ବାଇକ ଉପରେ ମାଡିଗଲା ଟ୍ରକ: ଜଣେ ମୃତ, ଅନ୍ୟଜଣେ ଗୁରୁତର

ଯାଜପୁର : ବାଇକ ଉପରେ ମାଡିଗଲା ଟ୍ରକ। ଜଣେ ମୃତ, ଅନ୍ୟଜଣେ ଗୁରୁତର। ଏଭଳି ମର୍ମନ୍ତୁଦ ସଡ଼କ ଦୁର୍ଘଟଣା ଘଟିଛି ଯାଜପୁର ଜିଲ୍ଲା ୧୬ନଂ ଜାତୀୟ ରାଜପଥ ଚଣ୍ଡିଖୋଲ ଟ୍ରାଫିକ ଛକ ଉପରେ। ମୃତ ବ୍ୟକ୍ତି ଜଣକ କୁଆଖିଆ ଥାନା ମଧୁବନ ମିର୍ଜାପୁର ଅଞ୍ଚଳର ବୋଲି ସୂଚନା ମିଳିଛି। ସୂଚନ ମୁତାବକ ଆଜି ସକାଳୁ ବାଇକ ଆରୋହୀ ଦୁହେଁ କଟକ ଅଭିମୁଖେ ଯାଉଥିବା ବେଳେ ଚଣ୍ଡିଖୋଲ ଟ୍ରାଫିକ ଛକରେ ଥିବା ହମ୍ପସ ଅତିକ୍ରମ କରୁଥିବା ସମୟରେ ଭାରସାମ୍ୟ ହରାଇ ତଳେ ପଡିଯାଇଥିଲେ। ଏହି ସମୟରେ ଏକ ଟ୍ରକ ତାଙ୍କ ଉପରେ ମାଡି ଯାଇଥିଲା। ଫଳରେ ଘଟଣାସ୍ଥଳରେ ହିଁ ଜଣଙ୍କର ମୃତ୍ୟୁ ଘଟିଥିବା ବେଳେ ଅନ୍ୟ ଜଣେ ଗୁରୁତର ଭାବେ ଆହତ ହୋଇଥିଲେ। ଆହତଙ୍କୁ ଚଣ୍ଡିଖୋଲ ଅଗ୍ନିଶମ ବାହିନୀର କର୍ମଚାରୀ ମାନେ ଉଦ୍ଧାର କରି ବଡ଼ଚଣା ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ରରେ ଭର୍ତ୍ତି କରିଛନ୍ତି। ଦୁର୍ଘଟଣା ପରେ ଗାଡ଼ି ଚଳାଚଳ କିଛି ସମୟ ପାଇଁ ବାଧାପ୍ରାପ୍ତ ହୋଇଥିଲା। ଖବର ପାଇ ଚଣ୍ଡିଖୋଲ ଫାଣ୍ଡି ପୋଲିସ ଘଟଣାସ୍ଥଳରେ ପହଞ୍ଚି ମୃତଦେହକୁ ଜବତ କରି ବ୍ୟବଛେଦ ପାଇଁ ପଠାଇ ଘଟଣାର ତଦନ୍ତ ଜାରି ରଖିଛି।

Leave A Reply

Your email address will not be published.