କାଗଜପତ୍ର ଜାଲିଆତି କରି ବେଙ୍ଗାଲୁରୁରେ ରହୁଥିବା ପାକିସ୍ତାନୀ ତରୁଣୀ ଗିରଫ

ବେଙ୍ଗାଲୁରୁ: କାଗଜପତ୍ର ଜାଲିଆତି କରି ବେଆଇନ ଭାବେ ବେଙ୍ଗାଲୁରୁ ନଗରୀରେ ବାସ କରୁଥିବା ଇକ୍‌ରା ଜୀୱାନି ନାମରେ ଜଣେ ୧୯ ବର୍ଷୀୟ ପାକିସ୍ତାନୀ ତରୁଣୀଙ୍କୁ ପୁଲିସ ଗରିଫ କରିଛି। ସେ ବିବାହ କରିଛନ୍ତି ବୋଲି କହୁଥିବା ଉତ୍ତର ପ୍ରଦେଶର ଜଣେ ୨୬ ବର୍ଷିୟ ଯୁବକଙ୍କୁ ମଧ୍ୟ ଗିରଫ କରାଯାଇଛି।ସଂଗୃହୀତ ସୂଚନା ଅନୁସାରେ, ମହିଳାଜଣକ ପାକିସ୍ତାନର ସିନ୍ଧ ପ୍ରଦେଶ ଅନ୍ତର୍ଗତ ହାଇଦ୍ରାବାଦ ନଗରୀରୁ ଆସିଛନ୍ତି। ଦୁହେଁ ଗେମିଙ୍ଗ୍‌ ଆପ୍‌ ଜରିଆର ପରିଚିତ ହୋଇ ବିବାହ କରିବାକୁ ଯୋଜନା କରିଥିଲେ। ଗିରଫ ୨୬ ବର୍ଷିୟ ଯୁବକ ମୁଲାୟମ ସିଂହ ଯାଦବ ହେଉଛନ୍ତି ଗୋଟାଏ ଘରୋଇ କମ୍ପାନିରେ କାର୍ଯ୍ୟରତ ‘ସିକ୍ୟୁରିଟି ଗାର୍ଡ’ ଓ ତାଙ୍କ ଘର ଉତ୍ତର ପ୍ରଦେଶ। ହ୍ବାଇଟ୍‌ଫିଲ୍‌ଡ୍‌ ପୁଲିସ ଡେପୁଟି କମିସନର୍‌ଙ୍କ କହିବା ଅନୁସାରେ, ‘ଗେମିଙ୍ଗ୍‌ ଆପ୍‌’ ‘ଲୁଡୁ’ ମାଧ୍ୟମରେ ଗତବର୍ଷ ମୁଲାୟମ ସିଂହ ଯାଦବ ନାମରେ ଜଣେ ୨୬ ବର୍ଷିୟ ବ୍ୟକ୍ତି ପାକିସ୍ତାନ ଅନ୍ତର୍ଗତ ହାଇଦ୍ରାବାଦର ଜଣେ ୧୯ ବର୍ଷୀୟ ଝିଅ ସହିତ ପରିଚିତ ହୋଇଥିଲେ। ଉଭୟ ବିବାହ କରିବାକୁ ଯୋଜନା ‌କରିଥିଲେ। ୨୦୨୨ ସେପ୍ଟେମ୍ବରରେ ଯୁବକଜଣକ ପାକିସ୍ତାନୀ ଝିଅକୁ ନେପାଳର କାଠମାଣ୍ଡୁ ବାଟେ ଭାରତକୁ ଆଣିଥିଲେ। ସେମାନେ ବେଲ୍ଲାଣ୍ଡୁର୍‌ ଥାନା ଅନ୍ତର୍ଗତ ‘ଲେବର୍‌ କ୍ବାର୍ଟର୍ସ’ରେ ରହୁଥିଲେ। ଏବେ ଉକ୍ତ ପାକିସ୍ତାନୀ ତରୁଣୀଙ୍କୁ ‘ଫରେନର୍ସ ରେଜିଷ୍ଟ୍ରେସନ୍‌ ଅଫିସ୍‌’କୁ ହସ୍ତାନ୍ତର କରାଯାଇଛି। ତାଙ୍କୁ ଆଣିଥିବା ଯୁବକଙ୍କ ନାଁରେ ମାମଲା ରୁଜୁ କରାଯିବା ସହିତ ଗିରଫ ମଧ୍ୟ କରାଯାଇଛି ବୋଲି ସେ କହିଛନ୍ତି।

Leave A Reply

Your email address will not be published.