ବାଟ ହୁଡ଼ିଲାଣି ଭିକାରିମୁକ୍ତ ଅଭିଯାନ: ଭିକାରିମୁକ୍ତ ହୋଇଥିବା ପୁରୀ ସହରରେ ଏବେ ପୁଣି ଭିକାରିଙ୍କ ଭିଡ଼

ପୁରୀ : ଶ୍ରୀ‌କ୍ଷେତ୍ରକୁ ବିଶ୍ବସ୍ତରୀୟ ଐତିହ୍ୟ ସ୍ଥଳରେ ପରିଣତ କରିବା ପାଇଁ ସହରକୁ ନୂଆ ରୂପରେଖ ଦିଆଯାଉଛି। ଅବଢ଼ାରୁ ନେଇ ହୃଦୟ ଭଳି ଯୋଜନାରେ ଶହଶହ କୋଟି ଟଙ୍କା ବ୍ୟୟ ହେଉଛି। ଅଥଚ ଦିନେ ଭିକାରିମୁକ୍ତ ହୋଇଥିବା ସହରରେ ଏବେ ପୁଣି ଭିକାରିଙ୍କ ଭିଡ଼ ଦେଖିବାକୁ ମିଳିଲାଣି। ପର୍ଯ୍ୟଟକମାନେ ମଧୁର ଅନୁଭବ ନେଇ ଫେରିବା ଲକ୍ଷ୍ୟରେ ଗତ ଦୁଇବର୍ଷ ତଳେ ଭିକାରିମୁକ୍ତ ଅଭିଯାନ ଆରମ୍ଭ ହୋଇଥିଲେ ହେଁ ପୁନର୍ବାର ଭିକ୍ଷାବୃତ୍ତି ପାଇଁ ରାସ୍ତାକୁ ଓହ୍ଲାଇ ଆସିଲେଣି। ପର୍ଯ୍ୟଟକଙ୍କ ଦୃଷ୍ଟିରୁ ସେମାନକୁ ଦୂରେଇ ରଖାଯିବା ପାଇଁ ପରିକଳ୍ପନା ହୋଇଥିଲେ ହେଁ ସଂପ୍ରତି ସେମାନେ ସେଇ ପର୍ଯ୍ୟଟକମାନଙ୍କୁ ଟାର୍ଗେଟ୍‌ କରୁଛନ୍ତି। ୨୦୨୦ ମସିହାରୁ ବିଶ୍ବସ୍ତରୀୟ ଐତିହ୍ୟ ସହରର ପରିକଳ୍ପନା କରାଯାଇଥିଲା। ଟାର୍ଗେଟ୍‌ ଥିଲା, ନୋ ପାର୍କିଂ ଜୋନ ଓ ନୋ ଭେଣ୍ଡିଂ ଜୋନ୍‌ ସହ ପୁରୀକୁ ଭିକାରିମୁକ୍ତ କରିବା। ଏନେଇ ସେହି ବର୍ଷ ପ୍ରାରମ୍ଭରେ ପ୍ରଥମେ ଶ୍ରୀମନ୍ଦିର ନିକଟରେ ବସୁଥିବା ଭିକାରିମାନଙ୍କୁ ହଟାଯାଇଥିଲା। ଏଥିପାଇଁ ବହୁ ସାଧନ ଖର୍ଚ୍ଚ କରିବାକୁ ପଡ଼ିଥିଲା। ପୁରୀରେ ସେମାନଙ୍କୁ ଥଇଥାନ କରିବା ଉଦ୍ଦେଶ୍ୟ ନେଇ ସହର ମଧ୍ୟରେ ଦୁଇଟି ଓ ସମଗ୍ର ଜିଲ୍ଲାକୁ ମିଶାଇ ୭ଟି ନୀଳାଦ୍ରି ନିଳୟ କରାଯାଇଛି। ଏଠାରେ ଭିକାରିମାନଙ୍କୁ ଖାଦ୍ୟପେୟ ସହ ରହିବାକୁ ନିରାଶ୍ରିତ ଆଶ୍ରୟସ୍ଥଳୀ, ଔଷଧ ବ୍ୟବସ୍ଥା କରାଯାଇଛି। ୭ଟି ଭିକାରି ପୁନର୍ବାସ ଗୃହରେ ୫୦ ଜଣ ଲେଖାଏଁ ରହିବାର ବ‌ନ୍ଦୋବସ୍ତ ରହିଛି। ମାତ୍ର ଏବେ ବି ପ୍ରଭୁ ଶ୍ରୀଲୋକନାଥଙ୍କ ପୀଠରେ ବହୁ ବ୍ୟକ୍ତି ଭିକ୍ଷାବୃତ୍ତି କରୁଛନ୍ତି। ଭିକ୍ଷାବୃତ୍ତିରୁ ଟଙ୍କା ରୋଜଗାରର ନିଶା ଏମିତି ଘାରିଛି ଯେ ସେମାନଙ୍କୁ ପୁନର୍ବାସ ଗୃହକୁ ନେଇ ସମସ୍ତ ସୁବିଧା ସୁଯୋଗ ଯୋଗାଇଲେ ବି ସେମାନେ ବେଶିଦିନ ରହୁନାହାନ୍ତି।

Leave A Reply

Your email address will not be published.