ଫୁଲବାଣୀ : କନ୍ଧମାଳ ଜିଲ୍ଲା ସଦର ମହକୁମା ଚିକିତ୍ସାଳୟର ପୁରାତନ ସ୍ତ୍ରୀ ଓ ପ୍ରସୂତି ବିଭାଗ ଠାରେ ଜାତୀୟ ସ୍ୱାସ୍ଥ୍ୟ ମିଶନ, ଓଡ଼ିଶା ସରକାରଙ୍କ ଅନୁଦାନ ତଥା ସହଯୋଗରେ ସ୍ପନ୍ଦନ ତିଆଗୋଷ୍ଟିକ୍ ସର୍ଭିସେସ୍, ଭୁବନେଶ୍ଵର ଦ୍ଵାରା ନିଶୁଳ୍କ ସିଟି ସ୍କାନ୍ ସେବାର ଲୋକାର୍ପିତ ଉତ୍ସବ ଆଜି ଅନୁଷ୍ଠିତ ହୋଇଯାଇଛି। ଏହି ଉତ୍ସବରେ ମାନନୀୟ କନ୍ଧମାଳ ସାଂସଦ ଡକ୍ଟର ଅଚ୍ୟୁତ ସାମନ୍ତ ଏବଂ କନ୍ଧମାଳ ଜିଲ୍ଲାପାଳ ଆଶିଷ ଈଶ୍ୱର ପାଟିଲ୍ ଯୋଗଦେଇ ଏହାର ଶୁଭ ଉଦ୍ଘାଟନ କରିଥିଲେ। ମାନନୀୟ ସାଂସଦ କହିଲେ ଜିଲ୍ଲା ସଦର ମହକୁମା ଫୁଲବାଣୀରେ ଲୋକାର୍ପିତ ହୋଇଥିବା ସିଟି ସ୍କାନ୍ ବହୁତ ବଡ଼ ଏବଂ ଉନ୍ନତମାନର । ଜିଲ୍ଲାବାସୀ ତଥା ଫୁଲବାଣୀ ବାସୀଙ୍କର ଏହା ବହୁ ଦିନର ସ୍ୱପ୍ନ ଥିଲା । ତାହା ଆଜି ସାକାର ହୋଇଛି । ମାନ୍ୟବର ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ସମୟରେ ରାଜ୍ୟର ସର୍ବାଙ୍ଗୀନ ଉନ୍ନତି ହେବା ସହିତ ସ୍ବାସ୍ଥ୍ୟ କ୍ଷେତ୍ରରେ ନେଉଥିବା ପଦକ୍ଷେପ ଗୁଡ଼ିକ ଅତୁଳନୀୟ। କନ୍ଧମାଳ ଜିଲ୍ଲାରେ ଉନ୍ନତ ସ୍ୱାସ୍ଥ୍ୟ ସେବା ପାଇଁ ମଧ୍ୟ ଭଲ ପଦକ୍ଷେପମାନ ନେଉଛନ୍ତି ।ସିଟି ସ୍କାନ୍ ପାଇଁ ଲୋକମାନଙ୍କୁ ଟଙ୍କା ଦେବାକୁ ପଡ଼ିବ ନାହିଁ ଏବଂ ଦିବା ରାତ୍ର ୨୪ ଘଣ୍ଟିଆ ସେବା ପାଇପାରିବେ । ରାଜ୍ୟ ସରକାର ସମସ୍ତ ଖର୍ଚ୍ଚ ବହନ କରିବେ ବୋଲି ମାନନୀୟ ସାଂସଦ ଡଃ.ସାମନ୍ତ କହିଥିଲେ । ସେହିପରି ଜିଲ୍ଲା ମୁଖ୍ୟ ଚିକିତ୍ସା ଓ ଜନ ସ୍ବାସ୍ଥ୍ୟ ଅଧିକାରୀ ଡା. ମନୋଜ କୁମାର ଉପାଧ୍ୟାୟ କହିଲେ, ଜିଲ୍ଲାର ଜନସାଧାରଣଙ୍କୁ ଏଣିକି ସିଟି ସ୍କାନ୍ ସେବା ପାଇଁ ଅନ୍ୟ ଜିଲ୍ଲା କିମ୍ବା ଘରୋଇ ହସ୍ପିଟାଲ୍କୁ ଯିବାକୁ ପଡ଼ିବ ନାହିଁ । ଏହି ଲୋକାର୍ପିତ ଉତ୍ସବରେ ଜିଲ୍ଲା ଜନ ସ୍ବାସ୍ଥ୍ୟ ଅଧିକାରୀ ଡା.କଲ୍ୟାଣୀ ମିଶ୍ର, ଅତିରିକ୍ତ ଜନସ୍ବାସ୍ଥ୍ୟ ଅଧିକାରୀ(ପରିବାର କଲ୍ୟାଣ) ଡା. ପ୍ରସନ୍ନ କୁମାର ତ୍ରିପାଠୀ, ଜିଲ୍ଲା ସଦର ମହକୁମା ଚିକିତ୍ସାଳୟର ଅଧୀକ୍ଷକ ଡା. ଅଭୟ କୁମାର ପଟ୍ଟନାୟକ, ଅତିରିକ୍ତ ଜନସ୍ବାସ୍ଥ୍ୟ ଅଧିକାରୀ (ରୋଗ ନିୟନ୍ତ୍ରଣ) ଡା.ବସନ୍ତ କୁମାର ପାତ୍ର , ଜିଲ୍ଲା ସ୍ବାସ୍ଥ୍ୟ ମିଶନ ପ୍ରକଳ୍ପ ପରିଚାଳକ ମନୋରଞ୍ଜନ ସାହୁ, ହସ୍ପିଟାଲ୍ ମ୍ୟାନେଜର ବିଜୟ କୁମାର ମହନ୍ତ, ଶ୍ୟାମ ପ୍ରସାଦ ନାୟକ, ଓ ସ୍ପନ୍ଦନ ଡିଆଗୋଷ୍ଟିକ୍ ସର୍ଭିସେସ୍, ଓଡ଼ିଶା ମୁଖ୍ୟ ସତ୍ୟ ସୁନ୍ଦର ଦାସ ପ୍ରମୁଖ ଉପସ୍ଥିତ ଥିଲେ ।