ପ୍ରଚଣ୍ଡ ତାତିରେ କଲବଲ ହେଲାଣି ଓଡ଼ିଶା, ଦୁଇ ତିନି ଦିନ ଭିତରେ ୪୩ ଡିଗ୍ରୀ ଛୁଇଁବ ପାରା

ଭୁବନେଶ୍ୱର : ଆଜିଠୁ ଆହୁରି ଜଳିବ ଓଡ଼ିଶା । ରାଜ୍ୟରେ ଦିନକୁ ଦିନ ତାପମାତ୍ରା ବୃଦ୍ଧି ପାଇବାରେ ଲାଗିଛି। ଅସହ୍ୟ ଗରମରେ ଆଉଟୁ ପାଉଟୁ ହେଉଛନ୍ତି ରାଜ୍ୟବାସୀ। ଉପାନ୍ତରୁ ଉପକୂଳ ଓଡ଼ିଶା ପର୍ଯ୍ୟନ୍ତ ଲୋକଙ୍କୁ ଗରମରୁ ନିସ୍ତାର ମିଳୁନାହିଁ। ଏଣେ ଆଭ୍ୟନ୍ତରୀଣ ଏବଂ ପଶ୍ଚିମ ଓଡ଼ିଶାରେ ପରିସ୍ଥିତି ଆହୁରି ଅସହ୍ୟ ହୋଇପଡ଼ିଛି। ରାଜ୍ୟରେ ଚଳିତ ବର୍ଷ ପ୍ରଥମ ଥର ୪୦ ଡିଗ୍ରୀ ଟପିଲା ଦିନ ତାପମାତ୍ରା । ବାରିପଦାରେ ଦିନର ସର୍ବୋଚ୍ଚ ତାପମାତ୍ରା ୪୦ ଡିଗ୍ରୀ ସେଲସିୟସ ରେକର୍ଡ କରାଯାଇଛି । ରାଜଧାନୀ ତାପମାତ୍ରା ୩୯ ଡିଗ୍ରୀ ଅତିକ୍ରମ କରିଛି । ଆଞ୍ଚଳିକ ପାଣିପାଗ ବିଜ୍ଞାନ କେନ୍ଦ୍ର ପକ୍ଷରୁ ଏହି ସୂଚନା ଦିଆଯାଇଛି । ରାଜ୍ୟର ବିଭିନ୍ନ ସ୍ଥାନରେ ଦିନ ତାପମାତ୍ରା ବଢ଼ି ଚାଲିଥିବା ବେଳେ ଗରମ ଓ ଗୁଳୁଗୁଳି ଅତିଷ୍ଠ କଲାଣି । ବାୟୁମଣ୍ଡଳର ତଳ ଭାଗରୁ ଶୁଷ୍କ ବାୟୁ ପ୍ରବେଶ କରୁଥିବାରୁ ତାପମାତ୍ରା ବୃଦ୍ଧି ପାଉଥିବା ପାଣିପାଗ କେନ୍ଦ୍ର ପକ୍ଷରୁ କୁହାଯାଇଛି। ଆଗାମୀ ଦୁଇରୁ ୩ ଦିନ ମଧ୍ୟରେ ରାଜ୍ୟର ଦିନ ତାପମାତ୍ରାରେ ଦୁଇରୁ ୩ ଡିଗ୍ରୀ ସେଲସିୟସ ପର୍ଯନ୍ତ ବୃଦ୍ଧି ପାଇବ। ଅର୍ଥାତ ୪୩ ଡିଗ୍ରୀ ଛୁଇଁବ ତାପମାତ୍ରା । ତେଣୁ ଆଗକୁ ଭୀଷଣ ଅସ୍ତବ୍ୟସ୍ତ କରିବ ଖରାର ପ୍ରକୋପ।

Leave A Reply

Your email address will not be published.