ବାହାନଗା ଟ୍ରେନ୍‌ ଦୁର୍ଘଟଣା: ତଦନ୍ତ ସାରିବାକୁ ସିବିଆଇ ନେବ କେତେଦିନ?

ନୂଆଦିଲ୍ଲୀ/ ଭୁବନେଶ୍ବର : ବାଲେଶ୍ବର ଜିଲ୍ଲା ବାହାନଗାରେ ଘଟିଥିବା ଭୟାବହ ଟ୍ରେନ ଦୁର୍ଘଟଣାର ତଦନ୍ତ କେନ୍ଦ୍ରୀୟ ତଦନ୍ତ ବ୍ୟୁରୋ (ସିବିଆଇ) ଦ୍ବାରା କରାଯିବ ବୋଲି ଗତକାଲି କେନ୍ଦ୍ର ରେଳମନ୍ତ୍ରୀ ଅଶ୍ବିନୀ ବୈଷ୍ଣବ ସୂଚନା ଦେଇଛନ୍ତି। ଏହି ମାମଲାରେ ସିବିଆର ତଦନ୍ତ ପ୍ରକ୍ରିୟା କ’ଣ ହେବ, ସେନେଇ କୌଣସି ସୂଚନା ମିଳିପାରିନାହିଁ। ତଥ୍ୟ କହୁଛି, ପୂର୍ବରୁ ଜ୍ଞାନେଶ୍ବରୀ ଟ୍ରେନ ଦୁର୍ଘଟଣାର ସିବିଆଇ ତଦନ୍ତ ହୋଇଥିଲା। କିନ୍ତୁ ୧୩ ବର୍ଷ ହେଲାଣି, ତଦନ୍ତ ସରୁନି। ଏହି ଦୃଷ୍ଟିରୁ ବାହାନଗା ଟ୍ରେନ୍‌ ଦୁର୍ଘଟଣା ସାରିବାକୁ ସିବିଆଇ ‌କେତେ ଦିନ ନେବ, ତାହା ଏବେଠାରୁ କହିବା ମୁସ୍କିଲ ବୋଲି ଆଲୋଚନା ହେଉଛି। ଆଜି ନିଜେ ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ ମଧ୍ୟ ଏହି ପ୍ରସଙ୍ଗ ଉଠାଇ କେନ୍ଦ୍ର ସରକାରଙ୍କୁ କଟାକ୍ଷ କରିଛନ୍ତି। ୨୦୧୦, ମେ ୨୮ରେ ପଶ୍ଚିମବଙ୍ଗର ପଶ୍ଚିମ ମେଦିନାପୁର ଝାରଗ୍ରାମରେ ମାଓବାଦୀମାନେ ରେଳ ଧାରଣାରୁ ଫିସ୍‌ଫ୍ଲେଟ୍‌ କାଢ଼ିନେବାରୁ ମହାରାଷ୍ଟ୍ରର କୁର୍ଲା ଅଭିମୁଖେ ଯାଉଥିବା ଲୋକମାନ୍ୟ ତିଲକ ଜ୍ଞାନେଶ୍ବରୀ ସୁପର ଡିଲକ୍ସ ଏକ୍ସପ୍ରେସ ଲାଇନଚ୍ୟୁତ ହୋଇଥିଲା। ସେବେ ଦୁର୍ଘଟଣାରେ ୧୫୦ ଯାତ୍ରୀ ପ୍ରାଣ ହରାଇଥିଲେ ଓ ୩୦୦ ଆହତ ହୋଇଥିଲେ। ତତ୍କାଳୀନ କେନ୍ଦ୍ର ରେଳମନ୍ତ୍ରୀ ମମତା ବାନାର୍ଜୀ ଏହାର ସିବିଆଇ ତଦନ୍ତ ପ୍ରସ୍ତାବ ଦେଇଥିଲେ। କେନ୍ଦ୍ର ସ୍ବରାଷ୍ଟ୍ର ମନ୍ତ୍ରାଳୟ ପକ୍ଷରୁ ସିବିଆଇ ତଦନ୍ତ ସଂପର୍କିତ ବିଜ୍ଞପ୍ତି ଜୁନ୍‌ ୩, ୨୦୧୦ ଜାରି କରିଥିଲେ ଓ ଏହାର ୬ ଦିନ ପରେ ତଦନ୍ତ ଆରମ୍ଭ ହୋଇଥିଲା। ଅପରାଧିକ ଷଡ଼ଯନ୍ତ୍ର ଓ ଅନ୍ତର୍ଘାତକୁ ନେଇ ଏହି ତଦନ୍ତ ହୋଇଥିଲା। ଗୁରୁତ୍ବପୁର୍ଣ୍ଣ ପ୍ରସଙ୍ଗ ହେଲା, ୧୩ବର୍ଷ ହେଲାଣି ତଦନ୍ତ ଜାରି ରହିଛି। ୨୦୧୦ ନଭେମ୍ବର ୨୯ରେ ସିବିଆଇ ଚାର୍ଜସିଟ୍‌ ଦାଖଲ କରିଥିଲା। ଏହି ମାମଲାରେ ଅଭିଯୁକ୍ତମାନଙ୍କୁ ପରବର୍ତ୍ତୀ ସମୟରେ ଜାମିନ ମିଳିଯାଇଥିଲା।

Leave A Reply

Your email address will not be published.