ମୌଳିକ ସୁବିଧାରୁ ବଞ୍ଚିତ ଡମୁଗୁଡ଼ା ଗ୍ରାମବାସୀ

ମୈଦଲପୁର : ସ୍ୱାଧୀନତାର ୭୫ ବର୍ଷ ପରେ ମଧ୍ୟ ଗାଁକୁ ପକ୍କା ରାସ୍ତା ହୋଇପାରିନାହିଁ। ଫଳରେ ଗ୍ରାମବାସୀ ମୌଳିକ ସୁବିଧାରୁ ବଞ୍ଚିତ ହୋଇଛନ୍ତି। ବିଶେଷ କରି ରୋଗୀ ତଥା ଗର୍ଭବତୀ ଖଟିଆରେ ବୁହା ହେଉଛନ୍ତି। ଏଭଳି ଦୁର୍ବିସହ ଜୀବନ ବିତାଉଛନ୍ତି ନବରଙ୍ଗପୁର ଜିଲ୍ଲା ପାପଡ଼ାହାଣ୍ଡି ବ୍ଲକ୍ ମାଝୀଗୁଡ଼ା ଗ୍ରାମପଞ୍ଚାୟତ ଅନ୍ତର୍ଗତ ଡମୁଗୁଡ଼ା ଗ୍ରାମବାସୀ। ଡମୁଗୁଡ଼ା ଗ୍ରାମରେ ୨୦ ପରିବାରରେ ପ୍ରାୟ ଶହେରୁ ଊର୍ଦ୍ଧ୍ବ ଲୋକ ବସବାସ କରନ୍ତି। ଗ୍ରାମବାସୀ ଜଙ୍ଗଲ ଜମିରେ ଚାଷ କରିବା ସହ ଜଙ୍ଗଲଜାତ ଦ୍ରବ୍ୟ ଆଣି ଗୁଜୁରାଣ ମେଣ୍ଟାଇଥାନ୍ତି। କିନ୍ତୁ ଗାଁକୁ ଯିବା ପାଇଁ ଶିରାଗୁଡ଼ାଠାରୁ ୪ କିଲୋମିଟର ପର୍ଯ୍ୟନ୍ତ ରାସ୍ତା ନିର୍ମାଣ ହୋଇନଥିବାରୁ ଗ୍ରାମବାସୀ ବିଭିନ୍ନ ସମସ୍ୟାରେ ସମ୍ମୁଖୀନ ହୋଇଥାନ୍ତି। ରାସ୍ତା ନଥିବାରୁ ରୋଗୀ ତଥା ଗର୍ଭବତୀଙ୍କୁ ଖଟିଆରେ ଭାର କରି ୪ କିମି ଶିରାଗୁଡ଼ା ପର୍ଯ୍ୟନ୍ତ ବୋହି ନିଆଯାଇଥାଏ। ସେଠାରୁ କୌଣସି ଗାଡ଼ି କିମ୍ବା ଆମ୍ବୁଲାନ୍ସ ଯୋଗେ ସ୍ୱାସ୍ଥ୍ୟକେନ୍ଦ୍ର ନିଆଯାଇଥାଏ। ସେହିପରି ଗ୍ରାମରେ ଅଙ୍ଗନବାଡି କିମ୍ବା ବିଦ୍ୟାଳୟ ମଧ୍ୟ ସ୍ଥାପନ କରାଯାଇନାହିଁ। ତେଣୁ ପାଠ ପଢ଼ିବା ପାଇଁ ଗ୍ରାମର ଛାତ୍ରଛାତ୍ରୀ ଚାରି କିଲୋମିଟର ଶୋଚନୀୟ ରାସ୍ତା ପାର ହୋଇ କଳାଭାଟିଗୁଡ଼ା ଗାଁକୁ ଯାଇଥାନ୍ତି। କୁନି କୁନି ପିଲା ଏବଂ ଗର୍ଭବତୀଙ୍କ ପାଇଁ ପୁଷ୍ଟିକର ଖାଦ୍ୟ ଆଣିବା ପାଇଁ ଶିରାଗୁଡ଼ା ଅଙ୍ଗନବାଡି କେନ୍ଦ୍ରକୁ ଯିବାକୁ ପଡ଼ିଥାଏ।

Leave A Reply

Your email address will not be published.