ନିର୍ଯାତନା ନିଆଁରେ ଆଉ ଜଣେ ବିବାହିତା

ଭୁବନେଶ୍ୱର: ସତ୍ୟବାଦୀ ଗାଁର ବାସିନ୍ଦା ତଥା ଗ୍ରାମରକ୍ଷୀ ରାମଚନ୍ଦ୍ର ମଲିକ। ପାଖାପାଖି ଦୁଇ ବର୍ଷ ତଳେ ପିପିଲି ନିକଟ ଗୋକନ ଗାଁର ପ୍ରକାଶ ମଲିକ ସହିତ ବିବାହ ଦେଇଥିଲେ ନିଜ ଝିଅ ରଶ୍ମିକୁ । କିନ୍ତୁ ଗତ ୨୧ ତାରିଖ ଦିନ ରାତିରେ ରାମଚନ୍ଦ୍ରଙ୍କ ଝିଅ ରଶ୍ମିର ମୃତ୍ୟୁ ହୋଇ ଯାଇ ଥିବା ଖବର ପାଇଲେ । ଅଚାନକ ଏଭଳି ଖବରରେ ସ୍ତବ୍ଧ ହୋଇଗଲା ପୂରା ପରିବାର । ତେବେ ମୃତଦେହ ଭୁବନେଶ୍ୱର କ୍ୟାପିଟାଲ ହସ୍ପିଟାଲରେ ପହଞ୍ଚି ସାରିଥିବାରୁ ସେଠାକୁ ଦୌଡ଼ି ଆସିଥିଲେ ଝିଅ ରଶ୍ମିକୁ ଦେଖିବା ପାଇଁ । ଆଶା ଥିଲା, ଭୁଲ ଖବର ନୁହେଁ ତ ? କିନ୍ତୁ ଝିଅକୁ ପାଇ ନଥିଲେ ବାପା ରାମଚନ୍ଦ୍ର ଏବଂ ପରିବାର ଲୋକେ । ଅନେକ ଖୋଜାଖୋଜି ପରେ ଫାଣ୍ଡି ପୋଲିସ ଠାରୁ ଜାଣିବାକୁ ପାଇଥିଲେ ଶବ ବ୍ୟବଚ୍ଛେଦ ଘରେ ଝିଅ ମରି ଶୋଇଛି ।ସୂଚନା ଥାଉକି, ପିପିଲି ଥାନା ଅନ୍ତର୍ଗତ ଗୋକନ ଗାଁର ପ୍ରକାଶ ମଲିକ ନାମକ ଯୁବକ ସହିତ ରଶ୍ମିର ବିବାହ ହୋଇଥିଲା । ପ୍ରକାଶ କୁଆଡେ ବାହାଘର ପର ଠାରୁ ଯୌତୁକ ଜନିତ ଅତ୍ୟାଚାର କରି ଆସୁଥିଲେ ରଶ୍ମି ଉପରେ । ଏଭଳି ଅଭିଯୋଗ କରିଛନ୍ତି ବାପା ରାମଚନ୍ଦ୍ର । ଝିଅର ମୃତ୍ୟୁକୁ ନେଇ ସନ୍ଦେହ ପ୍ରକାଶ କରିଛନ୍ତି । ପିପିଲି ଥାନାରେ ଅଭିଯୋଗ କରିଛନ୍ତି । ଅନ୍ୟ ପକ୍ଷରେ ଝିଅ ରଶ୍ମିର ମୃତ ଶରୀରକୁ ଛାଡି ସ୍ୱାମୀ ଶାଶୁ, ଶଶୁର ଫେରାର ଥିବା କୁହାଯାଉଛି । ଘରେ ତାଲା ପଡ଼ିଛି । ରଶ୍ମିର ଗୋଟିଏ ତିନି ମାସର ପିଲା ଅଛି । ତାକୁ ନେଇ ବାପ ଘର ଲୋକେ ଚିନ୍ତାରେ ।

Leave A Reply

Your email address will not be published.