ଭୁବନେଶ୍ବର : ସରକାରୀ ତଥ୍ୟ ଅନୁଯାୟୀ, ବାହାନଗା ମର୍ମନ୍ତୁଦ ରେଳ ଦୁର୍ଘଟଣାରେ ୨୭୫ଜଣ ଯାତ୍ରୀ ପ୍ରାଣ ହରାଇଥିବା ବେଳେ ୧୧୯୯ଜଣ ଗୁରୁତର ଆହତ ହୋଇଛନ୍ତି। ମାତ୍ର ପ୍ରତ୍ୟକ୍ଷ ଅନୁସନ୍ଧାନରୁ ମୃତ ଓ ଆହତ ସଂଖ୍ୟା ବହୁ ଅଧିକ। ପ୍ରକୃତ ତଥ୍ୟ ଓ ସତ୍ୟକୁ ଚାପିଦେବା ପାଇଁ ଉଦ୍ୟମ କରାଯାଇଛି। କେନ୍ଦ୍ର ସରକାରଙ୍କ ହାତବାରିସି ସାଜିଥିବା ସିବିଆଇ ତଦନ୍ତକୁ ପ୍ରତ୍ୟାଖ୍ୟାନ କରିବା ସହ ପୀଡ଼ିତ ପରିବାରମାନଙ୍କୁ ଉପଯୁକ୍ତ ନ୍ୟାୟ ପ୍ରଦାନ ପାଇଁ ସୁପ୍ରିମ୍କୋର୍ଟଙ୍କ ପ୍ରତ୍ୟକ୍ଷ ତତ୍ତ୍ବାବଧାନରେ ଏସ୍.ଆଇ.ଟି ଦ୍ୱାରା ତଦନ୍ତ କରିବା ପାଇଁ ୧୨ଟି ବିରୋଧୀ ଦଳ ଦାବି କରିଛନ୍ତି। ଆଜି ଏକ ହୋଟେଲ୍ରେ ବୈଠକ ହେବା ସହ ଏହି ନିଷ୍ପତ୍ତ ନିଆଯାଇଛି। ଏହାସହ ଯାତ୍ରୀମାନଙ୍କର ନିରାପତ୍ତା ଏବଂ ରେଳ ଭିତ୍ତିଭୂମିର ବିକାଶ ପାଇଁ କେନ୍ଦ୍ର ସରକାର ଅବିଳମ୍ବେ ପଦକ୍ଷେପ ଗ୍ରହଣ କରିବା ଦାବିରେ ଆଜି ରାଜଭବନ ସମ୍ମୁଖରେ ବିକ୍ଷୋଭ ପ୍ରଦର୍ଶନ କରାଯିବ।ପ୍ରଧାନମନ୍ତ୍ରୀଙ୍କ ଉଦ୍ଦେଶ୍ୟରେ ରାଜ୍ୟପାଳଙ୍କୁ ସ୍ମାରକପତ୍ର ପ୍ରଦାନ କରାଯିବ। ଜୁନ୍ ୧୨ ତାରିଖରେ ପୂର୍ବତଟ ରେଳବାଇ ମୁଖ୍ୟାଳୟ ସମେତ ବାଲେଶ୍ୱର, ବ୍ରହ୍ମପୁର ଓ ରାଉରକେଲାଠାରେ ଅନୁରୂପ ବିକ୍ଷୋଭ କରାଯାଇ ସ୍ମାରକପତ୍ର ପ୍ରଦାନ କରାଯିବ ବୋଲି ଘୋଷଣା କରାଯାଇଛି। ଦୁର୍ଘଟଣାରେ ମୃତକ ଓ ଆହତ ପରିବାରର ଜଣକୁ ନିଯୁକ୍ତି ପ୍ରଦାନ କରାଯିବାକୁ ପ୍ରତିନିଧିମାନେ ଦାବି କରିଛନ୍ତି। ରେଳମନ୍ତ୍ରୀ ଅଶ୍ୱିନୀ ବୈଷ୍ଣବ ନିଜ ପଦବୀରୁ ଇସ୍ତଫା ଦେଲେ ହିଁ ଏହି ରେଳ ଦୁର୍ଘଟଣାର ନିରପେକ୍ଷ ତଦନ୍ତ ହୋଇପାରିବ ବୋଲି ସେମାନେ କହିଛନ୍ତି।