ବାହାନଗା ରେଳ ଦୁର୍ଘଟଣାର ପ୍ରଭାବ: ଆଜି ଦୁଇ ଟ୍ରେନ୍ ବାତିଲ

ଭୁବନେଶ୍ବର: ଆଜି ପୁଣି ଦୁଇଟି ଟ୍ରେନ୍ ବାତିଲ ହୋଇଛି। ଏହି ଦୁଇଟି ଟ୍ରେନ୍ ହେଲା ପୁରୀ-ପାଟନା ବୈଦ୍ୟନାଥ ଏକ୍ସପ୍ରେସ୍ ଓ ଖୋର୍ଦ୍ଧା-ଖଡ଼ଗପୁର ଏକ୍ସପ୍ରେସ୍। ବାହାନଗା ରେଳ ଦୁର୍ଘଟଣା ପରେ ସେଠାରେ ମରାମତି କାମ ଚାଲୁଥିବାରୁ ରେଳବାଇ ପକ୍ଷରୁ ଏଭଳି ପଦକ୍ଷେପ ନିଆଯାଇଥିବାର ସୂଚନା ରହିଛି। ସୂଚନାଯୋଗ୍ୟ,ବାହାନଗା ରେଳ ଦୁର୍ଘଟଣା ଯୋଗୁଁ ଧ୍ବସ୍ତବିଧ୍ବସ୍ତ ରେଳ ଲାଇନ ମରାମତି କାମ ଗତକାଲି ସନ୍ଧ୍ୟାରେ ଶେଷ ହୋଇଛି। ଦୀର୍ଘ ୫୬ ଘଣ୍ଟାର ଅକ୍ଲାନ୍ତ ପରିଶ୍ରମ ପରେ ରେଳ ଧାରଣା ଏବଂ ଓଭର ହେଡ୍ ବିଦ୍ୟୁତ ସରବରାହ ସ୍ବାଭାବିକ ହୋଇଛି। ରାତି ପ୍ରାୟ ୧୦ଟା ପରେ ଉଭୟ ଅପ୍ ଏବଂ ଡାଉନ୍ ଲାଇନରେ ପରୀକ୍ଷାମୂଳକ ଭାବେ ମାଲଗାଡ଼ି ଚଳାଚଳ ଆରମ୍ଭ କରିଛି। ବୁଧବାର ସୁଦ୍ଧା ଏହି ରୁଟ୍‌ରେ ଟ୍ରେନ୍ ଚଳାଚଳ ସ୍ବାଭାବିକ କରିବାକୁ ଉଦ୍ୟମ ଜାରି ରଖିଛି ଦକ୍ଷିଣପୂର୍ବ ରେଳବାଇ। ଦୁର୍ଘଟଣାସ୍ଥଳରେ ଧ୍ବସ୍ତବିଧ୍ବସ୍ତ ଅବସ୍ଥାରେ ପଡ଼ିରହିଥିବା ଟ୍ରେନ୍‌ର ବଗିଗୁଡ଼ିକୁ ଟ୍ରାକରୁ ହଟାଇ ଦିଆଯାଇଛି। ଟ୍ରେନ୍‌ ଚଳାଇବା ଲାଗି ସମସ୍ତ ଯାଞ୍ଚ ପ୍ରକ୍ରିୟା ଜାରି ରହିଛି। ଚେନ୍ନାଇ-ହାଓଡ଼ା ଡାଉନ୍‌ ଟ୍ରାକ୍‌ର ମରାମତି କାମ ଶେଷ ହୋଇ ଯାଇଥିବାରୁ ଉକ୍ତ ଲାଇନ୍‌ରେ ପ୍ରଥମେ ପରୀକ୍ଷାମୂଳକ ଭାବେ (ଟ୍ରାଏଲ) ଟ୍ରେନ୍‌ ଚଳାଇବାକୁ ନିଷ୍ପତ୍ତି ହୋଇଥିଲା।

Leave A Reply

Your email address will not be published.