ହନିଟ୍ରାପ୍‌ ପଛରେ ଆଉ ଜଣେ ମହିଳା, ୩୪ ବ୍ୟାଙ୍କ ଖାତାର ତଥ୍ୟ ମାଗିଲା ପୁଲିସ

କଟକ : କଟକରେ ରହୁଥିବା ଜଣେ ଅବସରପ୍ରାପ୍ତ ସରକାରୀ ଅଧିକାରୀ ହନିଟ୍ରାପ୍‌ରେ ଫସିବା ଘଟଣାରେ ପୁଲିସ ହାତରେ ରିଜର୍ଭ ବ୍ୟାଙ୍କର ଜଣେ ନକଲି ଅଧିକାରୀଙ୍କ ସମ୍ପୃକ୍ତି ସାମ୍‌ନାକୁ ଆସିଛି। ଏହି କାରବାରରେ ରିଜର୍ଭ ବ୍ୟାଙ୍କର ଏହି ମହିଳା ଅଧିକାରୀ ୪୦ ହଜାର ପାଉଣ୍ଡ ଛାଡ଼ିବା ପାଇଁ ବି ଟଙ୍କା ନେଇଛନ୍ତି। କଷ୍ଟମ୍‌ ଅଧିକାରୀଙ୍କ ଠାରୁ ଆରମ୍ଭ କରି ରିଜର୍ଭ ବ୍ୟାଙ୍କ ଅଧିକାରୀ ଯାଏ ୩୪ଟି ବ୍ୟାଙ୍କ ଆକାଉଣ୍ଟରେ ୫ଟି ପର୍ଯ୍ୟାୟରେ ଏହି ଟଙ୍କା ଲୁଟିଥିବା ନେଇ ତଦନ୍ତ ସମୟରେ ଜଣାପଡ଼ିଛି। ତେବେ ଏହି ଟଙ୍କା ଯେଉଁ ବ୍ୟାଙ୍କ ଆକାଉଣ୍ଟକୁ ଯାଇଛି, ଉକ୍ତ ଆକାଉଣ୍ଟଧାରୀଙ୍କୁ ଠାବ କରିବାକୁ ସମ୍ପୃକ୍ତ ବ୍ୟାଙ୍କକୁ ସାଇବର୍ ଥାନା ପୁଲିସ ତଥ୍ୟ ମାଗିଥିବା ସୂଚନା ମିଳିଛି। ୨୦୧୯ ଅଗଷ୍ଟରେ ଯୁବତୀ ଜଣକ ଭାରତରୁ ସୁନା କିଣିବା ପାଇଁ ଯିବାକୁ କହିଥିଲା। ଭାରତରେ ସୁନା ଶସ୍ତାରେ ମିଳୁଥିବାରୁ ସେ ଯିବାକୁ ଚାହୁଁଛି ବୋଲି ବୃଦ୍ଧଙ୍କୁ କହିଥିଲା। ଏଥିପାଇଁ ସାଙ୍ଗରେ ୪୦ ହଜାର ପାଉଣ୍ଡ ଆଣିଥିବା କହିଥିଲା। ଯେତେବେଳେ ଏହି ଜବତ ଟଙ୍କା ଦିଲ୍ଲୀ ବିମାନବନ୍ଦରରେ କଷ୍ଟମ୍‌ ବିଭାଗର ଅଧିକାରୀଙ୍କ ହାତରୁ ମୁକୁଳାଇବା ପାଇଁ ହାତଗୁଞ୍ଜା ଦେବାକୁ କହିଥିଲା। ପ୍ରଥମ ପର୍ଯ୍ୟାୟରେ ସେ ୮୯ ହଜାର ଟଙ୍କା ଦେଇଥିଲେ। ୨୦୧୯ ସେପ୍ଟେମ୍ବର୍‌ରେ ସମ୍ପୃକ୍ତ ଯୁବତୀ ଲିଓନା ଜିମି ଏହି ବୃଦ୍ଧଙ୍କୁ ହ୍ବାଟସ୍‌ଆପ୍‌ରେ ଫୋନ୍ କରିଥିଲା। ସେ ଇଂଲଣ୍ଡ ଫେରିଯାଇଥିବା କହିଥିଲା। କିନ୍ତୁ ସେ ଭାରତ ଆଣିଥିବା ୪୦ ହଜାର ପାଉଣ୍ଡ କଷ୍ଟମ୍‌ ବିଭାଗର ଅଧିକାରୀ ଜବତ କରିବା ପରେ ରଜର୍ଭ ବ୍ୟାଙ୍କରେ ଜମା କରିଥିବା କହିଥିଲା। ଏହି ଟଙ୍କା ସେଠାରୁ ମୁକୁଳାଇବା ପାଇଁ ବୃଦ୍ଧଙ୍କ ସହାୟତା ଲୋଡ଼ିଥିଲା।ଏହି ବୃଦ୍ଧଙ୍କୁ ଯୁବତୀଜଣକ ଜଣେ ବ୍ରିଟିସ୍ ବନ୍ଧୁ ଜନ୍ ମାର୍ଟିନ୍‌ଙ୍କ ନମ୍ବର ଦେଇଥିଲା। ଜନ୍ ରିଜର୍ଭ ବ୍ୟାଙ୍କରେ ଥିବା ଟଙ୍କା ମୁକୁଳାଇବା କ୍ଷେତ୍ରରେ ତାଙ୍କୁ ସହଯୋଗ କରିବେ ବୋଲି କହିଥିଲା। ବୃଦ୍ଧଜଣକ ଜନ୍‌ଙ୍କୁ ଫୋନ୍ କରିବାରୁ ସେ କିଛି ଆକାଉଣ୍ଟ ନମ୍ବର ତାଙ୍କୁ ଦେଇଥିଲା। ଏହି ଆକାଉଣ୍ଟ ନମ୍ବରରେ ସେ ଟଙ୍କା ପଠାଇବା ଆରମ୍ଭ କରିଥିଲେ। ୨୦୧୯ରେ ୨ ଲକ୍ଷ ୬୦ ହଜାର ଟଙ୍କା ଦେଇଥିଲେ। ୨୦୨୦ରେ ଜନ୍ ଆର୍‌ବିଆଇର ଜଣେ କର୍ମଚାରୀ ନାଁରେ ଉଷା ଖାନ୍ନାଙ୍କୁ ପରିଚିତ କରାଇଥିଲେ। ଜନ୍ ଓ ଉଷା ୨୦୨୦ରେ ୨ ଲକ୍ଷ ୯୬ ହଜାର ୫୦୦ ଟଙ୍କା, ୨୦୨୧ରେ ୧୨ ଲକ୍ଷ ୩୫ ହଜାର ୧୦୦ ଟଙ୍କା, ୨୦୨୨ରେ ୧ ଲକ୍ଷ ୮୧ ହଜାର ଟଙ୍କା ନେଇଥିଲେ। ୨୦୨୩ ଜୁନ୍‌ରେ ବୃଦ୍ଧଙ୍କୁ ଆହୁରି ୫୭ ହଜାର ଟଙ୍କା ଉଭୟ ମାଗିଥିଲେ। କିନ୍ତୁ ବୃଦ୍ଧଜଣକ ଠକେଇର ଶିକାର ହୋଇଥିବା ଜାଣିପାରି ସାଇବର୍ ଥାନାରେ ଏତଲା ଦେଇଥିବା ଏଡିସିପି ଅନୀଲ୍‌ ମିଶ୍ର ରବିବାର ଏକ ସାମ୍ବାଦିକ ସମ୍ମିଳନୀରେ ସୂଚନା ଦେଇଥିଲେ।

Leave A Reply

Your email address will not be published.