କମୁଛି ବାଉଁଶ ତିଆରି ସାମଗ୍ରୀର ଚାହିଦା

ଦଶପଲ୍ଲା : ପ୍ରୋତ୍ସାହନ ଅଭାବ, ବଜାର ଚାହିଦା କମ୍ ଏବଂ ପ୍ଲାଷ୍ଟିକ୍ ସାମଗ୍ରୀର ବହୁଳ ବ୍ୟବହାର ପାଇଁ ଦିନକୁ ଦିନ ବାଉଁଶ କାରିଗରମାନେ ସେମାନଙ୍କର ଜୀବିକା ହରାଇବାକୁ ବସିଲେଣି। ବିଶେଷ କରି ବାଉଁଶ କାମ ଉପରେ ନିର୍ଭର କରି ପରିବାର ପ୍ରତିପୋଷଣ କରୁଥିବା କାରିଗରଙ୍କ ପ୍ରତି ପ୍ରଶାସନ କୌଣସି ଦୃଷ୍ଟି ଦେଉନାହିଁ। ସେମାନଙ୍କୁ ସ୍ବାବଲମ୍ବୀ କରିବା କ୍ଷେତ୍ରରେ ପ୍ରୋତ୍ସାହନ ଯୋଗାଇବା ହେଉ କି ପ୍ରସ୍ତୁତ କରୁଥିବା ବାଉଁଶ ସାମଗ୍ରୀର ଉଚିତ ପ୍ରାପ୍ୟ ପ୍ରଦାନ ଦିଗରେ କୌଣସି ଗୁରୁତ୍ବ ଦିଆଯାଉନାହିଁ। ଫଳରେ ଏହା ଉପରେ ନିର୍ଭର କରି ଜୀବିକା ନିର୍ବାହ କରୁଥିବା ଦଳିତ ବର୍ଗର ପରିବାର ଧିରେଧିରେ ନିଜର କୌଳିକ ବ୍ୟବସାୟ ଉପରୁ ମୁହଁ ଫେରାଇବାକୁ ବାଧ୍ୟ ହେଉଥିବା ପ୍ରକାଶ କରିଛନ୍ତି। ବିଶେଷ କରି ଦେଖିବାକୁ ଗଲେ ଦଶପଲ୍ଲା ବନାଞ୍ଚଳରେ କଞ୍ଚାମାଲ୍ ଭାବେ ବହୁଳ ଭାବରେ ବାଉଁଶ ମହଜୁଦ୍‌ ରହିଛି। ହେଲେ କେତେକ ସ୍ଥାନରେ ବନ ବିଭାଗର କଟକଣା ହେତୁ ଜଙ୍ଗଲରୁ ବାଉଁଶ ସଂଗ୍ରହ କରିବାରେ ପ୍ରତିବନ୍ଧକ ସୃଷ୍ଟି ହେଉଛି। ଏଥିପ୍ରତି ପ୍ରଶାସନ ପକ୍ଷରୁ ମଧ୍ୟ କୌଣସି ବ୍ୟବସ୍ଥା କରାଯାଉନାହିଁ। ଦଶପଲ୍ଲା ବ୍ଲକ୍‌ର ପୋଖରୀଗୋଛା ପଞ୍ଚାୟତର କଇଁଆଡିହଁ, ତେଣ୍ତାବାଡ଼ି ପଞ୍ଚାୟତର ପୋଇବାଡ଼ି, ଭୋଗବାଡ଼ି ପଞ୍ଚାୟତର ସାଦଭୁଇଁ ସମେତ ଅନେକ ସ୍ଥାନରେ ଦଳିତ ପରିବାରଗୁଡ଼ିକ ନିଜର କୌଳିକ ବ୍ୟବସାୟକୁ ଆପଣାଇଛନ୍ତି। ଦୈନିକ ଜଙ୍ଗଲରୁ ବାଉଁଶ ସଂଗ୍ରହ କରିବା, ଏହାକୁ କାଟି କୁଲା, ଡାଲିଆ, ମାଣ, ପାଛିଆ ଆଦି ପ୍ରସ୍ତୁତ କରିବାରେ ବହୁ ଶ୍ରମ ନିବେଶ କରିବାକୁ ପଡ଼ୁଛି। ମାତ୍ର ବଜାରର ଚାହିଦା ନଥିବା ହେତୁ ମଜୁରି ଉଠୁନଥିବା କହୁଛନ୍ତି।

Leave A Reply

Your email address will not be published.