ରୋହିତ ପୂଜାରୀଙ୍କୁ ମନ୍ତ୍ରିମଣ୍ଡଳରୁ ବରଖାସ୍ତ କରିବା କାରଣକୁ ନେଇ ଚର୍ଚ୍ଚା

ଭୁବନେଶ୍ବର : ଭଲ ପ୍ରଦର୍ଶନ କରି ନ ପାରିବାରୁ ରୋହିତ ପୂଜାରୀଙ୍କୁ ମନ୍ତ୍ରିମଣ୍ଡଳରୁ ବରଖାସ୍ତ କରିବା ପରି ଚରମ ପଦକ୍ଷେପ ନେଇଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ। ଅତୀତରେ ବହୁ ମନ୍ତ୍ରୀଙ୍କ ବରଖାସ୍ତ କରି ଚକ୍‌ମା ଦେଇଥିବା ନବୀନ ପ୍ରଥମ ଥର ପାଇଁ ‘ଅପାରଗତା’ କାରଣରୁ ଜଣେ ମନ୍ତ୍ରୀଙ୍କୁ ବିଦା କରିଛନ୍ତି। ସାଧାରଣ ନିର୍ବାଚନ ଆଉ ଏକ ବର୍ଷ ବାକି ଥିଲାବେଳେ ନବୀନଙ୍କ ଏପରି କଠୋର ଆଭିମୁଖ୍ୟ ସମସ୍ତଙ୍କୁ ଚକିତ କରିଦେଇଛି। ଉଚ୍ଚଶିକ୍ଷା ବିଭାଗର ଦୁଇ ସର୍ବୋଚ୍ଚ ବ୍ୟକ୍ତି ମନ୍ତ୍ରୀ ଓ ସଚିବଙ୍କୁ ଏକାସଙ୍ଗେ ବିଦା କରିବା ପଛରେ କିଛି ବଡ଼ଧରଣର ଅଭିଯୋଗ ରହିଥିବା ଚର୍ଚ୍ଚା ହେଉଛି। ଅଧ୍ୟାପକ ବଦଳିରେ ଅନିୟମିତତା ଓ ସେମାନଙ୍କ ସମସ୍ୟା ସମାଧାନରେ ବିଭାଗର ବିଫଳତା ପାଇଁ ମନ୍ତ୍ରୀ ଓ ସଚିବ କାର୍ଯ୍ୟାନୁଷ୍ଠାନର ସାମ୍ନା କରିଛନ୍ତି ବୋଲି କୁହାଯାଉଛି। ଉଚ୍ଚଶିକ୍ଷା ବିଭାଗରେ କୌଣସି ଏକ ବଡ଼ ନିଷ୍ପତ୍ତି ତତ୍‌କାଳ ନିଆଯାଇପାରୁ ନଥିଲା। ସରକାରଙ୍କ ବିଭିନ୍ନ ଗୁରୁତ୍ବପୂର୍ଣ୍ଣ ନିଷ୍ପତ୍ତି ସଂକ୍ରାନ୍ତୀୟ ଫାଇଲ୍‌ ପଡ଼ିରହୁଥିଲା। ନିର୍ଦ୍ଦିଷ୍ଟ ସମୟସୀମା ମଧ୍ୟରେ ମନ୍ତ୍ରୀମାନେ ତାଙ୍କ ଦପ୍ତରରୁ ଫାଇଲ୍‌ ପାସ୍‌ କରାଇବାକୁ ନିର୍ଦ୍ଦେଶ ଦିଆଯାଇଥିଲା। ଅଧିକଦିନ ଫାଇଲ୍‌ ଯେପରି ନରୁହେ, ସେଥିପାଇଁ ମନ୍ତ୍ରୀମାନଙ୍କ ବ୍ୟକ୍ତିଗତ ସଚିବମାନଙ୍କୁ ତୃତୀୟ ମହଲାକୁ ଡକାଯାଇ ତାଗିଦ୍ କରାଯାଇଥିଲା। ତାହା ସତ୍ତ୍ବେ ଉଚ୍ଚଶିକ୍ଷା ମନ୍ତ୍ରୀଙ୍କ କାର୍ଯ୍ୟାଳୟରେ ବହୁ ଫାଇଲ୍‌ ପଡ଼ି ରହୁଥିବାର ଅଭିଯୋଗ ହୋଇଥିଲା। କଲେଜରେ ଅଧ୍ୟାପକମାନଙ୍କ ବଦଳି ଓ ନିଯୁକ୍ତିରେ ବଡ଼ଧରଣର କିକ୍‌ବ୍ୟାକ୍ ହୋଇଥିବା ପରି ସଙ୍ଗିନ୍ ଅଭିଯୋଗ କିଛିଦିନ ତଳେ ମୁଖ୍ୟମନ୍ତ୍ରୀଙ୍କ ଦପ୍ତରରେ ପହଞ୍ଚିଥିଲା। ଏହାଉପରେ ଭିତିରିଆ ଖୋଳତାଡ଼ ହୋଇଥିଲା। କିଛି ବଦଳିରେ ମୋଟା ଅଙ୍କର ଅର୍ଥ କାରବାର ହୋଇଥିବାର ଠୋସ୍ ପ୍ରମାଣ ମିଳିଥିଲା। କିଛି ଅଧ୍ୟାପକଙ୍କୁ ଅହେତୁକ ଅନୁକମ୍ପା ଦେଖାଯାଉଥିବାର ମଧ୍ୟ ଜଣାପଡ଼ିଥିଲା। ଏଥିପାଇଁ ଦୁଇଦିନ ତଳେ ମନ୍ତ୍ରୀଙ୍କ ବ୍ୟକ୍ତିଗତ ସଚିବ ସୁଧାକର ନାଏକ ଓ ଓଏସ୍‌ଡି ପି କେ ରାଉଳଙ୍କୁ ପ୍ରତ୍ୟାହାର କରିନିଆଯାଇଥିଲା। ସେମାନଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଇ ପରୋକ୍ଷରେ ମନ୍ତ୍ରୀଙ୍କୁ ଚେତାବନୀ ଦିଆଯାଇଥିଲା।

Leave A Reply

Your email address will not be published.