ସମ୍ବଲପୁର : ପୁରୁଣାକାଳିଆ ବ୍ୟବସ୍ଥାରେ ଚାଲିଛି ହୀରାକୁଦ ଜଳଭଣ୍ଡାରର ବନ୍ୟାଜଳ ପରିଚାଳନା। ମହାନଦୀର ଡେଲ୍ଟା ଅଞ୍ଚଳର ବନ୍ୟା ନିୟନ୍ତ୍ରଣ ତଥା ହୀରାକୁଦ ଜଳଭଣ୍ଡାରର ସୁପରିଚାଳନା ପାଇଁ ଥିବା ଭିତ୍ତିଭୂମି ତଥା ବ୍ୟବସ୍ଥା ସୁଦୃଢ଼ୀକରଣ କରାଯିବା ପରିବର୍ତ୍ତେ ଅଣଦେଖା କରାଯାଉଛି। କେବଳ ସେତିକି ନୁହେଁ, ହୀରାକୁଦ ବନ୍ୟା ପରିଚାଳନା ନିମେନ୍ତ ଥିବା ନୀତିନିୟମ ଠିକ୍ ଭାବେ ଅନୁସରଣ ହେଉନଥିବା ଜଳ ସଂପଦ ବିଭାଗର ଅବସରପ୍ରାପ୍ତ ସର୍ବୋଚ୍ଚ ଯନ୍ତ୍ରୀ ରବୀନ୍ଦ୍ର ପଣ୍ଡା ଅଭିଯୋଗ ଆଣିଛନ୍ତି।ହୀରାକୁଦର ଉପର ମୁଣ୍ଡରେ ମହାନଦୀ ଅବବାହିକା ଅଞ୍ଚଳରେ ବର୍ଷାଜଳ ଓ ଜଳ ପ୍ରବାହ ମାପିବା ପାଇଁ ୮ଟି ଗେଜ୍ ଷ୍ଟେସନ ଏବଂ ତଳ ମୁଣ୍ଡରେ ମୁଣ୍ଡଳୀ ପର୍ଯ୍ୟନ୍ତ ୫ଟି ଗେଜ୍ ଷ୍ଟେସନ୍ ରହିଛି। ସେଗୁଡ଼ିକ ବୁର୍ଲାରେ ଥିବା ମୁଖ୍ୟ ବନ୍ୟା ନିୟନ୍ତ୍ରଣ କକ୍ଷ ସହିତ ଉଚ୍ଚ ଫ୍ରିକ୍ବେନ୍ସି ୱେୟାରଲେସ୍ ବ୍ୟବସ୍ଥା ଦ୍ୱାରା ସଂଯୋଗ କରାଯାଇଛି। ଛତିଶଗଡ଼ ସରକାରଙ୍କ ଦ୍ୱାରା ମହାନଦୀ ଅବବାହିକାରେ ବ୍ୟାରେଜ ନିର୍ମାଣ ଯୋଗୁ ହୀରାକୁଦ ଜଳଭଣ୍ଡାରକୁ ଜଳପ୍ରବେଶ ହାର ମାପିବା ତଥା ଆକଳନ ପାଇଁ ଉପର ମହାନଦୀ ଅବବାହିକାରେ ସ୍ଥାପିତ ଅନେକ ଗେଜ୍ ଷ୍ଟେସନର ଭ୍ରମାତ୍ମକ ତଥ୍ୟ ସଂଗ୍ରହ ହେଉଛି। କାରଣ ସେଠାରେ ଗେଜ୍ ପୋଷ୍ଟଗୁଡ଼ିକ ଜଳପ୍ରବାହ ହାରଠୁ ଅଧିକ ଜଳମଗ୍ନ ରହୁଛି। ଯାହାଦ୍ବାରା ୨୦୧୮ବର୍ଷରୁ ବର୍ଷା ସମୟରେ ଜଳଭଣ୍ଡାରକୁ ଜଳପ୍ରବେଶ ହାର ଠିକ୍ ଭାବେ ଆକଳନ ହୋଇପାରୁନଥିବା ମନେହୁଏ। ସେହି ଗେଜ୍ ଷ୍ଟେସନଗୁଡ଼ିକୁ ଉପଯୁକ୍ତ ସ୍ଥାନକୁ ସ୍ଥାନାନ୍ତର ଓ ପୁନଃସ୍ଥାପନ ଜରୁରି ହୋଇପଡ଼ିଛି। ଇତିମଧ୍ୟରେ ୫ ବର୍ଷ ବିତିଯାଇଥିଲେ ବି ଜଳସଂପଦ ବିଭାଗ ଏଥିପ୍ରତି ଧ୍ୟାନ ଦେଉନାହିଁ। ୨୦୦୪ ମସିହାରୁ ଗେଜ୍ ଷ୍ଟେସନରେ ସ୍ଥାପିତ ଉଚ୍ଚ ଫ୍ରିକ୍ବେନ୍ସି ୱେୟାରଲେସ୍ ବ୍ୟବସ୍ଥା କିଛିବର୍ଷ ହେଲା କାର୍ଯ୍ୟକ୍ଷମ ଅବସ୍ଥାରେ ନାହିଁ। ଏହି ବ୍ୟବସ୍ଥାରେ ଗେଜ୍ ଷ୍ଟେସନଗୁଡ଼ିକରୁ ବୃଷ୍ଟିପାତ ଓ ଜଳପ୍ରବାହ ସଂପର୍କିତ ତଥ୍ୟ ବୁର୍ଲାରେ ସ୍ଥାପିତ ମୁଖ୍ୟ ନିୟନ୍ତ୍ରଣ କକ୍ଷ ଦ୍ୱାରା ଧାର୍ଯ୍ୟ ସମୟରେ ସଂଗ୍ରହ ହେଉଥିଲା। ଏହାଦ୍ୱାରା କାର୍ଯ୍ୟରତ କର୍ମଚାରୀଙ୍କ ସେଠାରେ ଉପସ୍ଥିତି ନିଶ୍ଚିତ ହେଉଥିଲା ଓ ଠିକ୍ ତଥ୍ୟ ଠିକ୍ ସମୟରେ ମିଳୁଥିଲା। ଏବେ ମୋବଇଲ ଫୋନ୍ ମାଧ୍ୟମରେ ବନ୍ୟା ସଂପର୍କିତ ସବୁ ତଥ୍ୟ ସଂଗ୍ରହ କରାଯାଉଛି। କେତେକ କର୍ମଚାରୀ ଗେଜ୍ ଷ୍ଟେସନରେ ନରହି ତାଙ୍କ ପ୍ରତିନିଧିମାନଙ୍କ ମାଧ୍ୟମରେ ତଥ୍ୟ ସଂଗ୍ରହ କରି ମୁଖ୍ୟ ନିୟନ୍ତ୍ରଣ କକ୍ଷକୁ ସେମାନେ ମୋବାଇଲ ଫୋନ୍ରେ ତଥ୍ୟ ପଠାଉଥିବା ଅଭିଯୋଗ ହେଉଛି। ଏହିସବୁ ଦୃଷ୍ଟିରୁ ଉଚ୍ଚ ଫ୍ରିକ୍ବେନ୍ସି ୱେୟାରଲେସ୍ ବ୍ୟବସ୍ଥାକୁ ଜରୁରୀକାଳୀନ ଭିତ୍ତିରେ ପୁନଃ କାର୍ଯ୍ୟକ୍ଷମ କରିବା ନିହାତି ଆବଶ୍ୟକ। ବର୍ଷାଋତୁରେ ଦରକାର ମୁତାବକ ସିଜିନାଲ କର୍ମଚାରୀମାନଙ୍କ ସହିତ ଜଣେ ନିୟମିତ କର୍ମଚାରୀଙ୍କୁ ଗେଜ୍ ଷ୍ଟେସନ ଦ୍ୱାୟିତ୍ୱରେ ରଖାଯାଉଥିଲା। ଏବେ ଅନେକ କର୍ମଚାରୀ ଅବସର ନେଇ ସାରିଲେଣି। ତିନି ସିଫ୍ଟରେ ଗେଜ୍ ଷ୍ଟେସନ ତଥା ବୁର୍ଲା ମୁଖ୍ୟ ନିୟନ୍ତ୍ରଣ କକ୍ଷ ପାଇଁ ପାଖାପାଖି ଅତି କମ୍ରେ ଶହେରୁ ଅଧିକ କର୍ମଚାରୀ ଦରକାର ପଡ଼ୁଥିବା ବେଳେ ଏବେ ପ୍ରାୟ ୩୦ ଜଣ ପାଖାପାଖି କର୍ମଚାରୀ ନିୟୋଜିତ ଅଛନ୍ତି। ସର୍ବନିମ୍ନ ଆବଶ୍ୟକ କର୍ମଚାରୀ ନଥିବାରୁ ଅବ୍ୟବସ୍ଥା ଦେଖାଯାଉଛି।ଏଥିସହିତ, ହୀରାକୁଦ ଜଳଭଣ୍ଡାରରୁ ବନ୍ୟାଜଳ ନିଷ୍କାସନ ପାଇଁ ଥିବା ୯୮ଟି ଗେଟ୍ର ନିୟମିତ ରକ୍ଷଣାବେକ୍ଷଣ ଓ ମରାମତି ଦ୍ୱାରା ବର୍ଷାଋତୁ ପାଇଁ ପୂରା ପ୍ରସ୍ତୁତ ଓ କାର୍ଯ୍ୟକ୍ଷମ ରଖିବା ଜରୁରି ବୋଲି ଅବସରପ୍ରାପ୍ତ ସର୍ବୋଚ୍ଚ ଯନ୍ତ୍ରୀ ଶ୍ରୀ ପଣ୍ଡା ଏକ ବିବୃତିରେ କହିଛନ୍ତି।