ବଦଳୁଛି ପାଣିପାଗ : ଆଫଗାନିସ୍ତାନରେ ପ୍ରବଳ ଶୀତ, ସପ୍ତାହରେ ଗଲାଣି ୮୪ ଲୋକଙ୍କ ଜୀବନ

ନୂଆଦିଲ୍ଲୀ : ଧିରେ ଧିରେ ବଢ଼ୁଛି ପ୍ରକୃତିର କୋପ । କେବଳ ଦେଶରେ ନୁହେଁ ସାରା ବିଶ୍ୱରେ ବଦଳୁଛି ପାଣିପାଗ । ମାଘ ମାସରେ ଯେଉଁ ସମୟରେ ହାଡ଼ ଭଙ୍ଗା ଶୀତ ହେବା କଥା, କିନ୍ତୁ ଏବେଠୁ ପାଚିଲାଣି ଖରା । ସେପଟେ ଆଫଗାନିସ୍ତାନରେ ପ୍ରବଳ ଶୀତର ପ୍ରକୋପ। ଆଫଗାନିସ୍ତାନରେ ତାପମାତ୍ରା ମାଇନସକୁ ଚାଲିଯାଇଛି। କେବଳ ଜାନୁଆରୀରେ ଏଯାଏ ୧୬୦ରୁ ଅଧିକ ଲୋକଙ୍କ ମୃତ୍ୟୁ ଘଟିଛି । ଗତ ସପ୍ତାହରେ ୮୪ଜଣଙ୍କ ଜୀବନ ଯାଇଛି। ଏପରିକି ଅଧିକ ଥଣ୍ଡା ସହିପାରୁଥିବା ଲୋମଶ ମେଣ୍ଡାଙ୍କର ବି ଜୀବନ ଯାଉଛି । ପାଖାପାଖି ୭୭ହଜାର ମେଣ୍ଡାଙ୍କର ବି ମୃତ୍ୟୁ ହୋଇଛି। ଗତ ୧୫ବର୍ଷ ଭିତରେ ଆଫଗାନିସ୍ତାନରେ ସବୁଠୁ ଅଧିକ ଶୀତ ଅନୁଭୂତ ହୋଇଛି । ତାପମାତ୍ରା ମାଇନସ ୩୪ ଡିଗ୍ରୀ ସେଲସିୟସ ଯାଏ ଖସିଛି। ଆଗକୁ ଆହୁରି ଅଧିକ ଥଣ୍ଡା ଅନୁଭୂତ ହେବ ବୋଲି ପାଣିପାଗ ବିଜ୍ଞାନୀ ପୂର୍ବାନୁମାନ କରିଛନ୍ତି। ଏସିଆର ବିଭିନ୍ନ ଦେଶରେ ମଧ୍ୟ ଅସହ୍ୟ ଜାଡ଼ ଅନୁଭୂତ ହେଉଛି । ଜାପାନ, କୋରିଆ ଓ ଚୀନର ବିଭିନ୍ନ ଅଞ୍ଚଳରେ ତୁଷାରପାତ ହୋଇଛି। ସାଉଥ କୋରିଆରେ ଶୀତଲହରୀ ନେଇ ଆଲର୍ଟ ଜାରି କରାଯାଇଛି। ସେପଟେ ଆମ ଦେଶର ଉତ୍ତର ଭାରତରେ ପ୍ରବଳ ଶୀତ ଅନୁଭୂତ ହେଉଥିବା ବେଳେ ଓଡ଼ିଶାରେ ଟାଇଁ ଟାଇଁ ଖରା ହେଉଛି। ମାଘ ମାସରେ ନାହିଁ ବାଘୁଆ ଶୀତ। ରାଜ୍ୟର କିଛି ସ୍ଥାନରେ ଦିନର ତାପମାତ୍ରା ୩୪ ଡିଗ୍ରୀ ପାର କରିଛି । ଏଭଳି ବଦଳୁଥିବା ପାଣିପାଗ ସମସ୍ତଙ୍କୁ ଚିନ୍ତାରେ ପକାଇ ଦେଇଛି ।

Leave A Reply

Your email address will not be published.