ବାହାନଗା ରେଳ ଦୁର୍ଘଟଣା: ଏବେ ବି ନିଖୋଜ ଅନେକ, ଫଟୋ ଧରି ବୁଲୁଛନ୍ତି ସଂପର୍କୀୟ

ଭୁବନେଶ୍ବର : ବାହାନଗା ରେଳ ଦୁର୍ଘଟଣାକୁ ତିନି ଦିନ ବିତିଲାଣି। ରେଳଧାରଣା ମରାମତି ସରିଲାଣି। ଟ୍ରେନ୍‌ ଚଳାଚଳ ବି ସ୍ବାଭାବିକ ସ୍ଥିତିକୁ ଫେରୁଛି। କିନ୍ତୁ ଏବେ ବି କିଛି ଲୋକଙ୍କ ଖୋଜ୍‌ଖବର ମିଳୁନି। ସେମାନଙ୍କ ଫଟୋ ଧରି ସଂପର୍କୀୟମାନେ ଖୋଜି ବୁଲୁଛନ୍ତି। କିଏ ପୁଅକୁ ଖୋଜୁଛି ତ ଆଉ କିଏ ଭାଇକୁ। ଦିନରାତି ଏକ କରି ଏ ହସ୍ପିଟାଲରୁ ସେ ହସ୍ପିଟାଲ ଦୌଡ଼ୁଛନ୍ତି। ମନ ମାନୁ ନଥିବାରୁ ଦୁର୍ଘଟଣା ସ୍ଥଳରେ ପଡ଼ିଥିବା ରେଳ ବଗି ତଳେ ପଶି ଉଣ୍ଡାଳୁଛନ୍ତି। ଆଜି ବି ପଶ୍ଚିମବଙ୍ଗର ପୂର୍ବମେଦିନାପୁର ଅଞ୍ଚଳର ଶ୍ୟାମଚରଣ ମାଇତିଙ୍କ ପୁଅ ମାନସ ମାଇତିଙ୍କୁ ଖୋଜିବା ଲାଗି ସମ୍ପର୍କୀୟମାନେ ବାହାନଗା ଷ୍ଟେସନ୍‌ ବଜାରଠାରୁ ଆରମ୍ଭ କରି ସ୍କୁଲ ପର୍ଯ୍ୟନ୍ତ ଖୋଜି ବୁଲିଥିଲେ। ସେମାନଙ୍କ କହିବା କଥା, ମାନସ ଚେନ୍ନାଇ ଯିବା ଲାଗି ଅପରାହ୍‌ଣ ୫ଟାରେ ଖଡ଼ଗପୁର ଷ୍ଟେସନ୍‌ରୁ ଟ୍ରେନ୍‌ ଧରିଥିଲେ। ଦୁର୍ଘଟଣା ପରେ ତାଙ୍କୁ ଯେତେ‌ ଯୋଗାଯୋଗ କରାଗଲେ ମଧ୍ୟ ମୋବାଇଲ୍‌ ବନ୍ଦ କହୁଛି। ବାଲେଶ୍ବର ମୁଖ୍ୟ ମେଡିକାଲରୁ ଆରମ୍ଭ କରି ଭୁବନେଶ୍ବର, କଟକରେ ଚିକିତ୍ସିତ ହେଉଥିବା ରୋଗୀଙ୍କୁ ଦେଖି ସାରିଛୁ। ତା’ ପରେ ବି ତାଙ୍କ ପତ୍ତା ମିଳୁନି। ରାଜ୍ୟ ସରକାରଙ୍କ ୱେବସାଇଟ୍‌ରେ ଛଡ଼ାଯାଇଥିବା ମୃତାହତଙ୍କ ଫଟୋ ଦେଖିଥିଲେ ମଧ୍ୟ ସେଥିରେ ମାନସ ନ ଥିବା ସେମାନେ କହିଛନ୍ତି।

Leave A Reply

Your email address will not be published.