କମିବ ତାତି, ୨୧ରୁ ବର୍ଷା

ଭୁବନେଶ୍ବର : ରାଜ୍ୟବାସୀଙ୍କ ପାଇଁ ଆଶ୍ବସ୍ତିକର ଖବର। ୨୦ ତାରିଖରୁ ରାଜ୍ୟରେ ତାତି କମିବ। ୨୧ ତାରିଖ‌ରେ ପ୍ରାକ୍‌ ମୌସୁମୀ ବର୍ଷା ଆରମ୍ଭ ହୋଇଯିବ। ୨୧ରେ ରାଜ୍ୟର ଅଧିକାଂଶ ସ୍ଥାନରେ ହାଲୁକାରୁ ମଧ୍ୟମ ଧରଣର ବର୍ଷା ହେବାକୁ ଥିବା ‌ବେଳେ ୨୨ ତାରିଖ ଆଡ଼କୁ ବର୍ଷାର ପରିମାଣ ବଢ଼ିବ ଓ ରାଜ୍ୟର କିଛି କିଛି ସ୍ଥାନରେ ପ୍ରବଳ ବର୍ଷା ହୋଇପାରେ। ଫଳରେ ରାଜ୍ୟର ତାପମାତ୍ରା ପାଖାପାଖି ୩ରୁ ୫ ଡିଗ୍ରି ପର୍ଯ୍ୟନ୍ତ କମିଯିବ ଓ ରାଜ୍ୟବାସୀଙ୍କୁ ତାତିରୁ ତ୍ରାହି ମିଳିବ। ତେବେ ଆସନ୍ତାକାଲି ଅର୍ଥାତ ସୋମବାର ଆଉ ଗୋଟିଏ ଦିନ ରାଜ୍ୟବାସୀ ଗରମ ଓ ଗୁଳୁଗୁଳିରେ ସନ୍ତୁଳି ହେବେ। କାରଣ ଆସନ୍ତାକାଲି ସୁନ୍ଦରଗଡ଼, ଝାରସୁଗୁଡ଼ା, ବରଗଡ଼, ସମ୍ବଲପୁର, ସୁବର୍ଣ୍ଣପୁର, ବଲାଙ୍ଗୀର, ବୌଦ୍ଧ, କନ୍ଧମାଳ, ଅନୁଗୁଳ ଓ ଦେବଗଡ଼ ଆଦି ଜିଲ୍ଲାରେ ପ୍ରଚଣ୍ଡ ଗ୍ରୀ‌ଷ୍ମ ପ୍ରବାହ ସମ୍ଭାବନାକୁ ନେଇ ଅରେଞ୍ଜ ୱା‌ର୍ଣ୍ଣିଂ ଜାରି କରିଛି ଆଞ୍ଚଳିକ ପାଣିପାଗ ବିଜ୍ଞାନ କେନ୍ଦ୍ର। ଏଥିସହ ନୂଆପଡ଼ା, କଳାହାଣ୍ଡି, ନୟାଗଡ଼, ଖୋର୍ଧା, କଟକ, ଢେଙ୍କାନାଳ ଓ କେନ୍ଦୁଝର ଆଦି ଜିଲ୍ଲାରେ ମଧ୍ୟ ଅଂଶୁଘାତଜନିତ ୟେଲୋ ୱାର୍ଣ୍ଣିଂ ଜାରି କରାଯାଇଛି।

Leave A Reply

Your email address will not be published.