ବିଶ୍ୱ ଜଳ ଦିବସ: ଦୁନିଆର ୨୬% ଲୋକ ପିଇବା ପାଣି ବିନା ଛଟପଟ, ରିପୋର୍ଟ ପ୍ରକାଶ କଲା ମିଳିତ ଜାତିସଂଘ

ଆମେରିକା ; ବିଶ୍ୱ ଜଳ ଦିବସ ଅବସରରେ ମିଳିତ ଜାତିସଂଘ ଏକ ରିପୋର୍ଟ ପ୍ରକାଶ କରିଛି। ମଙ୍ଗଳବାର ପ୍ରକାଶିତ ଏହି ରିପୋର୍ଟରେ କୁହାଯାଇଛି, ବିଶ୍ୱର ୨୬ ପ୍ରତିଶତ ଲୋକଙ୍କ ପାଖରେ ପିଇବା ପାଇଁ ବିଶୁଦ୍ଧ ପାଣି ନାହିଁ। ଏହିପରି ୪୬ ପ୍ରତିଶତ ଲୋକଙ୍କ ପାଖରେ ମୌଳିକ ପରିମଳ ବ୍ୟବସ୍ଥା ନାହିଁ। ମିଳିତ ଜାତିସଂଘ ବିଶ୍ୱ ଜଳ ବିକାଶ ରିପୋର୍ଟ ୨୦୨୩ରେ ସମସ୍ତ ଲୋକଙ୍କ ପାଇଁ ସ୍ୱଚ୍ଛ ପାଣି ଏବଂ ପରିମଳ ସୁବିଧା ସୁନିଶ୍ଚିତ କରିବା ବିଷୟରେ ସୂଚନା ଦିଆଯାଇଛି। ରିପୋର୍ଟର ମୁଖ୍ୟ ସମ୍ପାଦକ ରିଚାର୍ଡ କନର ଏକ ନ୍ୟୁଜ୍‌ ସମ୍ମିଳନୀରେ କହିଛନ୍ତି, ଲକ୍ଷ୍ୟ ପୂରଣ ପାଇଁ ଆନୁମାନିକ ମୂଲ୍ୟ ୬୦୦ ବିଲିୟନ ଆମେରିକୀୟ ଡଲାରରୁ ୧ ଟ୍ରିଲିୟନ ଆମେରିକୀୟ ଡଲାର ମଧ୍ୟରେ ରହିଛି। ସେ କହିଛନ୍ତି ଯେ ନିବେଶକ, ଫାଇନାନ୍ସିୟର୍ସ, ସରକାର ଏବଂ ଜଳବାୟୁ ପରିବର୍ତ୍ତନ ସମ୍ପ୍ରଦାୟ ସହିତ ସହଭାଗିତା ଗଠନ କରାଯାଉଛି। ଏହା ସୁନିଶ୍ଚିତ କରାଯାଉଛି କି, ପରିବେଶ ସୁରକ୍ଷା ପାଇଁ ଟଙ୍କା ଖର୍ଚ୍ଚ ହେଉଛି ଏବଂ ୨୦୦ କୋଟି ଲୋକ ବିଶୁଦ୍ଧ ପାନୀୟ ଜଳ ପାଇ ପାରିବେ। ରିପୋର୍ଟ ଅନୁସାରେ, ଗତ ୪୦ ବର୍ଷ ମଧ୍ୟରେ ବିଶ୍ୱ ସ୍ତରରେ ପ୍ରତିବର୍ଷ ଏକ ପ୍ରତିଶତ ହାରରେ ପାଣିର ଉପଯୋଗ ବଢ଼ୁଛି। ୨୦୫୦ ପର୍ଯ୍ୟନ୍ତ ସମାନ ହାରରେ ଏହା ବୃଦ୍ଧି ପାଇବ ବୋଲି ଆଶା କରାଯାଉଛି। କାରଣ, ଜନସଂଖ୍ୟା ବୃଦ୍ଧି, ସାମାଜିକ-ଆର୍ଥିକ ବିକାଶ ଏବଂ ଜଳର ବ୍ୟବହାର ପଦ୍ଧତି ବଦଳୁଛି। ରିପୋର୍ଟରେ ଆହୁରି ବି କୁହାଯାଇଛି, ଜଳବାୟୁ ପରିବର୍ତ୍ତନ ହେତୁ ଜଳର ଅଭାବ ସେହି ସବୁ ଅଞ୍ଚଳରେ ବୃଦ୍ଧି ପାଉଛି, ଯେଉଁଠି ଏହା ପୂର୍ବରୁ ହିଁ କମ୍ ରହିଛି। ଯେପରି, ମଧ୍ୟ ଆଫ୍ରିକା, ପୂର୍ବ ଏସିଆ ଏବଂ ଦକ୍ଷିଣ ଆମେରିକାର କିଛି ଅଂଶ। ଏହା ବ୍ୟତୀତ ମଧ୍ୟପୂର୍ବ ଏବଂ ଆଫ୍ରିକାର ସହାରାରେ ଅବସ୍ଥା ଆହୁରି ଖରାପ ହେବାକୁ ଯାଉଛି। ରିପୋର୍ଟ ମୁତାବକ, ବର୍ଷରେ ଅତି କମରେ ଗୋଟିଏ ମାସ ୩୫୦ କୋଟି ଲୋକ ଜଳ ଅଭାବର ସମ୍ମୁଖୀନ ହେଉଛନ୍ତି।

Leave A Reply

Your email address will not be published.