ଆଜିଠୁ ଭୟଙ୍କର ତାତି, ଗୁଳୁଗୁଳି ସହ ବଢ଼ିବ ଝାଞ୍ଜି ପବନ

ଭୁବ‌ନେଶ୍ବର: ଆସନ୍ତା ସପ୍ତାହରେ ରାଜ୍ୟରେ ଭୟଙ୍କର ତାତି ଅନୁଭୂତ ହେବ। ତାତି, ଗରମ ଓ ଗୁଳୁଗୁଳି ସହ ଝାଞ୍ଜି ପବନର ମାଡ଼ରେ ରାଜ୍ୟବାସୀ ତ୍ରାହି ତ୍ରାହି ଡାକିବେ। ରଜର କୋହଲା ପାଗ ଏଥର ରାଜ୍ୟବାସୀଙ୍କ ପାଇଁ ସ୍ବପ୍ନ ହେବ। କାରଣ ରଜରେ ବି ଜଳିବ ସାରା ରାଜ୍ୟ। ଭୟାନକ ତାତିକୁ ନଜରରେ ରଖି ଆଞ୍ଚଳିକ ପାଣିପ‌ାଗ ବିଜ୍ଞାନ କେନ୍ଦ୍ର ପକ୍ଷରୁ ଅଂଶୁଘାତଜନିତ ଅରେଞ୍ଜ ୱାର୍ଣ୍ଣିଂ ବି ଜାରି ହେଲାଣି। ଆଜି ପଶ୍ଚିମ ଓ ଆଭ୍ୟନ୍ତର ଓଡ଼ିଶାର ଅର୍ଦ୍ଧାଧିକ ସହରର ତାପମାତ୍ରା ସ୍ବାଭାବିକଠାରୁ ସାଢ଼େ ୪ ଡିଗ୍ରିରୁ ସାଢ଼େ ୬ ଡିଗ୍ରି ପର୍ଯ୍ୟନ୍ତ ଅଧିକ ରହିଛି। ଆଜି ରାଜ୍ୟର ସର୍ବୋଚ୍ଚ ତାପମାତ୍ରା ବଲାଙ୍ଗୀରଠାରେ ୪୪.୫ ଡିଗ୍ରି ରେକର୍ଡ ହୋଇଥିବା ବେଳେ ଏହା ସ୍ବାଭାବିକ ତାପମାତ୍ରାଠାରୁ ପ୍ରାୟ ୭.୧ ଡିଗ୍ରି ଅଧିକ। ଏଥିସହ ଝାରସୁଗୁଡ଼ାର ସର୍ବୋଚ୍ଚ ତାପମାତ୍ରା ରହିଥିଲା ୪୪.୪ ଡିଗ୍ରି, ଯାହାକି ସ୍ବାଭାବିକଠାରୁ ୬.୨ ଡିଗ୍ରି ଅଧିକ। ସେହିଭଳି ସୋନପୁରଠାରେ ସର୍ବୋଚ୍ଚ ଦିନ ତାପମାତ୍ରା ୪୪.୩ ଡିଗ୍ରି, ସମ୍ବଲପୁରରେ ୪୩.୬ ଡିଗ୍ରି(+୫.୫ ଡିଗ୍ରି), ବୌଦ୍ଧଠାରେ ୪୩.୫ ଡିଗ୍ରି, ହୀରାକୁଦଠାରେ ୪୩.୧ ଡିଗ୍ରି(+୬.୧ ଡିଗ୍ରି), ସୁନ୍ଦରଗଡ଼ଠାରେ ୪୩ ଡିଗ୍ରି(+୪.୮ଡିଗ୍ରି), ଭବାନୀପାଟଣା‌ଠାରେ ୪୩.୦ ଡିଗ୍ରି(+୫ ଡିଗ୍ରି) ଓ ଟିଟିଲାଗଡ଼ଠାରେ ୪୩ ଡିଗ୍ରି ରହିଥିଲା। ଏଥିସହ ରାଜ୍ୟର ମୋଟ୍‌ ୩୦ଟି ସହରର ତାପମାତ୍ରା ୪୦ ଡିଗ୍ରି ଅତିକ୍ରମ କରିଥିବା ବେଳେ ସାରା ଓଡ଼ିଶା ତାତିରେ ଛଟପଟ ହେଉଛି। ଅନ୍ୟପଟେ ଭୁବନେଶ୍ବରର ତାପମାତ୍ରା ମଧ୍ୟ ଗତକାଲି ଅପେକ୍ଷା ୪ ଡିଗ୍ରି ବଢ଼ି ଆଜି ୪୨.୬ ଡିଗ୍ରିରେ ପହଞ୍ଚିଛି। ଯାହାକି ସ୍ବାଭାବିକ ତାପମାତ୍ରାଠାରୁ ୬.୬ ଡିଗ୍ରି ଅଧିକ। ଏତେ ତାତି ସତ୍ତ୍ବେ ପାଣିପାଗ ବିଭାଗ ପକ୍ଷରୁ କୌଣସି ଆଶ୍ବସ୍ତିକର ଖବର ଆଜି ମିଳିନାହିଁ। ଓଲଟା ଆସନ୍ତା ସପ୍ତାହରେ ତାତି ଆହୁରି ବଢ଼ିବ ବୋଲି ସତର୍କ କରାଇଦେଇଛି ପାଣିପାଗ କେନ୍ଦ୍ର। ପାଣିପାଗ କେନ୍ଦ୍ରର ସୂଚନା ମୁତା‌ବକ, ଆସନ୍ତାକାଲି ଝାରସୁଗୁଡ଼ା, ସମ୍ବଲପୁର, ବରଗଡ଼, ସୋନପୁର, ବୌଦ୍ଧ, ବଲାଙ୍ଗୀର ଓ କେନ୍ଦୁଝରରେ ପ୍ରଚଣ୍ଡ ଗ୍ରୀଷ୍ମପ୍ରବାହ ପ୍ରବାହିତ ‌ହେବାର ସମ୍ଭାବନା ନେଇ ଅଂଶୁଘାତଜନିତ ‌ଅରେଞ୍ଜ ୱାର୍ଣ୍ଣିଂ ଜାରି ହୋଇଛି। ସେହିଭଳି ୧୩ ତାରିଖ ଦିନ ପାଇଁ ମଧ୍ୟ ଏହି ସବୁ ଅଞ୍ଚଳରେ ଅରେଞ୍ଜ ୱାର୍ଣ୍ଣିଂ ଜାରି କରାଯାଇଛି। ଖାଲି ଆସନ୍ତା ୨ ଦିନ ନୁହେଁ, ପାଣିପାଗ କେନ୍ଦ୍ର ପକ୍ଷରୁ ୧୬ ତାରିଖ ଯାଏ ଅଂଶୁଘାତ ୱାର୍ଣ୍ଣିଂ ଜା‌ରି କରାଯାଇଛି। ଅନ୍ୟପଟେ ରଥଯାତ୍ରା ପୂର୍ବରୁ ରାଜ୍ୟକୁ ମୌସୁମୀ ଆସିବାର ସମ୍ଭାବନା ପ୍ରାୟ ନା‌ହିଁ ବୋଲି ଅନୁମାନ କରାଯାଇଛି।

Leave A Reply

Your email address will not be published.