କାକଟପୁର : ହରିନାମ ସଙ୍କୀର୍ତ୍ତନରୁ ଗୋଷ୍ଠୀ ସଙ୍ଘର୍ଷ । ଟେକା ପଥର ମାଡ଼ରେ ଅନେକ ଆହତ । ଉଭୟ ଗୋଷ୍ଠୀର ୬ଗିରଫ । ପୁରୀ ଜିଲ୍ଲା ଅସ୍ତରଙ୍ଗ ବ୍ଲକ ମଧୁପୁର ଗ୍ରାମରେ ଅଷ୍ଟପ୍ରହର ନାମଯଜ୍ଞ ବେଳେ କିଛି ମହିଳାଙ୍କୁ ଗାଳିଗୁଲଜ ଅଭିଯୋଗରେ ଆରମ୍ଭ ହୋଇଥିଲା ମହାଭାରତ । ଦୁଇ ରାଜନୈତିକ ଗୋଷ୍ଠୀ ମଧ୍ୟରେ ରକ୍ତାକ୍ତ ସଂଘର୍ଷ ହୋଇଛି । ସୂଚନା ଅନୁଯାୟୀ, ଚଳିତବର୍ଷ ରାଜନୈତିକ କନ୍ଦଳ ଯୋଗୁଁ ଗ୍ରାମରେ ଗୋଟିଏ ଅଷ୍ଟପ୍ରହରୀ ବଦଳରେ ୨ଟି ଅଷ୍ଟପ୍ରହରୀର ଆୟୋଜନ କରାଯାଇଥିଲା । ଅଷ୍ଟପ୍ରହରୀ ଚାଲିଥିବା ବେଳେ ଗୋଟିଏ ଗୋଷ୍ଠୀର ଜଣେ ଯୁବକ ଅନ୍ୟ ଗୋଷ୍ଠୀର କିଛି ମହିଳାଙ୍କୁ ଗାଳିଗୁଲଜ କରିଥିଲେ । ଏବଂ ତା ପରେ ଆରମ୍ଭ ହୋଇଥିଲା ମହାଭାରତ । ଟେକା ପଥର ମାଡ଼ରେ ଉଭୟ ଗୋଷ୍ଠୀର ବହୁ ଲୋକ ଆହତ ହୋଇଥିଲେ । ଏଥିରେ ଗୁରୁତର ହୋଇଥିବା ୨ଜଣଙ୍କୁ ଭୁବନେଶ୍ଵର କ୍ୟାପିଟାଲ ହସ୍ପିଟାଲକୁୁ ସ୍ଥାନାନ୍ତର କରାଯାଇଛି । ଗ୍ରାମରେ ଉତ୍ତେଜନା ନେଇ ପୋଲିସ ମୁତୟନ ହୋଇଥିଲେ । ଘଟଣାସ୍ଥଳରେ ଅତିରିକ୍ତ ଏସ୍ପି ପୂର୍ଣ୍ଣଚନ୍ଦ୍ର ପ୍ରଧାନ ଏବଂ ନିମାପଡ଼ା SDPO ଦେବାଶିଷ ମିଶ୍ର ପହଞ୍ଚି ଘଟଣାର ସମୀକ୍ଷା କରିଥିଲେ । ଘଟଣାକୁ ନେଇ ଅସ୍ତରଙ୍ଗ ସାମୁଦ୍ରିକ ଥାନାରେ ଦୁଇଟି ମାମଲା ରୁଜୁ ହୋଇଛି । ଉଭୟ ଗୋଷ୍ଠୀର ୬ ଜଣଙ୍କୁ ଗିରଫ କରାଯାଇଛି ।