ମହିଳା ଫାଇନାନ୍ସ କର୍ମଚାରୀଙ୍କୁ ହତ୍ୟା ଘଟଣା: ହାତ୍ୟାକାରୀ ପ୍ରେମିକ ସହ ୨ ଅଭିଯୁକ୍ତ ଗିରଫ

ଦେବଗଡ଼ : ବ୍ରେକଅପ୍‌ ପରେ ପ୍ରେମିକାକୁ ହତ୍ୟା । ହାତ୍ୟାକାରୀ ପ୍ରେମିକଙ୍କ ସହ ୨ ଅଭିଯୁକ୍ତଙ୍କୁ ଘଟଣାସ୍ଥଳକୁ ନେଇ ସିନ୍‌ ରିକ୍ରିଏସନ୍‌ କରିଛି ପୋଲିସ । ଗତ ମଙ୍ଗଳବାର ରାତିରେ ଭାରତ ଫାଇନାନ୍ସରେ କାମ କରୁଥିବା ସମ୍ବଲପୁର କୁଚିଣ୍ଡା ଅଞ୍ଚଳର ରୀତା ସାହୁଙ୍କୁ ନିର୍ମମ ଭାବେ ହତ୍ୟା କରାଯାଇଥିଲା । ଏନେଇ ପୋଲିସ ମାମଲା ରୁଜୁ ତଦନ୍ତ କରିବା ପରେ ପ୍ରେମ ଜନିତ ଘଟଣାକୁ ନେଇ ହତ୍ୟାକାଣ୍ଡ ହୋଇଥିବା ଜାଣିବାକୁ ପାଇଥିଲା । ରୀତା ବୁର୍ଲାରେ କାମ କରୁଥିବା ବେଳେ ରେଙ୍ଗାଲି ଥାନା ପଣ୍ଡଲୋଇ ଗାଁର ଅଶ୍ୱିନୀ ଷଣ୍ଢଙ୍କ ସହ ପ୍ରେମ ସମ୍ପର୍କ ଗଢି ଉଠିଥିଲା । କିଛି ମାସ ତଳେ ଅଶ୍ୱିନୀଙ୍କ ଠାରୁ ରୀତା ଦୂରେଇ ଯାଇଥିଲେ । ଏହାକୁ କେନ୍ଦ୍ର କରି ରୀତାଙ୍କୁ ଛୁରିରେ ଆକ୍ରମଣ ପରେ ପଥର ଛେଚି ହତ୍ୟା କରାଯାଇଥିଲା । ଅଶ୍ୱିନୀ ଜଣେ ଭଡାଟିଆ ସହଯୋଗୀ ସମ୍ବଲପୁର ଦାନୀପାଲିର ଚେରୁ ସହ ମିଶି ରୀତାଙ୍କୁ ହତ୍ୟା କରିଥିଲେ । ଏହି ଘଟଣାରେ ପୋଲିସ ଉଭୟଙ୍କୁ ଗିରଫ କରି ଅଧିକ ତଦନ୍ତ ଜାରି ରଖିଛି । ସୂଚନା ଅନୁଯାୟୀ ମଙ୍ଗଳବାର ରାତି ପ୍ରାୟ ୧୧ ଟା ହେବ। ଦେବଗଡ଼ ଭାରତ ଫାଇନାନ୍ସ ଅଫିସରୁ କାମ ସାରି ନିଜ ସ୍କୁଟିରେ ଘରକୁ ଯିବା ପାଇଁ ବାହାରୁଥିଲେ ରୀତା ସାହୁ। ଠିକ୍‌ ସେହି ସମୟରେ ଅଫିସ ସମ୍ମୁଖରେ ଦୁଇ ଜଣ ଯୁବକ କାଠ ଫାଳିଆ ଓ ଛୁରିରେ ତାଙ୍କୁ ଆକ୍ରମଣ କରିଥିଲେ। ପରେ ପଥର ଛେଚି ତାଙ୍କୁ ରକ୍ତାକ୍ତ କରିଦେଇଥିଲେ। ଚିତ୍କାର ଶୁଣିରେ ଅଫିସ୍‌ରେ କାମ କରୁଥିବା ଅନ୍ୟ କର୍ମଚାରୀମାନେ ତାଙ୍କୁ ଗୁରୁତର ଅବସ୍ଥାରେ ଉଦ୍ଧାର କରି ଦେବଗଡ଼ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି କରିଥିଲେ। ସେଠାରେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ।

Leave A Reply

Your email address will not be published.