୪୦ ଦିନ ପରେ ଆମାଜନ୍‌ ଜଙ୍ଗଲରୁ ଜୀବନ୍ତ ଉଦ୍ଧାର ହେଲେ ବିମାନ ଦୁର୍ଘଟଣାରୁ ବର୍ତ୍ତିଯାଇଥିବା ୪ଜଣ ପିଲା

ବଗୋଟା: ବିମାନ ଦୁର୍ଘଟଣାରୁ ବର୍ତ୍ତିଯାଇଥିବା ୪ଜଣ ପିଲାଙ୍କୁ ପ୍ରାୟ ୪୦ ଦିନର ବ୍ୟାପକ ତଲାସ ଅଭିଯାନ ପରେ ଚିରଶ୍ୟାମଳ ଆମାଜନ୍‌ ଘନ ଜଙ୍ଗଲରୁ ଜୀବନ୍ତ ଉଦ୍ଧାର କରାଯାଇଥିବା କଥା ଆଜି କୋଲୋମ୍ବିୟାର ରାଷ୍ଟ୍ରପତି ଗୁସ୍ତାଭୋ ପିଟ୍ରୋ କହିଛନ୍ତି। ମେ ୧ ତାରିଖ ଦିନ ଗୋଟାଏ କ୍ଷୁଦ୍ର ବିମାନ ଦୁର୍ଘଟଣାଗ୍ରସ୍ତ ହେବା ପରେ ନିଖୋଜ ହୋଇଯାଇଥିବା ଏହି ୪ ଭାଇଭଉଣୀଙ୍କ ସନ୍ଧାନ ପାଇବା ନିମନ୍ତେ ତଲାସ ଅଭିଯାନରେ ଅଂଶ ଗ୍ରହଣ କରିଥିବା କେତେକ ସେନା ଓ ଆଦିମ ଅଧିବାସୀଙ୍କ ଫଟୋ ପୋଷ୍ଟ୍‌ କରି ପିଟ୍ରୋ କହିଛନ୍ତି: ସମଗ୍ର ଦେଶ ପାଇଁ ଆନନ୍ଦର ବିଷୟ! କୋଲୋମ୍ବୀୟ ଜଙ୍ଗଲରେ ୪୦ ଦିନ ତଳେ ହଜିଯାଇଥିବା ୪ଜଣ ପିଲା ବଞ୍ଚିଛନ୍ତି।ଫଟୋରେ କଙ୍କାଳସାର ହୋଇଯାଇଥିବା ପରି ଦିଶୁଥିବା ୪ ଭାଇଭଉଣୀଙ୍କୁ ତଲାସକାରୀମାନେ ଏକାଠି ଥିବା ଅବସ୍ଥାରେ ପାଇଥିଲେ। ଏବେ ସେମାନଙ୍କର ଡାକ୍ତରୀ ଚିକିତ୍ସା ଚାଲିଛି ବୋଲି ପିଟ୍ରୋ ସାମ୍ବାଦିକମାନଙ୍କୁ କହିଛନ୍ତି।ସେ ଆହୁରି ମଧ୍ୟ କହିଛନ୍ତି, ଆଜି ଏ ପିଲାମାନେ ହେଉଛନ୍ତି ଶାନ୍ତିର ପିଲା ତଥା କୋଲୋମ୍ବିୟାର ପିଲା। ଆଜିର ଦିନ ଗୋଟାଏ ‘କୁହକମୟ ଦିନ’। ଏହା ହେଉଛି ‘ତିଷ୍ଠି ରହିବା’ର ଗୋଟାଏ ପ୍ରକୃଷ୍ଟ ଉଦାହରଣ ଏବଂ ଏ ପିଲାମାନଙ୍କର ଗାଥା ଇତିହାସରେ ହୋଇ ରହିବ।

Leave A Reply

Your email address will not be published.