ମିଳିଲା ଆତଙ୍କୀ ସଂପର୍କ: ପାକିସ୍ତାନ ପାଇଁ ଗୁଇନ୍ଦାଗିରି, ଆଉ ଜଣେ ଗିରଫ

ଭୁବନେଶ୍ବର/ବରୀ: ପାକିସ୍ତାନ ପାଇଁ ଗୁଇନ୍ଦାଗିରି ଘଟଣାରେ କ୍ରାଇମବ୍ରାଞ୍ଚ ଏସ୍‌ଟିଏଫ୍‌ ହାତରେ ଗୋଟିଏ ପରେ ଗୋଟିଏ ବିସ୍ଫୋରକ ତଥ୍ୟ ଲାଗୁଛି। ଏହି ଘଟଣାରେ ଏସ୍‌ଟିଏଫ୍‌ ଆଜି ଯାଜପୁର ଜିଲ୍ଲା ବରୀ ଅଞ୍ଚଳର ପ୍ରୀତମ କର (୩୧)କୁ ଗିରଫ ପରେ ଅତି ସାଂଘାତିକ କଥା ପଦାକୁ ଆସିଛି। କର୍ଣ୍ଣାଟକ ମାଙ୍ଗାଲୋର୍‌ ଆତ୍ମଘାତୀ ଅଟୋ ବିସ୍ଫୋରଣର ଆତଙ୍କବାଦୀକୁ ପ୍ରୀତମ୍‌ ସହଯୋଗ କରିଥିଲା। ଆତଙ୍କବାଦୀକୁ ସେ ସିମ୍‌କାର୍ଡ ଓ ଏକ ଡେବିଟ୍‌ କାର୍ଡ ଯୋଗାଇଥିଲା। ଏହାବ୍ୟତୀତ ବହୁ ବିଦେଶୀଙ୍କ ସହ ଭିଡିଓ କଲ୍‌, ଚାଟ୍‌ ଏବଂ ମେସେଜ୍‌ କରିଥିବା ଜଣାଯାଇଛି। ଖାଲି ସେତିକି ନୁହେଁ, କିଛି ଦିନ ତଳେ ସେ କିଛି ପାକିସ୍ତାନୀ ଏଜେଣ୍ଟଙ୍କୁ ଭେଟି ସେମାନଙ୍କଠାରୁ ସିମ୍ ଓ ୱାଲେଟ୍‌ ବାବଦକୁ ଦେଢ଼ଲକ୍ଷ ଟଙ୍କା ଆଣିଥିବା ଜଣାଯାଇଛି। ପ୍ରୀତମ ସହ ଓଡ଼ିଶା ଏବଂ ଓଡ଼ିଶା ବାହାରର ବହୁ ଲୋକ ଯୋଡ଼ି ହୋଇଛନ୍ତି। ସେମାନଙ୍କୁ ଠାବ ପାଇଁ ଏସ୍‌ଟିଏଫ୍‌ ସମସ୍ତ ଦିଗକୁ ନେଇ ଛାନଭିନ୍‌ ଆରମ୍ଭ କରିଛି। ଖୁବ୍‌ଶୀଘ୍ର ତାକୁ ରିମାଣ୍ଡରେ ଅଣାଯିବ ବୋଲି ଏସ୍‌ଟିଏଫ୍‌ ଆଇଜି ଜୟନାରାୟଣ ପଙ୍କଜ କହିଛନ୍ତି। ଅପରପକ୍ଷେ, ପାକିସ୍ତାନୀ ଆଇଏସ୍‌ଆଇ ଏଜେଣ୍ଟ ଓ ଗୁଇନ୍ଦା ଓଡ଼ିଶାରେ କିଭଳି ଜାଲ ବିଛାଇଛନ୍ତି, ତାହା ଏହି ଘଟଣାରୁ ସ୍ପଷ୍ଟ ବାରି ହେଉଛି। ପ୍ରୀତମ୍‌ଠାରୁ ଏସ୍‌ଟିଏଫ୍‌ ୧୬ଟି ମୋବାଇଲ, ୧୫ଟି ଡେବିଟ୍‌ କାର୍ଡ, ବଣ୍ଡ ଏବଂ ବହୁ ଗରୁତ୍ବପୂର୍ଣ୍ଣ କାଗତପତ୍ର ଜବତ କରିଛି। ଗିରଫ ପରେ ତାକୁ ଭୁବନେଶ୍ବର ଏସ୍‌ଡିଜେମ୍‌ କୋର୍ଟରେ ହାଜର କରାଯାଇଥିଲା। ଜାମିନ୍‌ ନାମଞ୍ଜୁର ହେବାରୁ ତାକୁ ବିଚାର ବିଭାଗୀୟ ହାଜତକୁ ପଠାଇ ଦିଆଯାଇଛି। ତଦନ୍ତ ବେଳେ ଜଣାପଡ଼ିଛି ଯେ ପ୍ରୀତମ ଅଷ୍ଟମ ପାସ୍‌ ପରେ ଫେରିବାଲା ବ୍ୟବସାୟ କରିଥିଲା। ୨୦୧୭ ମସିହାରେ ହ୍ବାଟସ୍‌ଆପ୍‌ ମାଧ୍ୟମରେ ସେ ପାକିସ୍ତାନୀ ଆଇଏସ୍‌ଆଇ ଏଜେଣ୍ଟଙ୍କ ସମ୍ପର୍କରେ ଆସିଥିଲା। ତାଙ୍କୁ ବେନାମୀ ସିମ୍‌, ୱାଲେ୍‌ଟ୍‌, ମୋଲ୍‌ ଆକାଉଣ୍ଟ ବିକି ଲକ୍ଷଲକ୍ଷ ଟଙ୍କା ରୋଜଗାର କରିଥିଲା। ସିଧାସଳଖ ଏଜେଣ୍ଟଙ୍କୁ ଭେଟି ଡିଲ୍‌ କରିବା ସହ ତାଙ୍କଠାରୁ ତାଲିମ୍‌ ନେଇ ସାଇବର୍‌ ଏକ୍ସପର୍ଟ ହୋଇଯାଇଥିଲା। ପରେ ସେ ଓଡ଼ିଶାରେ ନିଜର ନେଟ୍‌ୱର୍କ ତିଆରି କରିଥିଲା।

Leave A Reply

Your email address will not be published.