ଧ୍ବଂସମୁଖରେ ଐତିହ୍ୟ, ପ୍ରାଚୀନ କୀର୍ତ୍ତିରାଜି

ଯାଜପୁର : ଆବଶ୍ୟକ ସୁରକ୍ଷା, ପ୍ରତ୍ନତାତ୍ତ୍ବିକ ଅବହେଳା ଏବଂ ରାଜନୈତିକ ଫନ୍ଦି ଯୋଗୁଁ ଓଡ଼ିଶାର ପ୍ରାଚୀନ ରାଜଧାନୀ ଯାଜପୁର ଏବଂ ଗଡ଼ଜାତ ଅଞ୍ଚଳ ଭାବରେ ଖ୍ୟାତ କେନ୍ଦୁଝର ଜିଲ୍ଲାର ଅନେକ ଐତିହ୍ୟ ଓ କୀର୍ତ୍ତିରାଜି ଅବହେଳିତ ଓ ନଷ୍ଟଭ୍ରଷ୍ଟ ହୋଇ ନିଶ୍ଚିହ୍ନ ହେବାକୁ ବସିଲାଣି। ସୁରକ୍ଷା ଏବଂ ସଂରକ୍ଷଣ ପାଇଁ ରାଜକୋଷରୁ ପୁଳାପୁଳା ଟଙ୍କା ଆସୁଥିଲେ ହେଁ ତାର ସଦ୍‌ବିନିଯୋଗ ଅଭାବରୁ ତାହା କରାଯାଇ ପାରୁନାହିଁ। କୁସୁମାର ନୂତନପ୍ରସ୍ଥ ପାଇଁ ଖର୍ଚ୍ଚ ହେଉଛି କୋଟିକୋଟି ଟଙ୍କା। ଏଭଳି ଘଟଣା ବହୁ ଐତିହାସିକ, ଗବେଷକ, ପଣ୍ଡିତ-ବିଦ୍ବାନବର୍ଗଙ୍କୁ ବ୍ୟଥିତ କରୁଛି। ଖଣିଜ ସମ୍ପଦଭରା ଐତିହାସିକ ଯାଜପୁର ଜିଲ୍ଲାରେ ରହିଛି ବହୁ ପ୍ରାଚୀନ କୀର୍ତ୍ତିରାଜି ଓ ଐତିହ୍ୟ। ସେଭିତରୁ ଅନେକ ସତ୍ତା ହରାଇଥିବା ବେଳେ ଯାହା କିଛି ରହିଛି ତାହା ମଧ୍ୟ ଜରାଜୀର୍ଣ୍ଣ। ଯାଜପୁରର ପ୍ରବେଶ ପଥରେ ଥିବା ଅଠରନଳା ସେତୁ ପ୍ରାୟତଃ ସତ୍ତା ହରାଇଛି। ଯାଜପୁର ପଶ୍ଚିମ ପାର୍ଶ୍ବ ପ୍ରବେଶ ଦ୍ବାରରେ ପୁଣ୍ୟତୋୟା ବୈତରଣୀ ନଦୀର ଶାଖା ନଦୀ ମନ୍ଦାକିନୀରେ ଅଷ୍ଟମ-ନବମ ଶତାବ୍ଦୀରେ ଭୌମକରଙ୍କ ସମୟରେ ନିର୍ମିତ ଏହି ସେତୁର ସୁରକ୍ଷା ପ୍ରତି କାହାରି ନଜର ନାହିଁ। ବୈତରଣୀ ନଦୀକୂଳରେ ପ୍ରତିଷ୍ଠିତ ଦଶାଶ୍ବମେଧ ଘାଟ ଭାଙ୍ଗିରୁଜିଗଲାଣି। ବୈତରଣୀ ନଦୀର ଉଭୟ ପାର୍ଶ୍ବରେ ନିର୍ମିତ ପାବଚ୍ଛ ଏବେ ଜରାଜୀର୍ଣ୍ଣ। ବାଉଳି କୁଣ୍ଡ ସତ୍ତା ହରାଇଛି। ବାଉଳିକୁଣ୍ଡକୁ ଜବରଦଖଲକାରୀ ନିଜ ଅକ୍ତିଆରରେ ରଖି ଘରଦ୍ବାର କରିନେଲେଣି। ବାଉଳିକୁଣ୍ଡ ନିକଟରେ ଥିବା ନୃସିଂହନାଥ ମନ୍ଦିର ଭଗ୍ନ ଅବସ୍ଥାରେ। ଭାରତୀୟ ବୈଷ୍ଣବ ସଂସ୍କୃତିର ପ୍ରାଚୀନ ନିଦର୍ଶନ ଦଶାଶ୍ବମେଧ ଘାଟର ଅପରପାର୍ଶ୍ବରେ ଥିବା ବରାହନାଥ ଏବଂ ନବଗ୍ରହ ମନ୍ଦିର ମଧ୍ୟ ଅବହେଳିତ।

Leave A Reply

Your email address will not be published.