ଓଟିପି ସ୍କାମ୍‌ ଓ ପାକିସ୍ତାନ ଲିଙ୍କ୍‌ ମାମଲା: ଆଉ ଜଣେ ଅଭିଯୁକ୍ତ ଗିରଫ

ବରୀ: ଓଟିପି ସେୟାରିଂ ସ୍କାମ୍‌ ମାମଲା ଏବଂ ପାକିସ୍ତାନ ଆଇଏସ୍‌ଆଇ ଲିଙ୍କ୍‌ରେ ଥିବା ଆଉ ଜଣେ ଅଭିଯୁକ୍ତକୁ ଗିରଫ କରାଯାଇଛି। ଗିରଫ ଅଭିଯୁକ୍ତ ହେଲେ, ଯାଜପୁର ଜିଲ୍ଲା ବରୀ ଥାନା ଅନ୍ତର୍ଗତ ଭୁରୁଙ୍ଗା ଗ୍ରାମର ପ୍ରୀତମ କର। ଏସ୍‌ଟିଏଫ୍‌ ଟିମ୍‌ ଗତକାଲି ତାଙ୍କୁ ଉଠାଇ ନେବାପରେ ଗିରଫ କରିଥିବା ଜଣାପଡ଼ିଛି। ସୂଚନା ଅନୁସାରେ, ଓଡ଼ିଶାର ପ୍ରି-ଆକ୍ଟିଭ୍ ସିମ୍‌କୁ ବ୍ୟବହାର କରି ପ୍ରୀତମ୍‌ ତାଙ୍କ ମୋବାଇଲରେ ଅନେକ ଗ୍ରୁପ୍‌ ଖୋଲିବା ସହିତ ହ୍ବାଟ୍‌ସଆପ୍ ମାଧ୍ୟମରେ ପାକିସ୍ତାନର ଆଇଏସ୍‌ଆଇ ସଂସ୍ଥାକୁ ଓଟିପି ପଠାଉଥିଲେ। ଏହାବଦଳରେ ତାଙ୍କୁ ମୋଟାଅଙ୍କର ଟଙ୍କା ମିଳୁଥିଲା। ଏସମ୍ପର୍କରେ ତଥ୍ୟ ହାସଲ କରିବା ପରେ ପ୍ରୀତମ୍‌ଙ୍କୁ ଗିରଫ କରିଛି ଏସ୍‌ଟିଏଫ୍‌। ଏହି ମାମଲାରେ ତାଙ୍କୁ ମିଶାଇ ଏପର୍ଯ୍ୟନ୍ତ ୫ ଜଣ ଗିରଫ ହୋଇସାରିଲେଣି। ସେମାନଙ୍କ ମଧ୍ୟରେ ରହିଛନ୍ତି ସେହି ବରୀର କିମ୍ଭିରିଆପାଳ ପଞ୍ଚାୟତ ଅନ୍ତର୍ଗତ ଉଦୟପୁର ଗ୍ରାମର ସୌମ୍ୟରଂଜନ ପଟ୍ଟନାୟକ। ତେବେ, ପୂର୍ବରୁ ମଧ୍ୟ ସାଇବର ଠକେଇ ଅଭିଯୋଗରେ ଦିଲ୍ଲୀ ପୁଲିସ ପ୍ରୀତମଙ୍କୁ ଗିରଫ କରିଥିଲା। ସେତେବେଳେ ସେ କୋଲକାତାରୁ ସିମ୍‌ ମଗାଇ ଜାଲ୍‌ କାଗଜପତ୍ରରେ ସିମ୍‌ଗୁଡ଼ିକୁ ସକ୍ରିୟ କରି ଦିଲ୍ଲୀ, ହରିୟାଣା, ହିମାଚଳପ୍ରଦେଶ, ଉତ୍ତର ପ୍ରଦେଶ, ରାଜସ୍ଥାନ ପରି ୧୮ଟି ରାଜ୍ୟକୁ ଓଡ଼ିଶାର ବିଭିନ୍ନ ଅଞ୍ଚଳରୁ କୋରିୟର ମାଧ୍ୟମରେ ପଠାଇଥିଲେ। ୫୦ ହଜାରରୁ ଅଧିକ ସିମ୍‌ ପଠାଇ ସେ କୋଟି‌କୋଟି ଟଙ୍କା ପାଉଥିଲେ । ଏହି ସିମ୍‌କୁ ବ୍ୟବହାର କରି ସାଇବର ଠକେଇ କରାଯାଉଥିଲା।୨୦୨୧ ଜୁଲାଇ ୩୦ ତାରିଖରେ ଦିଲ୍ଲୀର ସଲିମାର ଥାନାରେ ଏକ ସାଇବର ଠକେଇ ଅଭିଯୋଗ ହୋଇଥିଲା। ୬୪୧/୨୧ରେ ମାମଲା ରୁଜୁ କରି ଦିଲ୍ଲୀ ପୁଲିସର ଖୋଳତାଡ଼ କରିବାପରେ ମାମଲାଟି ଦିଲ୍ଲୀ ସାଇବର ପୁଲିସକୁ ହସ୍ତାନ୍ତର କରାଯାଇଥିଲା। ୨୦୨୧ ଅଗଷ୍ଟ ମାସରେ ଦିଲ୍ଲୀର ସାଇବର ଥାନାରୁ ୪ ଜଣିଆ ପୁଲିସ ଟିମ୍ ଓଡ଼ିଶା ଆସି ବରୀ ପୁଲିସ ସହାୟତାରେ ପ୍ରୀତମଙ୍କୁ ତାଙ୍କ ଭୁରୁଙ୍ଗାସ୍ଥିତ ଘରୁ ଗିରଫ କରି ନେଇଯାଇଥିଲେ। ସେଠାରୁ ଆସିବା ପରେ ପୁଣି ଦ୍ବିତୀୟଥର ସେହି ସାଇବର ଠକେଇ ଅଭିଯୋଗରେ ସେ ଗିରଫ ହୋଇଥିଲେ। ଏବେ ଓଟିପି ସେୟାରିଂ ଓ ପାକିସ୍ତାନ ଲିଙ୍କ୍‌ ଅଭିଯୋଗରେ ସେ ତୃତୀୟଥର ଗିରଫ ହୋଇଛନ୍ତି।

Leave A Reply

Your email address will not be published.