ପ୍ରଭୁ ଶ୍ରୀଲିଙ୍ଗରାଜଙ୍କ ଦର୍ଶନ କଲେ: ଖାଲି ପାଦରେ ବିନ୍ଦୁସାଗର ନିକଟରୁ ଚାଲିଚାଲି ଗଲେ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ

ଭୁବନେଶ୍ବର: ପ୍ରଭୁ ଶ୍ରୀଲିଙ୍ଗରାଜଙ୍କ ମନ୍ଦିରରେ ପୂଜାର୍ଚ୍ଚନା ସାରି ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ବାହାରିଛନ୍ତି। ସେ ସକାଳ ୯ଟା ୮ ମିନିଟ ସମୟରେ ରାଜଭବନରୁ ବାହାରି ପ୍ରଭୁ ଶ୍ରୀଲିଙ୍ଗରାଜଙ୍କ ମନ୍ଦିରରେ ପହଞ୍ଚିଥିଲେ। ଖାଲି ପାଦରେ ବିନ୍ଦୁସାଗର ନିକଟରୁ ଚାଲିଚାଲି ଯାଇଥିଲେ ରାଷ୍ଟ୍ରପତି। ବିନ୍ଦୁସାଗର ଦେଇ ସେ ଲିଙ୍ଗରାଜ ମନ୍ଦିରରେ ପହଞ୍ଚିଥିଲେ। ମନ୍ଦିର ପରିସରରେ ଥିବା ସିଦ୍ଧି ବିନାୟକ ମନ୍ଦିରରେ ପ୍ରଥମେ ପୂଜାର୍ଚ୍ଚନା କରିଥିଲେ। ତାପରେ ମହାପ୍ରଭୁ ଲିଙ୍ଗରାଜଙ୍କ ଗର୍ଭଗୃହରେ ଜଳାଭିଷେକ କରିଥିଲେ। ତାପରେ ସେ ମା ପାର୍ବତୀଙ୍କୁ ଦର୍ଶନ କରିଥିଲେ। ଏହାପରେ ମନ୍ଦିବେଢ଼ା ପରିକ୍ରମା କରିଥିଲେ। ଶେଷରେ ନନ୍ଦୀଭୃଙ୍ଗୀଙ୍କ ଦର୍ଶନ କରି ସେଠାରୁ ବାହାରିଥିଲେ। ମନ୍ଦିର ସମ୍ମୁଖରେ ତାଙ୍କୁ ସ୍ବାଗତ କରିବା ଲାଗି ଆଦିବାସୀ ନୃତ୍ୟ ଓ ବାଦ୍ୟର ଆସର ଜମିଥିଲା। କିଛି ସମୟ ପାଇଁ ରାଷ୍ଟ୍ରପତି ସେମାନଙ୍କ ପାଖରେ ଅଟକିଥିଲେ। ଏହି ସମୟରେ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁଙ୍କ ଝିଅ ମଧ୍ୟ ଉପସ୍ଥିତ ଥିଲେ। ମନ୍ଦିର କାର୍ଯ୍ୟାଳୟ ଓ ଜିଲ୍ଲା ପ୍ରଶାସନ ପକ୍ଷରୁ ବଡୁ ନିଯୋଗ ସଂପାଦକ କମଳାକାନ୍ତ ବଡୁଙ୍କୁ ରାଷ୍ଟ୍ରପତିଙ୍କ ଜଳାଭିଷେକ ଓ ପୂଜାର୍ଚ୍ଚନରେ ସହାୟତା କରିଥିଲେ। ଏହି ସମୟରେ ସେବାୟତଙ୍କ ପକ୍ଷରୁ ମହାପ୍ରଭୁ ଲିଙ୍ଗରାଜଙ୍କ ପ୍ରିୟ କୋଠ ଭୋଗ, ମୁଆଁ ଓ କୋରାଖଇ ଭେଟି ଦେଇଥିଲେ ସେବାୟତ। ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁଙ୍କ ଏହି କାର୍ଯ୍ୟକ୍ରମ ସମୟରେ କମିସନରେଟ ପୁଲିସ ପକ୍ଷରୁ ବ୍ୟାପକ ବ୍ୟବସ୍ଥା କରାଯାଇଥିଲା। ନିଜେ ଜିଲ୍ଲାପାଳ କେ ସୁଦର୍ଶନ ଚକ୍ରବର୍ତ୍ତୀ ଓ ପୁଲିସ କମିସନର ସୌମେନ୍ଦ୍ର ପ୍ରିୟଦର୍ଶୀ ପ୍ରମୁଖ ବି ଉପସ୍ଥିତ ରହି ସୁରକ୍ଷା ଓ ଆନୁସାଙ୍ଗିକ ବ୍ୟବସ୍ଥାର ତଦାରଖ କରିଥିଲେ।

Leave A Reply

Your email address will not be published.