ପ୍ରବାସୀ ଆଶ୍ରୟ ସ୍ଥଳୀରେ ନିଆଁ ଲାଗି ୩୯ ଜଣ ଜଳି ଗଲେ, ଅନେକ ଲୋକ ଆହତ

ମେକସିକୋ : ମେକସିକୋରେ ଘଟିଛି ଭୟଙ୍କର ଘଟଣା । ଏ ଆଶ୍ରୟ ସ୍ଥଳୀରେ ନିଆଁ ଲାଗି ୩୯ ଜଣ ଜୀବନ୍ତ ଦଗଧ ହୋଇଛନ୍ତି । ସୂଚନା ଅନୁସାରେ ଆମେରିକା ସୀମାରେ ଥିବା ମେସିକୋର ଉତ୍ତର ଭାଗରେ ଏହି ଅଘଟଣ ଘଟିଛି । ଅଟକ ରଖା ଯାଉଥିବା ପ୍ରବାସୀମାନଙ୍କ ପାଇଁ ଥିବା ଆଶ୍ରୟ ସ୍ଥଳୀରେ ନିଆଁ ଲାଗି ଯାଇଥିଲା । ଏଥିରେ ୩୯ ଜଣ ପୋଡ଼ି ମରିଥିବା ବେଳେ ବହୁ ଲୋକ ଆହତ ହୋଇଛନ୍ତି । ନେସନାଲ ମାଇଗ୍ରେସନ୍‌ ଇନଷ୍ଟିଚ୍ୟୁଟ୍‌ ତରଫରୁ ନିକଟରେ ଖୋଳତାଡ଼ କରାଯାଇ ରାସ୍ତାରେ ବୁଲୁଥିବା ୭୧ ଜଣ ପ୍ରବାସୀଙ୍କୁ ଧରା ଯାଇଥିଲା । ଯେଉଁମାନେ ବେଆଇନ୍‌ ଭାବେ ଦେଶକୁ ଅନୁପ୍ରବେଶ କରିଥିଲେ । ମେକ୍ସିକୋରୁ ଲୁଚି କରି ଆମେରିକା ପଳାଇ ଯାଉଥିବା ଲୋକଙ୍କୁ ଏହି ଆଶ୍ରୟ ସ୍ଥଳୀରେ ଅଟକ ରଖା ଯାଇଥିଲା । ଆମେରିକା ଟେକ୍ସାସର ସୀମାରେ ଥିବା ମେକ୍ସିକୋର ସ୍ୟୁଦାଦ ଜୁଆରେଜ ଠାରେ ଏହି ଆଶ୍ରୟ ସ୍ଥଳୀ ରହିଛି । ସେଠାରେ ସୋମବାର ରାତିରେ ଅଚାନକ ନିଆଁ ଲାଗି ଯାଇଥିଲା । ଭିତରୁ କେବଳ ଅନ୍ତେବାସୀଙ୍କ ଚିତ୍କାର ଶୁଭୁଥିଲା । ଦୌଡ଼ା ଦୌଡ଼ି ହେଉଥିଲେ । ଅର୍ଦ୍ଧରାତି ହୋଇଥିବାରୁ ତୁରନ୍ତ ସେଠାରେ ନିଆଁ ଲିଭାଳି ପହଞ୍ଚି ପାରି ନଥିଲେ । ତେବେ ପରେ ଉଦ୍ଧାର କାର୍ଯ୍ୟ କରାଯାଇ ଆହତମାନଙ୍କୁ ହସପିଟାଲ ପଠା ଯାଇଥିଲା । ଏପର୍ଯ୍ୟନ୍ତ ନିଆଁ ଲାଗିବାର କାରଣ ଜଣାପଡ଼ି ନାହିଁ । ସେହିପରି ମୃତକମାନେ କେଉଁ ଦେଶର ନାଗରିକ ତାହା ମଧ୍ୟ ସ୍ପଷ୍ଟ ହୋଇ ନାହିଁ ।

Leave A Reply

Your email address will not be published.