ଦିନକ ପରେ ସାରା ରାଜ୍ୟରେ ପାଳିତ ହେବ ପବିତ୍ର ହୋଲି ପର୍ବ, ଅଘଟଣ ଏଡ଼ାଇବା ପାଇଁ ୩୪୨ ଟି ଅଗ୍ନିଶମ କେନ୍ଦ୍ରକୁ କରାଇଛନ୍ତି ଅଗ୍ନିଶମ ଡ଼ିଜି

କଟକ: ଦିନକ ପରେ ସାରା ରାଜ୍ୟରେ ପାଳିତ ହେବ ପବିତ୍ର ହୋଲି ପର୍ବ। କୋଭିଡ କଟକଣା ପାଇଁ ଗତ ତିନି ବର୍ଷ ହେବ ସେଭଳି ହୋଲି ଖେଳ ହୋଇ ପାରି ନାହିଁ। ତେଣୁ ଚଳିତ ବର୍ଷ ବେଶ ଧୁମଧାମରେ ହୋଲିଖେଳ ହେବ ବୋଲି ଆଶା କରାଯାଉଛି। ହୋଲି ଖେଳି ସାରିବା ପରେ ବିଭିନ୍ନ ନଦୀ ପୋଖରୀରେ ଲୋକମାନେ ଗାଧୋଇବା ବେଳେ ଅନେକ ବୁଡିଯିବା ଭଳି ଘଟଣା ଘଟିଥାଏ। ସେଥିପାଇଁ ରାଜ୍ୟର ୩୪୨ ଟି ଅଗ୍ନିଶମ କେନ୍ଦ୍ରକୁ ଅଗ୍ନିଶମ ଡ଼ିଜି ଆଲର୍ଟ କରାଇଥିବା ବେଳେ କଟକ ଭୁବନେଶ୍ୱର ଓ ପୁରୀରେ ଅଗ୍ନିଶମ ବାହିନୀର ସ୍ୱତନ୍ତ୍ର ମୁତୟନ କରାଯାଇଛି। କୋଭିଡ଼ କଟକଣା ପରେ ହୋଲି ହେଉଥିବାରୁ ଚଳିତ ବର୍ଷ ହୋଲିକୁ ବେଶ ଧୁମଧାମରେ ପାଳନ କରିବେ ରାଜ୍ୟବାସୀ। ହୋଲି ଖେଳନ୍ତୁ କିନ୍ତୁ ସୁରକ୍ଷିତ ଭାବେ ହୋଲି ଖେଳିବା ଆବଶ୍ୟକ। ହୋଲି ଖେଳିବା ସମୟରେ କୌଣସି ରାସାୟନିକ ରଙ୍ଗ ବା ମୁଣ୍ଡଫଟା ରଙ୍ଗ ବ୍ୟବହାରରୁ ଦୁରେଇ ରୁହନ୍ତୁ। ଏଭଳି ରଙ୍ଗ ନିଜେ ଲଗାନ୍ତୁ ନାହିଁ କିମ୍ବା ଅନ୍ୟ କାହା ଦେହରେ ବୋଳନ୍ତୁ ନାହିଁ। ଏବେ ବଜାରରେ ଅନେକ ପ୍ରାକୃତିକ ଓ ଜୈବିକ ରଙ୍ଗ ମିଳୁଛି, ସେହି ରଙ୍ଗରେ ହୋଲି ଖେଳନ୍ତୁ। ଦେହରେ ରଙ୍ଗ ବୋଳିଲେ ତାର ସକରାତ୍ମକ ପ୍ରଭାବ ମଧ୍ୟ ଶରୀରରେ ରହିଛି। ହୋଲି ଖେଳିବା ଦ୍ୱାରା ଚର୍ମରେ ଥିବା ବ୍ୟାକ୍ଟେରିଆ ନଷ୍ଟ ହୋଇଯାନ୍ତି। କିନ୍ତୁ ଅନେକ ସମୟରେ ରଙ୍ଗ ଛଡ଼ାଇବା ପାଇଁ ଜବରଦସ୍ତ କରନ୍ତୁ ନାହିଁ। ଏହାଦ୍ବାରା ସ୍କିନ ଆଲର୍ଜି ହୋଇଥାଏ। ହୋଲି ଖେଳିବା ପୂର୍ବରୁ ଶରୀରରେ ତେଲ ଲଗାଇ ଖେଳନ୍ତୁ। ହୋଲି ଖେଳିବା ବେଳେ ନିକଟରେ ପାଣି ବାଲଟି ରଖିଥାନ୍ତୁ। ଯଦି ଆଖି ନାକରେ ରଙ୍ଗ ପଶିଗଲା, ତେବେ ତୁରନ୍ତ ସ୍ୱଚ୍ଛ ପାଣିରେ ଧୋଇ ଦିଅନ୍ତୁ। ହୋଲି ଖେଳି ସ୍କିନ ଆଲର୍ଜି ହେଲେ ତୁରନ୍ତ ଚର୍ମରୋଗ ବିଶେଷଜ୍ଞ କିମ୍ବା ଆଖିରେ ପଡିଲେ ଚକ୍ଷୁ ବିଶେଷଜ୍ଞଙ୍କ ପରାମର୍ଶ କରାନ୍ତୁ।

Leave A Reply

Your email address will not be published.