ଶୂନ୍ୟ ମୃତ୍ୟୁ ସପ୍ତାହରେ ଅଘଟଣ: ଟ୍ରକ ପଛରେ ପିଟିଲା ଟ୍ରଲର, ଜଳିଗଲା ଡ୍ରାଇଭର

ଯାଜପୁର : ରାଜ୍ୟ ପରିବହନ କର୍ତ୍ତୃପକ୍ଷ ଓ ଓଡ଼ିଶା ପୁଲିସର ମିଳିତ ଉଦ୍ୟମରେ ଗତ ଏପ୍ରିଲ୍‌ ପହିଲାରୁ ରାଜ୍ୟବ୍ୟାପୀ ଆରମ୍ଭ ହୋଇଥିବା ମୃତ୍ୟୁ ଶୂନ୍ୟ ସପ୍ତାହ ପାଳନ କରୁଛନ୍ତି। ତେବେ ଶୂନ୍ୟ ମୃତ୍ୟୁ ସପ୍ତାହ ଚାଲିଥିଲେ ବି ଦୁର୍ଘଟଣା ଥମିବାର ନାଁ ଧରୁନି। ଆଜି ଭୋରୁ ଯାଜପୁର ଜିଲ୍ଲା ଧର୍ମଶାଳା ଥାନା ଜାରକା ଦେଉଳି ନିକଟରେ ଏକ ମର୍ମନ୍ତୁଦ ଦୁର୍ଘଟଣା ଘଟିଛି। ଜାତୀୟ ରାଜପଥରେ ବ୍ରେକ ଡାଉନ ହୋଇ ଛିଡା ହୋଇଥିବା ଏକ ଟ୍ରକ ପଛରେ ରଡ଼ ଵୋଝେଇ ଏକ ଟ୍ରଲର ଧକ୍କା ଦେଇଥିଲା। ଫଳରେ ଟ୍ରଲରର ସମ୍ମୁଖ ଭାଗ କ୍ୟାବିନରେ ନିଆଁ ଲାଗିଯାଇଥିଲା। ଗାଡି ଭିତରେ ଥିବା ଡ୍ରାଇଭର ସମ୍ଭବତଃ ଚାପି ହୋଇ ରହିଯିବାରୁ ସେ ଜଳି ଯାଇ ମୃତ୍ୟୁ ବରଣ କରିଥିବା ସୂଚନା ମିଳିଛି।ସୂଚନାଯୋଗ୍ୟ, ଭୋର ପ୍ରାୟ ୫ଟାରେ ଓଆର ୧୪ ୱାଇ ୪୬୧୭ ନମ୍ବର ବିଶିଷ୍ଟ ଗୋଟିଏ ଲୁହାଛଡ ବୋଝେଇ ଗାଡି ରାସ୍ତାରେ ପମ୍ପଚର ହୋଇ ଛିଡା ହୋଇଥିଲା। ଉକ୍ତ ଗାଡିର ଡ୍ରାଇଭର ଟାୟାରର ଲିକ ସଜାଡୁଥିଲେ। ଏତିକି ବେଳେ ପଛରୁ ଓଡି ୧୦ କେ ୦୨୩୮ ନମ୍ବର ବିଶିଷ୍ଟ ଆଉ ଗୋଟିଏ ଲୁହା ଛଡ ବୋଝେଇ ଟ୍ରକ ଆସି ଧକ୍କା ଦେଇଥିଲା। ଫଳରେ ଡ୍ରାଇଭରର ମୃତ୍ୟୁ ହୋଇଛି। ଏପଟେ ଗାଡିର ହେଲପର ଗୁରୁତର ଭାବେ ଆହତ ହୋଇଥିବାରୁ ତାଙ୍କୁ ଉଦ୍ଧାର କରାଯାଇ ଡ଼ାକ୍ତରଖାନାରେ ଭର୍ତ୍ତି କରାଯାଇଛି। ଖବର ପାଇ ଘଟଣାସ୍ଥଳରେ ଚଣ୍ଡିଖୋଲ ଅଗ୍ନିଶମ ବାହିନୀର କର୍ମଚାରୀ ମାନେ ପହଂଚି ରାସ୍ତାରୁ ଗାଡି ହଟାଇବାକୁ ଉଦ୍ୟମ ଜାରି ରଖିଛନ୍ତି। ଏପଟେ ଧର୍ମଶାଳା ପୋଲିସ ପହଁଚି ତଦନ୍ତ ଆରମ୍ଭ କରିଛି।

Leave A Reply

Your email address will not be published.