ରେଳ ଦୁର୍ଘଟଣା ପରେ ଚେତା ପଶିଲା: କ୍ଷେତ୍ରରେ ବୁଲନ୍ତୁ ବରିଷ୍ଠ ଅଧିକାରୀ

ଭୁବନେଶ୍ବର : ସପ୍ତାହକ ମଧ୍ୟରେ ଓଡ଼ିଶାରେ ଦୁଇ ଦୁଇଟି ରେଳ ଦୁର୍ଘଟଣା। ବାହାନଗା ଟ୍ରେନ୍‌ ଦୁର୍ଘଟଣାରେ ୨୮୮ଜଣଙ୍କ ଜୀବନ ଗଲା। ଯାଜପୁରରେ ୬ଜଣଙ୍କ ଉପରେ ଚଢ଼ିଗଲା ବଗି। ଏହାବ୍ୟତୀତ ଦେଶର ବିଭିନ୍ନ ସ୍ଥାନରେ ରେଳ ଦୁର୍ଘଟଣା ସାମ୍ନାକୁ ଆସିବା ପରେ ରେଳ ମନ୍ତ୍ରାଳୟ ନିଦ ଭାଙ୍ଗିଛି। ରେଳ ଧାରଣାଗୁଡ଼ିକର ସୁରକ୍ଷା ଉପରେ ଗୁରୁତ୍ବ ଦେବା ସହ ଭିତ୍ତିଭୂମିର ନିରାପତ୍ତା, ନିର୍ଭରଯୋଗ୍ୟତା, ନିୟମିତ ରକ୍ଷଣାବେକ୍ଷଣ ନିଶ୍ଚିତ କରିବାକୁ ରେଲୱେ ବୋର୍ଡର ଭତ୍ତିଭୂମି ସଦସ୍ୟ ରୂପନାରାୟଣ ସୁନାକର ଦେଶର ସମସ୍ତ ଜେନେରାଲ ମ୍ୟାନେଜରମାନଙ୍କୁ ନିର୍ଦ୍ଦେଶ ଦେଇଛନ୍ତି। କାଳବୈଶାଖୀ ତଥା ମୌସୁମୀ ଆଗମନ ସମୟରେ ବିପଦସଂକୁଳ ଗଛ କାଟିବା, ଦୁର୍ବଳ ପାଚେରିର ତଦାରଖ, ଜମି ରହୁଥିବା ପାଣି ନିଷ୍କାସନ, ନିୟମିତ ପେଟ୍ରୋଲିଂ, ଷ୍ଟେସନରେ ୱାଚ୍‌ମ୍ୟାନ୍‌ଙ୍କୁ ନିଯୁକ୍ତ କରିବା ଉପରେ ଗୁରୁତ୍ବ ଦେବାକୁ କୁହାଯାଇଛି। ଶ୍ରୀ ସୁନାକର କହିଛନ୍ତି ଯେ ରେଲୱେରେ ଟ୍ରାକ୍‌ଗୁଡ଼ିକର ନିୟମିତ ରକ୍ଷଣାବେକ୍ଷଣ ପାଇଁ ପୂର୍ବରୁ ସମୟ ଧାର୍ଯ୍ୟ ହୋଇଛି। ତଥାପି ସମୟ ସମୟରେ ସୁରକ୍ଷା ଉପରେ ଗୁରୁତ୍ୱ ଦେବା ସହ ଦୈନନ୍ଦିନ କାର୍ଯ୍ୟ ଏବଂ ସ୍ବତନ୍ତ୍ର ନବୀକରଣ କାର୍ଯ୍ୟ ଉପରେ ଅଧିକ ଗୁରୁତ୍ବ ଦିଅନ୍ତୁ। ରକ୍ଷଣାବେକ୍ଷଣ କାର୍ଯ୍ୟ ପାଇଁ ଯୋଗାଇ ଦିଆଯାଇଥିବା କ୍ଷେତ୍ର ଅଧିକାରୀମାନେ ସେମାନଙ୍କ କାର୍ଯ୍ୟ ନିଷ୍ଠାର ସହ କରନ୍ତୁ। ରକ୍ଷଣାବେକ୍ଷଣ ଓ କାର୍ଯ୍ୟ ସ୍ଥଳରେ ସେମାନେ ଯେପରି ସର୍ବାଧିକ ସମୟ ଅତିବାହିତ କରିବେ, ତାହାକୁ ସୁନିଶ୍ଚିତ କରାଯିବା ଆବଶ୍ୟକ। କନିଷ୍ଠ ଯନ୍ତ୍ରୀ(ଜେଇ) ଓ ସିନିୟର ସେସ୍କନ ଇଞ୍ଜିନିୟର(ଏସ୍‌ଏସ୍‌ଇ)ମାନଙ୍କର ସେମାନଙ୍କ ଅଧୀନରେ ଥିବା ସମ୍ପତ୍ତିର ଶକ୍ତି ଓ ତ୍ରୁଟି ବିଷୟରେ ଜ୍ଞାନ ରହିବା ନିତାନ୍ତ ଆବଶ୍ୟକ।

Leave A Reply

Your email address will not be published.