ହାଇକୋର୍ଟରେ ଦାୟର ଶିଶୁଭବନ ସଂପର୍କିତ ମାମଲାରେ ଜବାବ ରଖ, ରାଜ୍ୟ ସରକାରଙ୍କୁ ନିର୍ଦ୍ଦେଶ ଦେଲେ ହାଇକୋର୍ଟ

ହାଇକୋର୍ଟ : ହାଇକୋର୍ଟରେ ଦାୟର ଶିଶୁଭବନ ସଂପର୍କିତ ମାମଲାରେ ଜବାବ ରଖିବା ପାଇଁ ରାଜ୍ୟ ସରକାରଙ୍କୁ ନିର୍ଦେଶ ଦେଇଛନ୍ତି ହାଇକୋର୍ଟ। ଆଇନଜୀବୀ କମିଟି ପକ୍ଷରୁ ଦାଖଲ ହୋଇଥିବା ଦ୍ବିତୀୟ ରିପୋର୍ଟ ଉପରେ ଜବାବ ରଖିବା ସହ ବର୍ତ୍ତମାନର ସ୍ଥିତି ସମ୍ପର୍କରେ ସତ୍ୟପାଠ ଦାଖଲ ପାଇଁ ମୁଖ୍ୟ ବିଚାରପତି ଡକ୍ଟର ଜଷ୍ଟିସ ଏସ.ମୁରଲୀଧର ଓ ଜଷ୍ଟିସ ଗୌରୀଶଙ୍କର ଶତପଥୀଙ୍କୁ ନେଇ ଗଠିତ ଖଣ୍ଡପୀଠ ରାଜ୍ୟ ସରକାରଙ୍କୁ ନିର୍ଦେଶ ଦେଇଛନ୍ତି। ମାମଲାର ପରବର୍ତୀ ଶୁଣାଣି ମେ ୮ରେ ହେବ ବୋଲି ଧାର୍ଯ୍ୟ ହୋଇଛି। ପୂର୍ବ ଶୁଣାଣି ସମୟରେ ସରକାରଙ୍କ ତରଫରୁ ସତ୍ୟପାଠ ଦାଖଲ କରାଯାଇଥିଲା। ଶିଶୁଭବନ ଅଧୀକ୍ଷକ ସତ୍ୟପାଠ ଦାଖଲ କରି ଦର୍ଶାଇଥିଲେ ଯେ ପରିମଳ ଓ ଅନ୍ୟାନ୍ୟ ପ୍ରସଙ୍ଗରେ ପଦକ୍ଷେପ ଗ୍ରହଣ କରାଯାଇଛି। ଏଥି ସହିତ ଫଟୋଗ୍ରାଫ ମଧ୍ୟ ଅଧୀକ୍ଷକଙ୍କ ତରଫରୁ ଦାଖଲ କରାଯାଇଥିଲା। ତେବେ ଏହି ସତ୍ୟପାଠ ଉପରେ ଆଇନଜୀବୀ କମିଟି ଶିଶୁ ଭବନ ଗସ୍ତ କରି ସ୍ଥିତି ଅନୁଧ୍ୟାନ କରିବ। ସତ୍ୟପାଠରେ ଯେଉଁ ପଦକ୍ଷେପ ସଂପର୍କରେ ଉଲ୍ଲେଖ କରାଯାଇଛି ତାହା ସତ କି ନାହିଁ କମିଟି ଅନୁଧ୍ୟାନ କରିବ ବୋଲି ହାଇକୋର୍ଟ କହିଥିଲେ। ଏହି କମିଟିରେ ଆଇନଜୀବୀ ଅରୁଣ କୁମାର ବୁଦ୍ଧିଆ, ନିବାସ ଚନ୍ଦ୍ର ମିଶ୍ର, ଅଜୟ କୁମାର ମହାନ୍ତି ଓ ଏ.ପି.ଦାସ ଅଛନ୍ତି। ଆଇନଜୀବୀମାନେ ବିଭିନ୍ନ ୱାର୍ଡର ସ୍ଥିତି ଅନୁଧ୍ୟାନ କରିବା ସହିତ ଭିଡିଓ କ୍ଲିପିଂ ଓ ଫଟୋଗ୍ରାଫ୍ ଉତ୍ତୋଳନ କରି ହାଇକୋର୍ଟରେ ରିପୋର୍ଟ ଦାଖଲ କରିଥିଲେ। ଏହି ରିପୋର୍ଟ ଉପରେ ପକ୍ଷ ରଖିବାକୁ ସରକାରଙ୍କୁ ହାଇକୋର୍ଟ ନିର୍ଦ୍ଦେଶ ଦେଇଥିଲେ।

Leave A Reply

Your email address will not be published.