୍ୱୟଂ ସହାୟିକା ଗୋଷ୍ଠୀଙ୍କ ଦ୍ୱାରା ୩୯୫୦ ହେକଫର ପଞ୍ଚାୟତ ପୋଖରୀରେ ମାଛ ଚାଷ କରାଯାଇଛି। ଏତଦ୍‌ବ୍ୟତୀତ ବୈଠକରେ ମତ୍ସ୍ୟ ପୋଖରୀ ଯୋଜନା, ଫାର୍ମପଣ୍ଡରେ ମାଛ ଚାଷ କରୁଥିବା ଚାଷୀଙ୍କୁ ଇନ୍‌ପୁଟ୍‌ ସହାୟତା ଏବଂ ସାମୁଦ୍ରିକ ମତ୍ସ୍ୟ ଉତ୍ପାଦନ ଆଦି ବିଷୟରେ ସମୀକ୍ଷା ହୋଇଥିଲା। ବଜେଟ୍‌ ଅର୍ଥକୁ ନିର୍ଦ୍ଧାରିତ ସମୟ ମଧ୍ୟରେ ବ୍ୟୟ କରିବା ପାଇଁ ମନ୍ତ୍ରୀ ଶ୍ରୀ ସ୍ୱାଇଁ ଅଧିକାରୀମାନଙ୍କୁ ନିର୍ଦ୍ଦେଶ ଦେଇଥିଲେ। ବୈଠକରେ ମତ୍ସ୍ୟ ଓ ପ୍ରାଣୀ ସଂପଦ ବିକାଶ ବିଭାଗର ପ୍ରମୁଖ ଶାସନ ସଚିବ ସୁରେଶ କୁମାର ବଶିଷ୍ଠ, ପ୍ରାଣୀପାଳନ ଓ ପ୍ରାଣୀ ଚିକିତ୍ସା ନିର୍ଦ୍ଦେଶାଳୟର ନିର୍ଦ୍ଦେଶକ ଡ. ୟେଦୁଲ୍ଳା ବିଜୟ, ମତ୍ସ୍ୟ ନିର୍ଦ୍ଦେଶକ ସ୍ମୃତିରଞ୍ଜନ ପ୍ରଧାନଙ୍କ ସମେତ ବିଭାଗୀୟ ବରିଷ୍ଠ ଅଧିକାରୀ, ସମସ୍ତ ଜିଲ୍ଲାର ସିଡିଭିଓ, ଜିଲ୍ଲା ମତ୍ସ୍ୟ ଅଧିକାରୀମାନେ ଯୋଗ ଦେଇଥିଲେ।

Leave A Reply

Your email address will not be published.